ଆଗକୁ ଆସୁଛି ମୌସୁମୀ ବର୍ଷା; ନିମ୍ନମାନର ଡ୍ରେନ କଂକ୍ରିଟ୍ ନିର୍ମାଣ ଅଧପନ୍ତରିଆ, ମନୁଷ୍ୟାକୃତ ବନ୍ୟାରେ ଉବୁଟୁବ ହେବ ଭଦ୍ରକ ସହର

Straight to the Point

ଭଦ୍ରକ: ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆଉ ମାତ୍ର ୧୫ ଦିନ ପରେ ମୌସୁମୀ ଆସିବ । ହେଲେ ଆଜି ସୁଦ୍ଦା ସହରରେ ଡ୍ରେନ ୍ନିର୍ମାଣ କାମ ସରିଲା ନାହିଁ । ଗତବର୍ଷ ଭଦ୍ରକ ସହରକୁ ଜଳମୁକ୍ତ ରଖିବା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ଭଦ୍ରକ ସହରାଞ୍ଚଳର ୫ ଗୋଟି ଗୁରୁତ୍ୱପୂର୍ଣ୍ଣ ନାଳର କଂକ୍ରିଟ୍ କରଣ ଲାଗି ୫ କୋଟି ୨୩ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଏହି ଅର୍ଥ ମିଳିବା ପରେ ଗତବର୍ଷ ମଇମାସ ଠାରୁ ସହରରେ ଆରମ୍ଭ ହୋଇଥିଲା । ନାଳ କଂକ୍ରିଟ୍କରଣ କାର୍ଯ୍ୟ ଆରମ୍ଭ ହେବାର ଇତିମଧ୍ୟରେ ବର୍ଷାଧିକ କାଳ ବିତିଲାଣି ହେଲେ ସହରରେ ନାଳ କଂକ୍ରିଟ୍କରଣ କାର୍ଯ୍ୟ ୫୦ ଭାଗ ମଧ୍ ସଂପୂର୍ଣ୍ଣ ହୋଇନଥିବା ଜଣାପଡିଛି । ସେହିଭଳି ନିମ୍ନମାନର କାମ ଯୋଗୁଁ ଯେତିକି କାମ ହୋଇଛି ସେଥିରେ ସଠିକ୍ ଜଳ ନିଷ୍କାସନ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ମହତାବ ଛକଠାରୁ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଦେଇ ନିର୍ମାଣ ହୋଇଥିବା ନାଳ ଇତିମଧ୍ୟରେ କାର୍ଯ୍ୟକ୍ଷମ ହେବା ପୂର୍ବରୁ ମାଟି ଦ୍ୱାରା ପୋତି ହୋଇ ଅକାମୀ ହୋଇଗଲାଣି । ଏ ବାବଦ ଅର୍ଥ ସଂପୃକ୍ତ ଠିକାଦାର ମାନେ ଉଠାଇ ନେଲେଣି । ମାତ୍ର କାର୍ଯ୍ୟ ଅଧାପନ୍ତରିଆ ହୋଇ ସେମିତି ପଡିରହିଛି । ଆଗକୁ ବର୍ଷାଦିନ ଆସୁଥିବା ବେଳେ ନାଳ କଂକ୍ରିଟ୍କରଣ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡି ରହିବା ଘଟଣା ଏବେ ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ରାଜ୍ୟ ସରକାରଙ୍କ ଜଳ ନିଷ୍କାସନ କେନାଲ ଉନ୍ନତିକରଣ ଯୋଜନାରେ ଭଦ୍ରକ ସହର ଜଳ ନିଷ୍କାସନ ଲାଗି ଗତ ବର୍ଷ ୫ କୋଟି ୨୩ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଏଥିରେ ଭଦ୍ରକ ସହରରେ ଥିବା ୬ଟି ଗୁରୁତ୍ୱପୂର୍ଣ୍ଣ ନାଳର କଂକ୍ରିଟ୍ କରଣ କାମ ଆରମ୍ଭ ହୋଇଥିଲା । ଏଥିରେ ଏନ୍ଏଚ୍ ୧୬ ଠାରୁ ସାଳନ୍ଦୀ ନଦୀ (ଚାରିଘରିଆ) ଠାରୁ ବନ୍ତ ଛକ) ନେହେରୁ ଷ୍ଟାଡିୟମ୍ ଠାରୁ ବନ୍ତ ଛକ, ଡାହାଣୀ ଗଡିଆ ଠାରୁ ଏନ୍ଏଚ୍ ୧୬, କାଳୀ ମନ୍ଦିର ଠାରୁ ରାଜଘାଟ, ଗବସାହି ଜିଲାପାଳଙ୍କ ବାସଭବନ ଠାରୁ ଏନ୍ଏଚ ୧୬ ଏବଂ ଛପୁଲିଆ ଠାରୁ ଧଳି ପର୍ଯ୍ୟନ୍ତ ମୋଟ ୨ କିମି ୭୧୧ ମିଟର ନାଳର କଂକ୍ରିଟ୍ କରଣ କାମ ରଖାଯାଇଥିଲା । ଚୁକ୍ତିନାମା ଅନୁଯାୟୀ କାର୍ଯ୍ୟାରମ୍ଭ ହେବାର ୧୫ ମାସ ମଧ୍ୟରେ ଏହି କାମ ଚୂଡାନ୍ତ କରିବାକୁ କୁହାଯାଇଥିଲା । ତେବେ କାମ ଆରମ୍ଭ ହେବାହର ଇତିମଧ୍ୟରେ ୧୧ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ନାଳର କଂକ୍ରିଟ୍ କରଣ ଚୂଡାନ୍ତ ହୋଇନଥିବା ବେଳେ ସହରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳ ନିଷ୍କାସନ ନାଳ ଭାବେ ପରିଚିତ ଚାରିଘରିଆ ଠାରୁ ବନ୍ତ ଛକ ନାଳର କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇପାରିନାହିଁ । ସେହିଭଳି ଅଧିକାଂଶ ସ୍ଥାନରେ ନାଳର ଉଚ୍ଚତା ଏବଂ ଏହାର ଜଳ ନିଷ୍କାସନ କ୍ଷମତାକୁ ନେଇ ପ୍ରଶ୍ନ ଉଠିଛି । ଖନନ କରାଯାଇଥିବାର ନାଳର ସମତଳ ଉଚ୍ଚତା ଠିକ୍ ଭାବେ ରଖାଯାଇନଥିବା ହେତୁ ଏତିକିରେ ଜଳ ନିଷ୍କାସନ ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି । କେବଳ ସେତିକି ନୁହେଁ ଅଧିକାଂଶ ଜାଗାରେ କଂକ୍ରିଟ ନାଳ ସକାଶେ ଆବଶ୍ୟକ ମତେ ରଡ ଦିଆଯାଇନଥିବାବେଳେ ଏହାର ସାଇଡ୍ ୱାଲ ଏବଂ ଛାତ ଉପଯୁକ୍ତ ଭାଗମାପରେ କରାଯାଇନଥିବା ଅଭିଯୋଗ ହୋଇଛି । ଦାୟିତ୍ୱରେ ଥିବା ଠିକାଦାର, ଜେଇ ଏବଂ ବିଭାଗୀୟ ଅଧିକାରୀଙ୍କ ସଲା ସୁତୁରାରେ ନିମ୍ନମାନର କାମ କରାଯାଇଥିବା ହେତୁ କଂକ୍ରିଟ୍ ଡ୍ରେନ୍ର ସ୍ଥାୟୀତ୍ୱ ନେଇ ସନ୍ଦେହ ଦେଖାଦେଇଛି । କେବଳ ସେତିକି ନୁହେଁ ଡ୍ରେନ୍ ତିଆରି ଆଳରେ ସଂଯୋଗୀକରଣ ରାସ୍ତାଗୁଡିକୁ ମାସ ମାସ ଧରି କାଟିଦିଆଯିବ ଏବଂ ତୁରନ୍ତ ଏହାର ନିର୍ମାଣ କରାନଯିବା ଯୋଗୁଁ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗବସାହି ଠାରେ ଦୁର୍ଗା ମଣ୍ଡପ ଛକ ନିକଟରେ ଡ୍ରେନ୍ ନିର୍ମାଣ ଆଳରେ ଗତ ପ୍ରାୟ ଏକମାସ ହେବ ଏହାର ସଂଯୋଗୀକରଣ ରାସ୍ତାକୁ କାଟି ଅଲଗା କରିଦିଆଯିବା ଯୋଗୁଁ ଏହି ରାସ୍ତା ଉପରେ ନିର୍ଭରଶୀଳ ସହସ୍ରାଧିକ ଲୋକ, ସ୍କୁଲ କଲେଜ, ଛାତ୍ରଛାତ୍ରୀ ଏବଂ ସରକାରୀ ଅଫିସ୍ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଏଥିନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପି ଜେନାଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ କହିଥିଲେ ଯେ ସମୁଦାୟ କାମ ଉପରେ ବିଭାଗ କଡା ନଜର ରଖିଛୁ ଏବଂ କାମର ସ୍ୱଚ୍ଛତା ପ୍ରତି ଅଧିକ ଯତ୍ନବାନ ରହିଛୁ । ସେହିଭଳି ନିଦ୍ଧାରିତ ସମୟସୀମା ମଧ୍ୟରେ କାମ ନସରିଲେ ମଧ୍ୟ ବର୍ଷାଦିନରେ ଏହି କାମରେ ଆମେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛୁ ।

Leave a Reply

Your email address will not be published. Required fields are marked *

error: Thank You Keep Visiting