ଢେଙ୍କାନାଳ ଜିଲ୍ଲା ବିଜେଡି ତରଫରୁ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା

An Independent Media

ଢେଙ୍କାନାଳ: ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଗତ ଶୁକ୍ରବାର ଦିନ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ସଂନ୍ଧ୍ୟାରେ ଢେଙ୍କାନାଳ ମିନି ଷ୍ଟାଡିୟମ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ନବ ନିର୍ବାଚିତ ସାଂସଦ ମହେଶ ସାହୁ, ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ପରଜଙ୍ଗ ବିଧାୟକ ଡ଼ା. ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ ପାଲ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ ପ୍ରମୁଖ ଉପସ୍ଥିତ ଥିଲେ । ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ନୃତ୍ୟ ଅନୁଷ୍ଠାନ, ସାମାଜିକ ଭିତ୍ତିକ ଅନୁଷ୍ଠାନ, କ୍ଲବ, ଓକିଲ ସଂଘ, ସାମ୍ବାଦିକ ସଂଘ, ଲକ୍ଷ୍ମୀପୂଜା ପ୍ରତିଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ମହିଳା ବିଜେଡି, ଜିଲ୍ଲା ଛାତ୍ର ବିଜେଡି, ଯୁବ ବିଜେଡି, ଲିଗାଲ ସେଲ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା । ଏହାପରେ ନବ ନିର୍ବାଚିତ ଜନ ପ୍ରତିନିଧିମାନେ ନିର୍ବାଚନ ସମ୍ପର୍କୀତ ଅନୁଭୁତି ବର୍ଣ୍ଣନା କରିଥିଲେ । ନିଜ ନିଜ ଅଞ୍ଚଳରେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଢେଙ୍କାନାଳ ନଗର ବିଜେଡି ସଭାପତି ଇନ୍ଦ୍ରମଣି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ । ଢେଙ୍କାନାଳ ଜିଲ୍ଲା ଦାୟୀତ୍ୱରେ ଥିବା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟ, ସଦସ୍ୟା, ବିଭିନ୍ନ ପଞ୍ଚାୟତ ସମିତି ଅଧ୍ୟୟ, ଅଧ୍ୟାପକ, ବହୁ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ବିଜେଡିର ବିଭିନ୍ନ ନେତୃବୃନ୍ଦ, ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପ୍ରଥମେ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଏକ ବିରାଟ ମଟର ସାଇକେଲ ରାଲିରେ ଢେଙ୍କାନାଳ କଲେଜ ବାଇପାସ ଛକରୁ ବାଜି ଚୌକ ପର୍ଯ୍ୟନ୍ତ ନିଆ ଯାଇଥିଲା । ବାଜି ଚୌକରେ ସହୀଦ୍ ବାଜିରାଉତଙ୍କ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ପ୍ରତିନିଧି ମାନେ ପୁନଶ୍ଚ ଶଭାସ୍ଥଳ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଫେରିଥିଲେ ।

error: Thank You Keep Visiting