ଜୁନ ୭ରେ ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ

Straight to the Point

ଚାଲିଛି ବରପିତା ଓ କନ୍ୟାପିତା ଚୟନ ପ୍ରକ୍ରିୟା, ବୈଦିକ ରୀତିନୀତିରେ ହେବ ବିବାହ

ଭଦ୍ରକ: ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆସନ୍ତା ଜୁନ ୭ରେ ବୈଦିକ ରୀତିନୀତି ଅନୁଯାୟୀ ହେବ ଶିବବିବାହ ଉତ୍ସବ । ଏହି ବିବାହ ଉତ୍ସବ ସମ୍ପୁର୍ଣ୍ଣ ଲୋକାଚାରରେ ଅନୁଷ୍ଠିତ ହେବ । ଏଥିପାଇଁ ପବିତ୍ର ଅକ୍ଷୟତୃତୀୟା ତିଥିରେ ଦିନବାର ଠିକ୍ ହେବା ପରେ ସେବାକାରୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ବରପିତା ଓ କନ୍ୟାପିତା ନିମନ୍ତେ ଚୟନ ପ୍ରକ୍ରିୟା । ଅନ୍ୟପଟେ ଏହି ବିବାହ ଉତ୍ସବରେ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ମେ ୧୫ ଅର୍ଥାତ ବୁଧବାରଦିନ ପ୍ରସ୍ତୁତି ବୈଠକ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ମନ୍ଦିରର ସେବାୟତଙ୍କ ସହ ଜିଲା ପ୍ରସାସନ, ମନ୍ଦିର ପ୍ରଶାସନ, ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଓ ପୁଲିସ ବିଭାଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବିବାହ ଉତ୍ସବରେ ବରପିତା ଓ କନ୍ୟାପିତା ଚୟନ ହେବା ପରେ ଲଗ୍ନ ଚିଟାଉ ନିମନ୍ତେ ଜ୍ୟୋତିଷଙ୍କ ପକ୍ଷରୁ ଦିନ ଧାର୍ଯ୍ୟ କରାଯିବ ବୋଲି ମନ୍ଦିରର ସେବାୟତମାନେ ପ୍ରକାଶ କରିଛନ୍ତି । ବିଶେଷକରି ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ ଏହି ପୀଠରେ ପ୍ରସିଦ୍ଧ ପର୍ବ ହୋଇଥିବାରୁ ରାଜ୍ୟର ବିଭିନ୍ନ ଜିଲାରୁ ପାରମ୍ପରିକ ବାଦ୍ୟ , ସଂକିର୍ତ୍ତନ ମଣ୍ଡଳୀ ଓ ନୃତ୍ୟଶିଳ୍ପି ଯୋଗ ଦେଇଥାନ୍ତି । ତାହାସହ ବରଧରା ଗମନ ଓ ବରାନୁଗମନ ଶୋଭାଯାତ୍ରା ଦେଖିବା ପାଇଁ ପୀଠରେ ଅଗଣିତ ଭକ୍ତଙ୍କ ଭିଡ ଲାଗିଥାଏ । ଚଳିତବର୍ଷ ବିବାହ ଉତ୍ସବକୁ ମହା ଆଡମ୍ବର ସହ ପାଳନ ନିମନ୍ତେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଛନ୍ତି ।

error: Thank You Keep Visiting