ଚାଷ ପାଇଁ ସଜବାଜ- ନଦୀରେ ପାଣିନାହିଁକି କେନାଲ ସଫା ହେଉନାହିଁ

Straight to the Point

ଭଦ୍ରକ: ଅଳ୍ପ ବହୁତ ବର୍ଷା ପରେ ଭଣ୍ଡାରିପୋଖରୀ ବ୍ଲକର ୨୩ ଗୋଟି ପଂଚାୟତ ଅନ୍ତର୍ଗତ ଚାଷ ଜମିରେ ଚଳିତ ବର୍ଷ ଖରିଫ ଧାନ ଚାଷ ପାଇଁ ଚାଷୀ ମାନେ ସଜବାଜ ହେଉଥିବା ବେଳେ ପୁଣି ଜଳାଭାବ ଯୋଗୁ ଚିନ୍ତାରେ ପଡ଼ିଯାଇଛନ୍ତି । ଯେଉଁକିଛି ବର୍ଷା ହୋଇଥିଲା ସେଥିରେ ଧାନ ତଳି ଉତୁରିଯାଇଥିବା ବେଳେ ବେଉଷଣ ସମୟକୁ ପାଣିର ଅଭାବ ଦେଖାଦେଇଛି । ଏପଟେ ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ଜଳେସେଚନ ବିଭାଗ ତରଫରୁ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଜଳ ମହଜୁଦ ରଖାଯାଇନଥିବା ବେଳେ କେନାଲ ଗୁଡ଼ିକୁ ମଧ୍ୟ ସଫା କରାଯାଇନାହିଁ । ବ୍ଲକ ଦେଇ ଯାଇଥିବା ୩ ନମ୍ବର ହାଇଲେବୁଲ କେନାଲ ସହିତ ୮ ଗୋଟି ସହଯୋଗୀ କେନାଲ ଓ ୩୦ ରୁ ଅଧିକ ମାଇନର କେନାଲ ଦ୍ୱାରା ହଜାର ହଜାର ହେକ୍ଟର ଚାଷ ଜମି ଜଳ ପ୍ଳାବିତ ହେଉଥାଏ ।

ଏହାଛଡ଼ା ଶାଳପଡ଼ା କେନାଲ ଡ଼ିଭିଜନ ତରଫରୁ ମଧ୍ୟ ସାଳନିଆ ମୁଖ୍ୟ କେନାଲ ଦ୍ୱାରା ମଞ୍ଜୁରିରୋଡ଼ ଅଂଚଳର ଚାଷ ଜମିକୁ ଜଳ ମାଡ଼ିଥାଏ । ସମସ୍ତ କେନାଲ ଏବେ ସୁଖିଲା ଥିବା ବେଳେ ବର୍ଷା ଯୋଗୁ ମାଟିର ଆଦ୍ରତା ବଢ଼ିଯିବାରୁ ସେଥିରେ କଳମ ଓ ଅନ୍ୟାନ୍ୟ ଛୋଟ ଛୋଟ ଗଛ ଓ ଗୁଳ୍ମ ଲତା ବଢ଼ିବାରେ ଲାଗିଛି । ବିଶେଷକରି ବିରୋଳୀ ମାଇନର, ସିମିଳିଆ, କୁମ୍ଭାରିଆ, ମାଳଦା, ରହଣିଆ,ବଡ଼ କୋଳିପଦୀ ପ୍ରମୁଖ ବଡ଼ ବଡ଼ ମାଇନର ଏବେ ଅପରିସ୍କାର ହୋଇଥିବା ବେଳେ କିଛି ଶାଖା କେନାଲ ମଧ୍ୟ ଗଛ ଲତାରେ ଭର୍ତି ହୋଇଛି ।

ସୁଖିଲା ସମୟରେ ଏଗୁଡ଼ିକୁ ସଫା କରାଯାଉନଥିବା ବେଳେ କେନାଲରେ ପାଣି ଆସିଲେ କିଛି ଠିକାଦାରଙ୍କୁ ଲଗାଇ ବିଭାଗ ତରଫରୁ ଓପର ଠାଉରିଆ ଭାବେ ଦା ଓ କୋଦାଳରେ ଅଳ୍ପ ସଫା କରାଯାଇଥାଏ । ବର୍ତମାନ ସମୟରେ କେନାଲକୁ ସଫା କରିବା ପାଇଁ ଚାଷୀ ମାନେ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଯନ୍ତ୍ରୀ ମାନେ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଏସଂପର୍କରେ ଆଖୁଆପଦା ଜଳ ସଂପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯଥାଶିଘ୍ର କେନାଲ ଗୁଡ଼ିକୁ ସଫା କରାଯିବାର ବ୍ୟବସ୍ଥା କରାଯାଉଛି ।

Leave a Reply

Your email address will not be published. Required fields are marked *