ଭଙ୍ଗା ଚାଳଘରେ ଦିନ କାଟୁଛନ୍ତି ଛଅ ପ୍ରାଣୀ :ଆବାସ ଯୋଜନା ସାତସପନ

An Independent Media

ତିର୍ତ୍ତୋଲ: ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସରକାର ପ୍ରଣୟନ କରୁଛନ୍ତି ଯୋଜନା ପରେ ଯୋଜନା । ପ୍ରଶାସନିକ ଅବହେଳାରୁ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରୁ ହେଉଛନ୍ତି ବଞ୍ଚିତ । ଯାହାର ନଗ୍ନ ନମୁନା ଦେଖିବାକୁ ମିଳିଛି ଅନେକ ପରିବାର ମଧ୍ୟରୁ ତିର୍ତ୍ତୋଲ ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଅଶୋକ ମନ୍ତ୍ରୀଙ୍କ ଛଅ ପ୍ରାଣୀ କୁଟୁମ୍ବ ଏବେ ଭଙ୍ଗା ଚାଳ ଘରେ ଦିନର ବର୍ଷା, ଖରା ଓ ରାତିର ଶୀତ କାକରକୁ ପାଥେୟ କରି ଦିନ କାଟୁଥିବା ଦେଖିବାକୁ ମିଳିଛି । ବିପିଏଲ ପରିବାର ଭୂକ୍ତ ହୋଇ ମଧ୍ୟ ଏଯାଏ ତାଙ୍କୁ ମିଳିପାରିନି ସରକାରୀ ଯୋଜନାର ସହାୟତା, ନା ମିଳିଛି ପ୍ରଧାନମନ୍ତ୍ରୀ ଆବାସ, ନା ମିଳିଛି ବିଜୁ ପକ୍କାଘର । ଭଙ୍ଗା ନୁଆଣିଆ ଚାଳଘରେ ଗୋଟିଏ ବଖରାରେ ଦିନ କାଟୁ ଛନ୍ତି ଛଅ ପ୍ରାଣୀ । ଅଶୋକ ମନ୍ତ୍ରୀ ଓ ତାଙ୍କ ପତ୍ନୀ ନମିତାଙ୍କ ସହିତ ଦୁଇ ସାବାଳିକା ଓ ଦୁଇ ନାବାଳିକା ପିଲା । ଏହି ନୁଆଁଣିଆ ଚାଳଘରେ ଚଳପ୍ରଚଳ ହେବା ଦୃଶ୍ୟ ହୃଦୟ ବିଦାରକ । ଛଅ ପ୍ରାଣିଙ୍କ ପେଟର ଭାତ, ପିନ୍ଧା ବସ୍ତ୍ର ଯୋଗାଡ଼ ପାଇଁ ପରିବାରର ଏକ ମାତ୍ର ପୁରୁଷ ସଦସ୍ୟଭାବେ ଅଶୋକ ସୁଦୁର ପଶ୍ମିମବଙ୍ଗ ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡ଼େ । ପକ୍କା ଘର ଖଣ୍ଡେ କରିବା ଏହି ପରିବାର ପାଇଁ ସାତସପନ ପାଲଟିଥିବାବେଳେ ଅଶୋକଙ୍କ ପତ୍ନୀ ନମିତା ଏକାଧିକ ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୁଅନ୍ତି । ଏହି ଗରିବ ପରିବାରର ନିବେଦନ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରାକୁ ଏଯାଏଁ ଭାଙ୍ଗିପାରିନାହିଁ । ସାମାଜିକ ଓ ଅର୍ଥନୈତିକ ସର୍ଭେ ତାଲିକାରେ ଅଶୋକ ପରିବାରର ନାମ ଥାଇ ମଧ୍ୟ କ’ଣ ପାଇଁ ଆବାସ ଯୋଜନା ସହାୟତା ମିଳିପାରୁ ନାହିଁ ବୋଲି ଗଣମାଧ୍ୟମ ଆଗରେ ଅଶୋକଙ୍କ ପତ୍ନୀ କୋହଭରା କଣ୍ଠରେ ପ୍ରକାଶ କରୁଥିବାବେଳେ ବର୍ଷାର ଆଗମନ ସହିତ ଏହି ପରିବାର ନୁଆଁଣିଆ ଭଙ୍ଗା ଚାଳଘରେ କିଭଳି ଦିନ କାଟିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଚ୍ଚ ଗତ୍ତୃପକ୍ଷ ଏହି ପରିବାର ପ୍ରତି ଦୃଷ୍ଟି ଦେଇ ଆବାସ ସହାୟତା ଯୋଜନା ଯୋଗାଇଦେଲେ ସରକାରଙ୍କର “ସମସ୍ତଙ୍କ ସାଥିରେ , ବିକାଶ ପଥରେ” ସାର୍ଥକ ହେବବୋଲି ମତପ୍ରକାଶ ପାଇଛି ।

error: Thank You Keep Visiting