ଭଡ଼ାରେ ଲାଗିଛି ଜଳ ପ୍ରକଳ୍ପ ଘର

Straight to the Point

ଭଦ୍ରକ: ଆଜକୁ ୧୫ ବର୍ଷ ତଳେ ଭଣ୍ଡାରିପୋଖରୀ ବ୍ଳକ ଅଂଚଳରେ ପାନୀୟ ଜଳ ଯେଗାଣ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର, ଜଳମଣ୍ଡୁଆ, ନିର୍ଗୁଣ୍ଡି, ଦକ୍ଷିଣବାଡ଼, ସରସଦା,ରାଢ଼ୋ, ମାଳଦା, ନପଙ୍ଗ, ବାଲିପୋଖରୀ, ତେସିଙ୍ଗା, ନାଆମୀ, ଷୋଳମପୁର ସ୍ଥାନ ମାନଙ୍କରେ ପ୍ରାଥମିକ ଭାବେ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଭିତିଭୂମୀ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ପରେ ପରେ ଆହୁରି ଅନେକ ଗୁଡ଼ିଏ ଜାଗାରେ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ହୋଇଛି । ପ୍ରତ୍ୟେକ ପ୍ରକଳ୍ପ ନିର୍ମାଣ ପାଇଁ ପାଖା ପାଖି ୧ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ସଂପୂର୍ଣ୍ଣ ବ୍ଲକ ଅଂଚଳରେ ଏନେଇ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଛି । ଏହା ବାଦ ବଡ଼ ବଡ଼ ଜଳ ଯୋଗାଣ ଟାଙ୍କି ମଧ୍ୟ ନିର୍ମାଣ ହୋଇଥିବା ବେଳେ ବିଗତ ବର୍ଷ ମାନଙ୍କରେ ରକ୍ଷଣା ବେକ୍ଷଣ ପାଇଁ ଏବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି । କେତେ ବେଳେ ପଂଚାୟତ ତ ପୁଣି କେତେବେଳେ ବ୍ଲକ ଏନେଇ ଟଙ୍କା ପାଣିଭଳି ଖର୍ଚ୍ଚ କରିଥିବା ବେଳେ ପ୍ରକଳ୍ପ ନିର୍ମାଣ ପାଇଁ ଅଧିକ ପରିମାଣରେ ବ୍ୟୟ ବରାଦ କରିଛି ଜଳ ଓ ପରିମଳ ବିଭାଗ । ଦୁଃଖର କଥା ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡ଼ିକରୁ ସ୍ଥାନୀୟ ଅଂଚଳର ବାସିନ୍ଦା ଦିନଟିଏ ହେଲେ ପାଣି ପାଇନାହାଁନ୍ତି । କେତେ ବେଳେ ବିଛାଯାଇଥିବା ପାଇପ୍ ଲିକ୍ ତ ଆଉ କେତେ ବେଳେ ନିର୍ମାଣ ହୋଇଥିବା ପାଣି ଟ୍ୟାପ୍ ମାଟିରେ ଲୋଟିପଡ଼ିଛି । ଏହାଛଡ଼ା ବିଦ୍ୟୁତ୍ ଓ ଜଳ ମରିମଳ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଅନେକ ସମୟରେ ନିର୍ମାଣ ଧିନ ପ୍ରକଳ୍ପ ଚାଲିପାରୁନଥିବା ଜଣାପଡ଼ିଛି । ସଂପ୍ରତି ଡ଼ହ ଡ଼ହ ଖରା ହେଉଥିବା ବେଳେ ମଧ୍ୟ ପ୍ରକଳ୍ପ ଗୁଡ଼ିକରୁ ପାଣି ବୁନ୍ଦେ ବାହାରୁ ନାହିଁ । ନିର୍ମାଣ ଧିନ ପ୍ରକଳ୍ପ ଘର ଗୁଡ଼ିକୁ କେତେକ ସ୍ଥାନରେ ଭଡ଼ାରେ ଲଗା ଯାଇଥିବା ବେଳେ ଅନ୍ୟ କେତେକ ଅକାମି ହୋଇଗଲାଣି । ମାଳଦା ଠାରେ ନିର୍ମାଣଧିନ ପ୍ରକଳ୍ପ ଘରେ ଇଲେଟ୍ରିକ ଠିକାଦାର କର୍ମଚାରୀ ମାନେ ମାସ ମାସ ଧରି ରହୁଥିବା ବେଳେ ରାଢ଼ୋ ଠାରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଘରେ ବିଗତ ଦିନରେ ଜୈନିକ ବ୍ୟବସାୟୀ ରହିଥିବା ସୂଚନା ମିଳିଛି । ଏଥିଯୋଗୁ ପ୍ରକଳ୍ପ ଘରର ବିଦ୍ୟୁତ୍ ଭିତିଭୂମି ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଖରାପ ହେଇଯାଉଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି । ଧର୍ମକୁ ଆଖିଠାର ଭଳି ଦାଇତ୍ୱରେ ଥିବା ଯନ୍ତ୍ରୀ ମାନେ ପ୍ରକଳ୍ପ ଚଲାଇବା ପାଇଁ ସରପଂଚଙ୍କ ଠାରୁ ବିଡ଼ିଓଙ୍କ ଯାଏଁ ଧାଁ ଦୌଡ଼ କରୁଥିଲେ ସୁଦ୍ଧା କୌଣସି ଲାଭ ହେଉନାହିଁ । ଏ ବାବଦରେ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଅନେକ ସ୍ଥାନରେ ପ୍ରକଳ୍ପ ଚାଲୁନଥିବା କଥାକୁ ସ୍ୱୀକାର କରିଥିବା ବେଳେ କେଉଁ ପ୍ରକଳ୍ପ ଗୃହରେ କିଏ ରହୁଛି ସେ ଜାଣିନଥିବା କହିଥିଲେ । ଏଥିପ୍ରତି ଉଚ୍ଚପଦସ୍ତ ଅଧିକାରୀ ମାନେ ଦୃଷ୍ଟିଦେବା ନିତ୍ୟନ୍ତ ଜରୁରୀ ହୋଇପଡ଼ିଛି ।

error: Thank You Keep Visiting