ଧାମରାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର

Straight to the Point
ମନ୍ତେଇନଦୀରେ ପୋଲ ଶେଷ ହେବା ନେଇ ଅନିଶ୍ଚିତତା,ପୋଲର ଶେଷ ନକ୍ସା କରିବାକୁ ଠିକାଦାର ଙ୍କ ଅକଲ ଗୁଡୁମ ; ୧୦କୋଟି ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ କାର୍ଯ୍ୟ ଅଧା,ଠିକା କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଭଦ୍ରକ: ଧାମରା ଅଂଚଳବାସୀଙ୍କୁ ସରକାର ଦିନ ପରେ ଦିନ ଗଡେଇ ୪ବର୍ଷ ବିତାଇଥିଲେ ମଧ୍ୟ ବାଂଶଡା ଠାରେ ମନ୍ତେଇ ନଦୀ ଉପରେ ନିର୍ମାଣଧୀନ ସେତୁ କେବେ ଶେଷ ହେବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି ।୨୦୧୪ ମସିହା ସୁଦ୍ଧା ୧୪ଥର ଟେଣ୍ଡର ବାତିଲ ହୋଇଥିବା ବେଳେ ୨୦୧୫ ମସିହାରେ ୧୫ତମ ଟେଣ୍ଡରରେ ଏହି ସେତୁ ଟର୍ଣ କି ଭିତିରେ ୨୦କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ସିଙ୍ଗଲା କନଷ୍ଟ୍ରକଶନ କମ୍ପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଥିଲେ । ୨୦୧୫ ମସିହାରେ ଏହୁ ସେତୁ ନିର୍ମାଣ ଆରମ୍ଭ ହେବାର କିଛି ଦିନ ମଧ୍ୟରେ ନକ୍ସା ଭୁଲ ହୋଇଥିବାରୁ ନଦୀ ମଧ୍ୟରେ ନିର୍ମାଣଧୀନ ଥିବା ୨ଟି ଖୁମ୍ବ ମଧ୍ୟରୁ ଗୋଟିଏ ଖୁମ୍ବ ଗଡି ପଡିଥିଲା ।

ଆଜକୁ ଦୀର୍ଘ ୪ବର୍ଷ ବିତିଯାଇଥିଲେ ମଧ୍ୟ ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀ ରାଜ୍ୟ ସରକାରଙ୍କ (ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗକୁ)ଦୋଷ ଦେଇ ଚାଲିଥିବା ବେଳେ ,ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଆର୍ନ୍ତଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ଉପରକୁ ଦୋଷ ଗଡାଇ ଗଡାଇ ଚାଲିଛନ୍ତି । ଫଳରେ ଧାମରା ଅଂଚଳବାସୀଙ୍କ ଆଶା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି ।ଏହି ପୋଲ ନିର୍ମାଣ ହୋଇଥିଲେ ଏହି ଅଂଚଳବାସୀଙ୍କୁ କେନ୍ଦ୍ରାପଡା,ଭଦ୍ରକ ଏବଂ କଟକକୁ ସଡକ ପରିବହନରେ କମ ରାସ୍ତା ଅତିକ୍ରମ କରିବାକୁ ପଡିଥାନ୍ତା ।

ଏହି ପୋଲ ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ନଚେତ ମାର୍ଚ ୨୦୨୦ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ଅଧିକାରୀ ମତ ରଖିଛନ୍ତି । ଆଜି ପର୍ଯ୍ୟନ୍ତ ଏହି ପୋଲର ନକ୍ସା ଦିନକୁ ଦିନ ବଦଳିବାରେ ଲାଗିଛି । ଏହି ନକ୍ସା ବଦଳିବା ସହ ଏହି ନକ୍ସା ଆପ୍ରୁଭାଲ ପାଇଁ ରାସ୍ତା ଏବଂ ଗୃହ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଦିଲ୍ଲୀ ଠାରେ ଅବସ୍ଥାପିତ କେନ୍ଦ୍ର ସରକାରଙ୍କ ଆର୍ନ୍ତଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥାର ଅନୁମତି ଦରକାର ପଡୁଛି । ଏହି ପୋଲର ଶେଷ ନକ୍ସା ଆଜି ପର୍ଯ୍ୟନ୍ତ ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀ ଠିକ ଭାବରେ ନିର୍ମାଣ କରି ରାସ୍ତା ଗୃହ ବିଭାଗକୁ ଦେବାକୁ ସଫଳ ହୋଇ ପାରି ନାହିଁ ବୋଲି ମଧ୍ୟ ବିଭାଗୀୟ ଅଧିକାରୀ ମତ ରଖିଛନ୍ତି । କେଉଁ ପରିସ୍ଥିତିରେ ଏହି ପୋଲ ନିର୍ମାଣ କରୁଥିବା ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀ କାହିଁକି ଶେଷ ନକ୍ସାର ସ୍କେଚ ମ୍ୟାପ ନିର୍ମାଣ କରି ହସ୍ତାନ୍ତରିତ କରୁନାହିଁ ତାହା ର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ହୋଇ ପଡିଛି । ୧୨୦ ମିଟର ଲମ୍ବ ଏହି ପୋଲର ୨ପଟରେ ପାଦଚଲା ଲୋକଙ୍କ ପାଇଁ ୫୦ମିଟର ଲମ୍ବର ୨ଟି ବକ୍ସ କଲଭର୍ଟ ହେବ । ୪ଟି ଖୁମ୍ବ ଉପରେ ହେଉଥିବା ପୋଲର ୨ ପାଶ୍ୱର୍ରେ ଢଳେଇ ପଡି ସାରିଛି ।

ଏହି ଢଳେଇରୁ ଆରମ୍ଭ ହେବାକୁ ଥିବା ଆପ୍ରୋଚିଂ ରୋଡ ପାଇଁ ଦରକାର ପଡୁଥିବା ଜମି ମଧ୍ୟ ଇତି ମଧ୍ୟରେ ବିଭାଗ ର ହସ୍ତଗତ ହୋଇ ସାରିଛି,ମାତ୍ର ନଦୀ ମଧ୍ୟରେ ଥିବା ୨ଟି ଖୁମ୍ବ ଉପରେ ୫୦ ମିଟର ଲମ୍ବର ଢଳେଇ ପଡିବାକୁ ପଡିବାକୁ ବାକିଥିବା ବେଳେ ଏହାର ନକ୍ସା ଆଜି ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତରିତ କରାଯାଇ ନାହିଁ ଫଳରେ ଏହି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ସେ ନେଇ କଳ୍ପନା ଜଳ୍ପନା ଚାଲିଛି ।ଏହି ୫୦ ମିଟର ଲମ୍ବର ଢଳେଇ ଏବଂ ବକ୍ସ କଲଭର୍ଟ ନକ୍ସା ଦିନକୁ ଦିନ ବଦଳୁଛି ,ବିଭାଗୀୟ ଅଧିକାରୀ ଙ୍କ ମତରେ ଏହି ଢଳେଇର ଲମ୍ବ ବେଶି ହେଉଥିବାରୁ ଏହା ପ୍ରଥମେ ଷ୍ଟିଲ ଫ୍ରେମ ହେବ ଏବଂ ଏହି ଷ୍ଟିଲ ଫ୍ରେମ ଉପରେ ଢଳେଇ ହେବ ଯାହା ଫଳରେ ଏହି ପୋଲ ଅଧିକ ଭାରସାମ୍ୟ ରଖି ପାରିବା ସହ ଅଧିକ ଓଜନର ଗାଡି ଏହି ପୋଲ ଉପରେ ଯାତାୟତ କରି ପାରିବ ।

ଭଦ୍ରକ ଠାରେ ଅବସ୍ଥାପିତ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ଏହି କାର୍ଯ୍ୟ ଆସନ୍ତା ଡିସେମ୍ବର ମାସ ନଚେତ ମାର୍ଚ ୨୦୨୦ ସୁଦ୍ଧା ଶେଷ ହେବ ବୋଲି ଆଶାବାଦୀ ଥିବା ବେଳେ ପୋଲର ଅର୍ଦ୍ଧାଧିକ କାର୍ଯ୍ୟ ବାକି ରହିଛି ଏବଂ ବ୍ୟୟ ଅଟକଳରୁ ଅର୍ଦ୍ଧେକ (୧୦କୋଟି)ଟଙ୍କା ଠିକାସଂସ୍ଥା ନେଇ ସାରିଥିବା ବେଳେ କିପରି ଏହା ଆଗାମୀ ମାର୍ଚ ସୁଦ୍ଧା ଶେଷ ହେବ ସେ ନେଇ ସ୍ଥାନୀୟ ବୁଦ୍ଧିଜିବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *