ଭଦ୍ରକ ଲୋକସଭା ଆସନ : ୧୪ ରୁ ୮ ଥର ଅଣକଂଗ୍ରେସ ଦଳ ହାତରେ

Straight to the Point

ଭଦ୍ରକ: ୧୪ ରୁ ୮ ଥର ଭଦ୍ରକ ଲୋକସଭା ଆସନ ଅଣ କଂଗ୍ରେସ ଦଳ ହାତକୁ ଯାଇଛି । ନିର୍ବାଚନୀ ଇତିହାସ ଏକଥା କହୁଛି । ୧୯୬୨ ମସିହାରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା । ଏହା ପରଠାରୁ ମୋଟ ୧୪ଟି ନିର୍ବାଚନ ଅନୁଷ୍ଠିତ ହୋଇଛି । ୧୯୬୨ରେ ଭଦ୍ରକ ଲୋକସଭା ଆସନ କଂଗ୍ରେସ ହାତକୁ ଯାଇଥିଲା । ୧୯୬୭ ନିର୍ବାଚନ ଓ ୧୯୭୧ ନିର୍ବାଚନରେ ମଧ୍ୟ ଭଦ୍ରକ ଲୋକସଭା ଆସନ କଂଗ୍ରେସ ହାତକୁ ଯାଇଥିଲା । ୧୯୭୭ ରେ ଭଦ୍ରକ ଆସନ ଯାଇଥିଲା । ଜନତା ପାର୍ଟି ହାତକୁ । ୧୯୮୦ ଓ ୧୯୮୪ ରେ ପୁନଃ କଂଗ୍ରେସ ଅକ୍ତିଆରକୁ ଆସିଥିଲା ଭଦ୍ରକ ଲୋକସଭା ଆସନ । ୧୯୮୯ ଓ ୧୯୯୧ ନିର୍ବାଚନରେ ଜନତା ଦଳ ହାତରେ ରହିଥିଲା ଭଦ୍ରକ ଲୋକସଭା ଆସନ । ୧୯୯୬ ରେ କଂଗ୍ରେସ ଅକ୍ତିଆର କରିଥିଲା ଭଦ୍ରକ ଲୋକସଭା ଆସନକୁ । ତେବେ ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳର ଅଭ୍ୟୁଦୟ ପରଠାରୁ ବିଜେଡି ଭଦ୍ରକ ଲୋକସଭା ଆସନକୁ କେବେ ହାତଛଡା କରିନାହିଁ । ୧୯୯୮ ମସିହାରେ ପ୍ରଥମ କରି ବିଜୁ ଜନତା ଦଳ ନିର୍ବାଚନ ଲଢିଥିଲା । ବିଜେଡି ସହିତ ବିଜେପିର ମେଣ୍ଟ ହୋଇଥିଲା । ଭଦ୍ରକ ଲୋକସଭା ଆସନ ବିଜେଡି ଭାଗରେ ପଡିଥିଲା । ୧୯୯୮ ରୁ ୨୦୦୪ ମଧ୍ୟରେ ଅନୁଷ୍ଠିତ ୩ଟି ନିର୍ବାଚନରେ ଅର୍ଜୁନ ସେଠୀ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ଭାବେ ମଇଦାନରେ ସବୁଥର ବିଜୟୀ ହୋଇଛନ୍ତି । ୨୦୦୯ ରେ ମେଣ୍ଟ ଭାଙ୍ଗିଯିବା ପରେ ମଧ୍ୟ ଅର୍ଜୁନ ବିଜେଡି ଟିକଟରେ ନିର୍ବାଚନ ଜିତିଛନ୍ତି । ତେବେ ମେଣ୍ଟ ବେଳର ଅର୍ଜୁନଙ୍କ ପ୍ରତି ସମର୍ଥନ ଓ ମେଣ୍ଟ ପରେ ଅର୍ଜୁନଙ୍କ ପ୍ରତି ସମର୍ଥନରେ ବିଶେଷ ଫରକ ପରିଲକ୍ଷିତ ହୋଇନାହିଁ । ୧୯୯୮ ନିର୍ବାଚନରେ ଅର୍ଜୁନ ମେଣ୍ଟ ପ୍ରାର୍ଥୀ ଭାବେ ପାଇଥିଲେ ୩ ଲକ୍ଷ ୫୦ ହଜାର ୩୨୨ ଖଣ୍ଡ ଭୋଟ । ପରବର୍ତ୍ତୀ ୧୯୯୯ ନିର୍ବାଚନରେ ଅର୍ଜୁନ ପାଇଥିଲେ ୩ ଲକ୍ଷ ୯୭ ହଜାର ୪୫୦ ଖଣ୍ଡ ଭୋଟ । ୨୦୦୪ ରେ ଅର୍ଜୁନଙ୍କୁ ମିଳିଥିଲା ୪ ଲକ୍ଷ ୮୯ ହଜାର ୭୮୧ ଖଣ୍ଡ ଭୋଟ । ୨୦୦୯ ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଥିଲା । ବିଜେଡିର ବାମପନ୍ଥୀ ଦଳ ସହ ମେଣ୍ଟ ହୋଇଥିଲା । ସେଥରକ ବିଜେଡିରୁ ଅର୍ଜୁନ ପାଇଥିଲେ ୪ ଲକ୍ଷ ୧୬ ହଜାର ୮୦୮ ଖଣ୍ଡ ଭୋଟ । ତାଙ୍କର କଡା ମୁକାବିଲା ହୋଇଥିଲା କଂଗ୍ରେସର ଅନନ୍ତ ସେଠୀଙ୍କ ସହ । ଅନନ୍ତ ୩ ଲକ୍ଷ ୬୧ ହଜାର ୮୭୦ ଖଣ୍ଡ ଭୋଟ ପାଇଥିବାବେଳେ ତେବେ ବିଜେପି ପ୍ରାର୍ଥୀ ରଥ ଦାସ ପାଇଥିଲେ ୧ ଲକ୍ଷ ୨୨ ହଜାର ୪୩୧ ଖଣ୍ଡ ଭୋଟ । ପରେ ୨୦୧୪ ରେ ମଧ୍ୟ ଅର୍ଜୁନଙ୍କୁ ମିଳିଥିଲା ପୁଣି ବିଜେଡି ଟିକଟ । ଏଥର ଅର୍ଜୁନ ରେକର୍ଡ ସଂଖ୍ୟକ ୫ ଲକ୍ଷ ୨ ହଜାର ୩୩୮ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ସଂଗ୍ରାମ ଯେନାଙ୍କୁ ୩ ଲକ୍ଷ ୨୨ ହଜାର ୯୭୯ ଖଣ୍ଡ ଓ ବିଜେପିର ଶରତ ଦାସଙ୍କୁ ମିଳିଥିଲା ୨ ଲକ୍ଷ ୧୬ ହଜାର ୬୧୭ । ନିର୍ବାଚନୀ ଇତିହାସରୁ ଏକଥା ମଧ୍ୟ ସ୍ପଷ୍ଟ ଯେ ବିଜେଡି ଗଠନ ପରଠାରୁ ଏହି ଆସନରେ ଦଳ ଅପରାଜେୟ ରହିଛି । ପୁଣି ଏହି ଆସନରୁ ଦଳ ଜଣଙ୍କୁ ହିଁ (ଅର୍ଜୁନ ସେଠୀ) ନିର୍ବାଚନ ଲଢିବାର ସୁଯୋଗ ଦେଇଛି । ହେଲେ ଏଥରକ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି । ବିଜେଡି ଏଠାରେ ମହିଳା କାର୍ଡ ଖେଳିଛି । ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଂଜୁଲତାଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଅପ୍ରତ୍ୟାଶିତ ବିଜେଡିରୁ ୫ ଥର ସାଂସଦ ହୋଇଥିବା ଅର୍ଜୁନ ବାବୁ ବିଜେଡି ଛାଡି ବିଜେପିରେ ମିଶି ପୁଅ ପାଇଁ ଟିକଟ ବ୍ୟବସ୍ଥା କରିଛନ୍ତି । ଏଥିଯୋଗୁଁ ଲୋକସଭା କ୍ଷେତ୍ର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି । ଏପରି ସ୍ଥିତିରେ ଗଡରକ୍ଷା ବିଜେଡି ପାଇଁ ସ୍ୱାଭାବିକ ଭାବେ ସମ୍ମାନର ପ୍ରଶ୍ନ ହୋଇଛି ।

error: Thank You Keep Visiting