ରାତି ପାହିଲେ ଶ୍ରୀରାମ ନବମୀ କଳସ ଶୋଭାଯାତ୍ରା, ୭ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍ ମାର୍ଚ୍ଚ
ଭଦ୍ରକ: ଭଦ୍ରକ ପ୍ରସିଦ୍ଧ ଶ୍ରୀରାମ ମହାନବମୀ ମହୋତ୍ସବ ଉପଲକ୍ଷେ ଆସନ୍ତା କାଲି ହେବାକୁ ଥିବା ୫୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ପୂର୍ବରୁ ଆଜି ପୁଲିସ ପ୍ରଶାସନ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି । ୨୦୧୭ ମସିହାରେ ଶ୍ରୀରାମ ନବମୀ ପରବର୍ତ୍ତୀ ହିଂସାକାଣ୍ଡ ଘଟଣାକୁ ଲକ୍ଷ୍ର କରି ପୁଲିସ ପକ୍ଷରୁ କଡା ବନ୍ଦୋବସ୍ତ ହୋଇଛି । ଆଜି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ର ନାଥ ସିନ୍ହା, ଭଦ୍ରକ ଏସପ ରାଜେଶ ପଣ୍ଡିତ, ଅତରିକ୍ତ ଏସପି କୈଳାସ ପରିଡା, ବିକାଶ ଦାଶଙ୍କ ସମେତ ଟାଉନ, ପୁରୁଣାବଜାର, ଗ୍ରାମାଞ୍ଚଳ ଥାନା ଆଇଆଇସି ସରୋଜିନୀ ସିଂ, ପ୍ରଜ୍ଞା ମହାନ୍ତି, ଦୟାନିଧି ଦାସ ପ୍ରମୁଖଙ୍କ ସହିତ ୭ ପ୍ଲାଟୁନ ଫୋର୍ସ, ୧ କମ୍ପାନୀ ଓଏସ୍ଏପି ଫୋର୍ସ, ରାୟଟ କଣ୍ଟ୍ରୋଲ ଭେହିକିଲ ବଜ୍ର ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଥିଲା ।
ଆସନ୍ତା କାଲି ସକାଳେ ଆରଡି ବାବା ଆଖଣ୍ଡଳମଣି, ଯାଜପୁର ମା ବିରଜା ଓ ଭଦ୍ରକାଳୀ ପୀଠରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ନରେ ଗାନ୍ଧିପଡିଆରୁ ୫୦୦୮ ମହିଳା କଳସ ନେଇ ସାଳନ୍ଦୀ ନଦୀରୁ ପାଣି ବୁଡାଇ ପୁଣି ଗାନ୍ଧିପଡିଆକୁ ଫେରିବେ । ଆସନ୍ତା ୧୩ ତାରିଖ ମହା ନବମୀରେ ମେଢ ଶୋଭାଯାତ୍ରା ଅନୁଷ୍ଠିତ ହେବ ।