ରେଳ ବଜେଟରେ ଉପକୂଳ ଓଡ଼ିଶା ପ୍ରତି ଅବହେଳା; ଯାଜପୁର ରୋଡ୍-ଧାମରା ରେଳପଥ ନିର୍ମାଣ ପ୍ରସଙ୍ଗ ସ୍ଥାନ ପାଇଲା ନାହିଁ

Straight to the Point

ଭଦ୍ରକ: ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ କେନ୍ଦ୍ର ରେଳ ବଜେଟରେ ଉପକୂଳବାସୀଙ୍କ ବହୁ ପ୍ରତିକ୍ଷିତ ଯାଜପୁର ରୋଡ-ଧାମରା ରେଳପଥ ନିର୍ମାଣ ପ୍ରସଙ୍ଗ ସ୍ଥାନ ପାଇଲା ନାହିଁ । ଯାହାକୁ ନେଇ ଉଭୟ ଭଦ୍ରକ ଏବଂ ଯାଜପୁର ଜିଲାର ପ୍ରାୟ ୩୩ ଲକ୍ଷ ଲୋକ କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥିନେଇ ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ ନକଲେ ଯାଜପୁର ରୋଡ୍-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏଥିନେଇ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତ ୪ ବର୍ଷ ତଳେ ପୂର୍ବ ତଟ ରେଳବାଇ ପକ୍ଷରୁ ଯାଜପୁର ରୋଡ୍ ଠାରୁ ଯାଜପୁର ଟାଉନ୍, ମଙ୍ଗଳପୁର ଏବଂ ଆରଡି ଦେଇ ଧାମରା ବନ୍ଦର ପର୍ଯ୍ୟନ୍ତ ୯୫.୯୫ କିମି ଦୀର୍ଘ ବିଶିଷ୍ଟ ଏହି ରେଳପଥର ସର୍ବକ୍ଷେଣ କରାଯାଇଥିଲା । ପ୍ରାଥମିକ ଅଟକଳ ଅନୁଯାୟୀ ଏହି ରେଳପଥ ସକାଶେ ୯୯୫ କୋଟି ଟଙ୍କାର ଏକ ବ୍ୟୟ ଅଟକଳ ଚିଠା ପ୍ରସ୍ତୁତ କରାଯାଇ କେନ୍ଦ୍ରୀୟ ରେଳବୋର୍ଡ ନିକଟରେ ରେଳପଥ ନିର୍ମାଣ ସକାଶେ ପ୍ରସ୍ତାବ ରଖାଯାଇଥିଲା । ଏହି ରେଳପଥ ନିର୍ମାଣ ହେଲେ ପ୍ରଥମ ପର୍ଯ୍ୟାୟରେ ରେଳବାଇକୁ ୩୧ ପ୍ରତିଶତ ଲାଭାଂଶ ମିଳିବା ସୁନିଶ୍ଚିତ କରାଯାଇଥିଲା । ହେଲେ ଗତ ରେଳ ବଜେଟରେ ଏହା ସ୍ଥାନିତ ହେଲା ନାହିଁ । ଯାହାକୁ ନେଇ ଗତବର୍ଷ ସଂଗ୍ରାମ ସମିତି ପକ୍ଷରୁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯିବା ସହିତ ଦୁଇ ଜିଲାବ୍ୟାପୀ ସଭା ଶୋଭାଯାତ୍ରା ଏବଂ ଶେଷରେ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ଆଗରେ ଧାରଣା ଦିଆଯାଇଥିଲା । ଆଶା କରାଯାଉଥିଲା ଚଳିତବର୍ଷ ରେଳ ବଜେଟରେ ଏହି ରେଳପଥ ସ୍ଥାନ ପାଇବ । ହେଲେ ତାହା ହୋଇନାହିଁ ।

ପୂର୍ବବର୍ଷ ଭଳି ଚଳିତବର୍ଷର ରେଳ ବଜେଟରେ ଏହି ରେଳପଥକୁ ଉପେକ୍ଷା କରାଯାଇଛି । ଭଦ୍ରକ ଏବଂ ଯାଜପୁର ଜିଲା ସହିତ ପଡୋଶୀ କେନ୍ଦୁଝର ଜିଲାର ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବେ ବିବେଚନା କରାଯାଇଥିବା ଏହି ରେଳପଥ ନିର୍ମାଣ ହେଲେ ବାଣିଜ୍ୟ ପରିବହନ ଏବଂ ପର୍ଯ୍ୟଟନ ଶିଳ୍ପର ଅଭୂତପୂର୍ବ ବିକାଶ ସାଧିତ ହୋଇପାରିବ । ଯାଜପୁର ଜିଲାର ପ୍ରଦିଦ୍ଧ ବିରଜା କ୍ଷେତ୍ର, ଆରଡିର ଆଖଣ୍ଡଳମଣି ପୀଠ, ଧାମରାର ମା’ ଧାମରାଈ ଏବଂ ବିଶ୍ୱ ପ୍ରସିଦ୍ଧ ଧାମରା ବନ୍ଦର ସହିତ ଯାଜପୁର ଜିଲାର କଳିଙ୍ଗ ଶିଳ୍ପ ନଗରୀ, ଯାଜପୁର ଓ କେନ୍ଦୁଝର ଜିଲାର କ୍ରୋମାଇଟ୍, ନିକେଲ, ଲୁହାପଥର ଓ ମାଙ୍ଗାନିଜ ଖଣି, ଅନୁଗୁଳ ଜିଲାର ନାଲକୋ ଏବଂ ତାଳଚେରର କୋଇଲା ଏବଂ ସାର କାରଖାନା ପ୍ରଭୃତି ସଂଯୋଜିତ ହୋଇପାରିବ । ତା ଛଡା ପ୍ରତିରକ୍ଷା ଦୃଷ୍ଟିକୋଣଣୁ ଧାମରା ଉପକୂଳରେ ରହିଥିବା ଦେଶର ମିଶାଇଲ୍ ପରୀକ୍ଷଣ କେନ୍ଦ୍ର ହୁଇଲର ଆଇଲ୍ୟାଣ୍ଡ ସକାଶେ ଏହି ରେଳପଥର ଯଥେଷ୍ଟ ଗୁରୁତ୍ୱ ରହିଛି । ସେହିଭଳି ଗମନାଗମନ କ୍ଷେତ୍ରରେ ଏହି ରେଳପଥ ଭଦ୍ରକ ଏବଂ ଯାଜପୁର ଜିଲାବାସୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରିବ ।

ଏସବୁ ସତ୍ୱେ କେନ୍ଦ୍ର ରେଳବଜେଟରେ ଏହି ରେଳପଥର ପ୍ରତି କ୍ରମାଗତ ଅବହେଳା ଉଭୟ ଜିଲାର ଜିଲାବାସୀଙ୍କୁ ମର୍ମାହତ କରିଛି । ଯାହାକୁ ନେଇ ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏକ ବଡ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଥିବା କଥା ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସ, ସଦସ୍ୟ ପ୍ରଫୁଲ୍ଲ ନାୟକ, ଡା. ନିର୍ମଳ ରଥ, ଗଣେଶ ସାହୁ, ଦିଗମ୍ବର ସାହୁ, ବାସୁଦେବ ଏବଂ ବି ମୋହନ ପ୍ରମୁଖ ପ୍ରକାଶ କରିଛନ୍ତି । ସବୁଠାରୁ ବଡ କଥା ହେଲା ଭଦ୍ରକ ଏବଂ ଯାଜପୁର ଜିଲାବାସୀଙ୍କ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିକାଶର ଏଇ ମାଇଲଖୁଣ୍ଟ ଭାବେ ବିବେଚିତ ହେଉଥିବା ଏହି ରେଳପଥର ନିର୍ମାଣ ନେଇ ସଂସଦ ଭବନରେ ଭଦ୍ରକ ଅଥବା ଯାଜପୁର ଜିଲାର କୌଣସି ସାଂସଦ ମୁହଁ ନଖୋଲିବା ଘଟଣା ଉଭୟ ଜିଲାବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି ।

error: Thank You Keep Visiting