ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ?

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ପାନୀୟ ଜଳ ଓ ପରିମଳ ବିଭାଗ ଅଧିନରେ ଜଡ଼ତିରା ଗ୍ରାମପଞ୍ଚାୟତରେ ରହିଛି ବନ୍ଧବାଟି ପାନୀୟ ଜଳ ପ୍ରକଳ୍ପ । ପ୍ରଚଣ୍ଡ ରୌଦ୍ରତାପ ସହିତ ଫନି ବାତ୍ୟାର ପ୍ରଭାବରେ ସ୍ଥାନୀୟ ଲୋକେ ପାନୀୟ ଜଳ ଟୋପାଏ ପାଇଁ ଡ଼ହଳ ବିକଳ ହେଉଥିବାବେଳେ ଏହି ପ୍ରକଳ୍ପର ସଚଳାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାରମ୍ବାର ଅଭିଯୋଗ ସତ୍ୱେ ବିଭାଗୀୟ କତ୍ତୃପକ୍ଷ ଓ ପଞ୍ଚାୟତ କତ୍ତୃପକ୍ଷ ପରସ୍ପର ଉପରେ ଦୋଷ ଲଦି ଦାୟିତ୍ୱ ମୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି । ଫଳରେ ଏହାର ପ୍ରଭାବରେ ସାଧାରଣ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ୨୦୦୫ ମସିହାରେ ନିର୍ମାଣ କରାଯାଇଥିବା ଏହି ପାନୀୟ ଜଳ ପ୍ରକଳ୍ପଟି ୨ ବର୍ଷ ମାତ୍ର କାର୍ଯ୍ୟକ୍ଷମ ହୋଇ ଅନୁପଯୋଗୀ ପାଣି ବାହାରିବାରୁ ବନ୍ଦ କରିଦିଆଯାଇଥିଲା । ପୁନର୍ବାର ଦ୍ୱିତୀୟଥର ପାଇଁ ଲକ୍ଷାଧିକ ଟଙ୍କା ବିନିମୟରେ ଆଉ ଏକ ସ୍ଥାନରେ ବୋରିଂ କରାଯାଇ ଭୂତଳ ଜଳ ସଂଗ୍ରହ କରାଯାଇଥିଲା । ଏହା ମଧ୍ୟ ୩ ବର୍ଷ କାର୍ଯ୍ୟକ୍ଷମ ହେବାପରେ ଅତ୍ୟଧିକ ଖାର ଓ ଅନୁପଯୁକ୍ତ ଜଳ ବାହାରିବାରୁ ପ୍ରକଳ୍ପଟି ବନ୍ଦ କରିଦିଆଯାଇଥିଲା । ଦୀର୍ଘବର୍ଷ ଅଚଳ ହୋଇପଡ଼ିବାପରେ ଗତ ଦୁଇ ବର୍ଷତଳେ ତୃତୀୟଥର ପାଇଁ ଆଉ ଏକ ସ୍ଥାନରେ ବୋରିଂ କରାଯାଇଥିଲା । ପରେ ଜଡ଼ତିରା ପଞ୍ଚାୟତ ମାଧ୍ୟମରେ ଜଳଯୋଗାଣ ପାଇପଗୁଡ଼ିକୁ ମରାମତି କରାଗଲା । ଅପରପକ୍ଷରେ ଅଦ୍ୟାବଧି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇନାହିଁ ଯାହାଫଳରେ ଏହି ପାନୀୟ ଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ବନ୍ଧବାଟି ଓ ପଞ୍ଚେଇ ରାଜସ୍ୱ ଗ୍ରାମର ସହଶ୍ରାଧିକ ଜନସାଧାରଣ ଜଳକଷ୍ଟରେ ଆଉଟୁ ପାଉଟୁ ହେଉଛନ୍ତି । ତେବେ କେଉଁ ଅଧିକାରୀଙ୍କୁ ଗୁହାରି କଲେ ସେମାନଙ୍କର ଏହି କଷ୍ଟ ଲାଘବ ହେବବୋଲି ଆଲୋଚନା ହେଉଛି ।

error: Thank You Keep Visiting