ଦିଲିପ୍ ବିଲ୍ଡକନ କମ୍ପାନୀର ଶ୍ରମିକ ଛଟେଇ ପ୍ରତିବାଦରେ ବୈଠକ; ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ହେବ

Straight to the Point

ଭଦ୍ରକ: ଭଦ୍ରକ ନଳାଙ୍ଗ ସ୍ଥିତ ରାଜପଥ ନିର୍ମାଣକାରୀ ଠିକାଦାର ସଂସ୍ଥା ଦିଲିପ ବିଲ୍ଡକନ କନ୍ଷ୍ଟ୍ରାକ୍ସନ କମ୍ପାନୀରେ କାର୍ଯ୍ୟରତ ସ୍ଥାନୀୟ ଶ୍ରମିକଙ୍କୁ କାର୍ଯ୍ୟରୁ ଅନ୍ତର କରାଇବା ପ୍ରତିବାଦରେ ଆଜି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ବିଶ୍ୱକର୍ମା ମଜଦୁର ସଂଘର ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ସଂଘର ସଭାପତି ଶାନ୍ତନୁ ମହାପାତ୍ର, ସମ୍ପାଦକ ମନୋଜ ବସନ୍ତରାୟ, ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ସାହୁ, ଜିଲ୍ଲା ସଂଗଠନ ସମ୍ପାଦକ ପରେଶ ନାଥ ଧଳ, ସମାଜସେବୀ କ୍ଷୀରୋଦ ପାଣି ଏବଂ ସ୍ଥାନୀୟ ସମସ୍ତ ଶ୍ରମିକ ଆଲୋଚନାରେ ଭାଗ ନେଇଥିଲେ । ୧୬ ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଦିଲିପ ବିଲ୍ଡକନ କନ୍ଷ୍ଟ୍ରକ୍ସନ କମ୍ପାନୀ ନେଇଛି ।

ଏହି କମ୍ପାନୀ କିଛି ସ୍ଥାନୀୟ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ବେଳେ ବାହାର ରାଜ୍ୟରୁ ମଧ୍ୟ ବହୁ ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ଲଗାଇଛି । ମାତ୍ର ଏହି କମ୍ପାନୀ ବାହାର ଲୋକଙ୍କୁ କାମ ଯୋଗାଉଥିବା ବେଳେ ସ୍ଥାନୀୟ ଶ୍ରମିକଙ୍କୁ କୌଣସି କାରଣ ନ ଥାଇ କାର୍ଯ୍ୟରୁ ଅନ୍ତର କରିଛି । ଏହା ଶ୍ରମ ଆଇନର ଉଲଂଘନ । ଏତଦ୍ବ୍ୟତୀତ କାର୍ଯ୍ୟରତ ଶ୍ରମିକଙ୍କୁ କମ୍ପାନୀ ଶ୍ରମ ଆଇନ ଅନ୍ତର୍ଗତ କୌଣସି ସୁବିଧା ସୁଯୋଗ ପ୍ରଦାନ କରାଯାଉ ନଥିବା ନେଇ ସଂଘ ପକ୍ଷରୁ କମ୍ପାନୀ ନିକଟରେ ବାରମ୍ବାର ଦାବି କରାଯାଇ ଆସୁଥିଲା ।

କମ୍ପାନୀ ଶ୍ରମିକଙ୍କୁ ସୁବିଧା ସୁଯୋଗ ଦେବା ପରିବର୍ତ୍ତେ କାର୍ଯ୍ୟରୁ ଅନ୍ତର କରାଇବାକୁ ସଂଘ ବିରୋଧ କରିଛି । ଯାହା ପାଇଁ ସଂଘ ବାଧ୍ୟ ହୋଇ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛି । କମ୍ପାନୀ ତୁରନ୍ତ ଏହାର ସମାଧାନ ସ୍ୱରୂପ ଅନ୍ତର ହୋଇଥିବା ଶ୍ରମିକଙ୍କୁ ପୁନଃନିଯୁକ୍ତି ନକରେ ତେବେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *