ଭଦ୍ରକ ଜିଲା ହେଲା ସତ,କିନ୍ତୁ ବିକାଶ ଘର ଶୂନ

Straight to the Point

ଭଦ୍ରକ: ଭଦ୍ରକ ଜିଲା ମାନ୍ୟତା ପାଇବା ପରେ ଅନେକ ବିକାଶ ହେବ ବୋଲି ବାସିନ୍ଦାମାନେ ଆଶା ରଖିଥିଲେ । କିନ୍ତୁ ଦଶନ୍ଧି ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ବିକାଶ ହୋଇନାହିଁ । ଜିଲାରେ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗରେ ହେଉ କିମ୍ବା ମେଡିକାଲ କଲେଜ ହସ୍ପିଟାଲ, ଏମ୍ସ ସାଟେଲାଇଟ୍ ହସ୍ପିଟାଲ, କୃଷି ବିଶ୍ୱ ବିଦ୍ୟାଳୟ ଅଥବା ମେରାଇନ୍ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ପ୍ରସଙ୍ଗରେ ହେଉ ସବୁ କ୍ଷେତ୍ରରେ ଜିଲାବାସୀ ପ୍ରତାରିତ ହୋଇଛନ୍ତି । ପାରିପାଶ୍ୱର୍ିକ ଅବସ୍ଥିତି ଏବଂ ସୁଦୃଢ ଭିତ୍ତିଭୂମି ଥାଇ ମଧ୍ୟ ଜିଲାବାସୀ ସୁଯୋଗରୁ ବଂଚିତ ହୋଇଛନ୍ତି । ରାଜନୈତିକ ପ୍ରତାରଣା ଯୋଗୁଁ ହେଉ ଅଥବା ଜନ ପ୍ରତିନିଧିଙ୍କର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ହେଉ ଗୋଟିଏ ପରେ ଗୋଟିଏ ସୁଯୋଗ ହାତଛଡା ହୋଇଛି । ଫଳରେ ଦଶନ୍ଧି ଦଶନ୍ଧି ଧରି ବିକାଶକୁ ସ୍ଥାନୀୟ ବାସିନ୍ଦାମାନେ ଚାତକ ଭଳି ଚାହିଁ ରହିଛନ୍ତି ।

ସୁଦୃଢ ଭିତ୍ତିଭୂମି ଏବଂ ପାରିପାଶ୍ୱର୍ିକ ଅବସ୍ଥିତିକୁ ନେଇ ଏକଦା ଭଦ୍ରକର ଅନ୍ୟତମ ବରପୁତ୍ର ସ୍ୱର୍ଗତ ଡ. ହରେକୃଷ୍ଣ ମହତାବ ବିଶ୍ୱଭାରତୀୟ ଢାଞ୍ଚାରେ ଭଦ୍ରକରେ ପଲ୍ଲୀ ଭାରତୀ ବିଶ୍ୱ ବିଦ୍ୟାଳୟର ସ୍ୱପ୍ନ ଦେଖିଥିଲେ । ହେଲେ ବିଶ୍ୱ ବିଦ୍ୟାଳୟ ହେବା ଦୂରେ ଥାଉ ଆଜି ସୁଦ୍ଧା ରାଜ୍ୟର ଅନ୍ୟତମ ସର୍ବପୁରାତନ ଭଦ୍ରକ ମହାବିଦ୍ୟାଳୟକୁ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିଲା ନାହିଁ । ସେହିଭଳି ପ୍ରାୟ ୨୦ ଲୋକ ବସବାସ କରୁଥିବା ଭଦ୍ରକ ଜିଲାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ମେଡିକାଲ କଲେଜ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲାବାସୀଙ୍କ ପକ୍ଷରୁ ଜୋରଦାର ଦାବି ଉଠିଥିଲା । ଏପରିକି ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଥିଲା । ହେଲେ ରାଜନୈତିକ ଅସହଯୋଗ ଏବଂ ସ୍ଥାଣୁତା ଯୋଗୁଁ ଜିଲାବାସୀଙ୍କ ସ୍ୱର ନିଷ୍କ୍ରିୟ ହୋଇ ପଡିଥିଲା । ମେଡିକାଲ କଲେଜ ପ୍ରତିଷ୍ଠା ପଛକୁ ଥାଉ ଜିଲା ମାନ୍ୟତା ପାଇବା ଆଗରୁ ଜିଲାରେ ରହିଥିବା ସବ୍ଡିଭିଜ୍ନାଲ ହସ୍ପିଟାଲକୁ ଆଜି ସୁଦ୍ଧା ଜିଲା ହସ୍ପିଟାଲର ମାନ୍ୟତା ମିଳିଲା ନାହିଁ । ପୂର୍ବରୁ ଆଉଟ୍ଡୋରରେ ଦୈନିକ ୩ ଶହରୁ ୪ ଶହ ଏବଂ ଇନ୍ଡୋରରେ ଶହେ ପାଖାପାଖି ରୋଗୀ ଆସୁଥିବା ବେଳେ ଏବେ ଆଉଟ୍ଡୋରରେ ଦୈନିକ ୧୨ ଶହରୁ ୧୪ ଶହ ଏବଂ ଇନ୍ଡୋରରେ ତିନି ଶହରୁ ଚାରିଶହ ରୋଗୀ ଆସୁଛନ୍ତି ।

ଡାକ୍ତରଖାନାରେ ଡାକ୍ତର ଏବଂ ଶଯ୍ୟା ଅଭାବ ଯୋଗୁଁ ଲୋକଙ୍କୁ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନାର ସହାୟତା ନେବାକୁ ପଡୁଛି । ଜିଲାର ପ୍ରାୟ ୮୦ ଭାଗ ଲୋକଙ୍କର ଜୀବନ ଜୀବିକା କୃଷି ଉପରେ ନିର୍ଭରଶୀଳ ଥିଲେ ମଧ୍ୟ କୃଷିଭିତ୍ତିକ ଶିକ୍ଷାର ପ୍ରସାର ନେଇ ଅନୁରୂପ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ପାରିନାହିଁ । ଜିଲାର ରାଣୀତାଲ ଠାରେ ଓୟୁଏଟି ଅଧୀନରେ ୧୦୦ ଏକରରୁ ଉଦ୍ଧ୍ୱର୍ ଜମି ଉପରେ ରହିଛି ବିଶାଳ କୃଷି ଗବେଷଣା କେନ୍ଦ୍ର । ବିଶେଷକରି ଲୁଣା ପ୍ରବଣ ଅଂଚଳରେ ଧାନଚାଷର ଉତ୍କୃଷ୍ଟତା ପ୍ରତିପାଦନ ଲାଗି ଭଦ୍ରକ-ଚାନ୍ଦବାଲି ରାସ୍ତାର ମତୋ ଠାରେ ମଧ୍ୟ ଓୟୁଏଟି ଅଧୀନରେ ଅନୁରୂପ ଶହେ ଏକରରୁ ଉଦ୍ଧ୍ୱର୍ ବିସ୍ତୃତ କୃଷି ଫାର୍ମ ରହିଛି । କୃଷି ଗବେଷଣା କ୍ଷେତ୍ରରେ ଜିଲାରେ ରହିଥିବା ଏହି ସୁଦୃଢ ଭିତ୍ତିଭୂମିକୁ ଆଖିରେ ରଖି ଜିଲାବାସୀଙ୍କ ପକ୍ଷରୁ ଏବେ ଜିଲାରେ ଉତ୍ତର ଓଡ଼ିଶା କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦାବି ଜୋର ଧରିଛି ।

ଭଦ୍ରକ ଜିଲାରେ ଏହି କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେଲେ କେବଳ ଭଦ୍ରକ ଜିଲା ନୁହେଁ ପରନ୍ତୁ ଉତ୍ତର ଓଡ଼ିଶାର ବାଲେଶ୍ୱର, କେନ୍ଦୁଝର, ମୟୂରଭଂଜ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲାର କୃଷିର ବିକାଶ ସହିତ ବହୁ ମେଧାବୀ ଛାତ୍ରଙ୍କୁ କୃଷିଭିତ୍ତିକ ଉଚ୍ଚତର ଶିକ୍ଷା ସୁବିଧା ମିଳିପାରିବ । ସେହିଭଳି ସମୁଦ୍ର କୂଳରେ ଅବସ୍ଥିତି ଏବଂ ଧାମରା ଉପକୂଳରେ ବୃହତ ଧାମରା ବନ୍ଦର ସହିତ ପ୍ରତିରକ୍ଷା ବିଭାଗର ହୁଇଲର (ଅବଦୁଲ କଲାମ) ଆଇଲ୍ୟାଣ୍ଡ, ଚାନ୍ଦବାଲି ଠାରେ ଅନ୍ତର୍ଦେଶୀୟ ଜଳ ପରିବହନ ସଂସ୍ଥା, ନାବିକ ପ୍ରଶିକ୍ଷଣ ସଂସ୍ଥାନ ରହିଥିବା ଦୃଷ୍ଟିରୁ ଏହି ଉପକୂଳରେ ସାମୁଦ୍ରିକ ଗବେଷଣା ଲାଗି ଏକ ମେରାଇନ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ଭଦ୍ରକ ଜୟ ପ୍ରକାଶ ବିଚାର ମଂଚର ସଭାପତି ଲକ୍ଷ୍ମୀ ନାରାୟଣ ମହାପାତ୍ର ଏଥିପାଇଁ ଜିଲାର ଜନ ପ୍ରତିନିଧିଙ୍କ ସହଯୋଗ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *