ଜିଲା ମୁଖ୍ୟ ଚିକିତ୍ସାଳୟ ପାଲଟିଛି ନର୍କକୁଣ୍ଡ, ନିର୍ମାଣ କାର୍ଯ୍ୟ ଶୂନ; ଜିଲାବାସୀଙ୍କ ମେଡିକାଲ କଲେଜ ସ୍ୱପ୍ନ ସାକାର ହେବା ତ!

An Independent Media

ଭଦ୍ରକ: ଭଦ୍ରକ ଜିଲା ହେବାର ଇତିମଧ୍ୟରେ ୨୬ ବର୍ଷ ବିତିଲା, ହେଲେ ଜିଲାରେ ମେଡିକାଲ କଲେଜ ହସ୍ପିଟାଲ ପ୍ରତିଷ୍ଠା ଦୂରକୁ ଥାଉ ଆଜି ସୁଦ୍ଧା ଜିଲା ହସ୍ପିଟାଲ ପ୍ରତିଷ୍ଠା ହୋଇପାରିଲା ନାହିଁ । ପାଗ ଭିଡୁ ଭିଡୁ କଚିରୀ ବରଖାସ୍ତ ହେଲା ଭଳି ଜିଲା ହସ୍ପିଟାଲ ପାଇଁ ପ୍ରଶାସନ ପାଗ ଭିଡୁ ଭିଡୁ ହସ୍ପିଟାଲ ପ୍ରତିଷ୍ଠା ପ୍ରସଙ୍ଗରୁ କେନ୍ଦ୍ର (ଏନ୍ଆରଏଚଏମ) ଓହରିଗଲା । ଫଳରେ ରାଜ୍ୟ ସରକାରଙ୍କ ଅନୁଦାନରେ ଏବେ ଜିଲା ହସ୍ପିଟାଲ ନିର୍ମାଣ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ । ତେଣେ ହସ୍ପିଟାଲ ନିର୍ମାଣ ସକାଶେ ଆବଶ୍ୟକ ପାଣ୍ଠି ନଥିବାରୁ ଏବେ ବିଭିନ୍ନ ଆଳ ଦେଖାଇ ନିର୍ମାଣ ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ସରକାର । ଯାହାକୁ ନେଇ ଏବେ ଜିଲାବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆବଶ୍ୟକତାକୁ ଆଖିରେ ରଖି ଗତ ୨୦୧୨ ମସିହାରେ କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (ଏନ୍ଆରଏଚ୍ଏମ) ପକ୍ଷରୁ ଭଦ୍ରକ ଜିଲା ସହିତ ରାଜ୍ୟର ୯ଟି ଜିଲାରେ ଅତ୍ୟାଧୁନିକ ଡିଏଚ୍ଏଚ୍ ପ୍ରତିଷ୍ଠା କରିବାକୁ ଘୋଷଣା କରି ଏଥିପାଇଁ ଆବଶ୍ୟକ ସର୍ବନିମ୍ନ ୧୦ ଏକର ଜମି ଯୋଗାଇ ଦେବାକୁ କହିଥିଲେ ।

ହେଲେ ରାଜନୈତିକ ଅପାରଗତା ଏବଂ ଜିଲା ପ୍ରଶାସନର ଅଦୂରଦର୍ଶିତା ଯୋଗୁଁ ଭଦ୍ରକ ଜିଲା ପ୍ରଶାସନ ସରକାରଙ୍କୁ ତୁରନ୍ତ ଏହି ଜମି ଯୋଗାଇଦେବାରେ ବିଫଳ ହୋଇଥିଲେ । ଫଳରେ ଭଦ୍ରକ ଜିଲାକୁ ସୁଯୋଗରୁ ହାତ ଧୋଇବାକୁ ପଡିଥିଲା । ତେବେ ଏହି ଘଟଣାର ପ୍ରାୟ ଦୁଇବର୍ଷ ପରେ ଜିଲା ପ୍ରଶାସନ ଡିଏଚ୍ଏଚ୍ ସକାଶେ ଜାଗା ଯୋଗାଡ କରି ସରକାରଙ୍କୁ ରିପୋର୍ଟ କଲାବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ତତ୍କାଳୀନ ଏନ୍ଆରଏଚ୍ଏମ ଏହି ବାବଦକୁ ଫଣ୍ଡିଂ ବନ୍ଦ କରିଦେଇଥିବାବେଳେ ରାଜ୍ୟ ସରକାରଙ୍କ ନିକଟରେ ପଡି ରହିଥିଲା ଡିଏଚ୍ଏଚ୍ ନିର୍ମାଣ ପ୍ରସଙ୍ଗ । ପରେ ଏନ୍ଏଚ୍ଏମ୍ ପକ୍ଷରୁ ଭଦ୍ରକ ଜିଲାରେ ୨୨ କୋଟି ଟଙ୍କା ବ୍ୟୟରେ ଶହେ ଶଯ୍ୟା ବିଶିଷ୍ଟ ଏକ ମଦର ଚାଇଲ୍ଡ ହେଲ୍ଥ (ଏମ୍ସିଏଚ), ଜିଲା ଔଷଧ ଭଣ୍ଡାର ପାଇଁ ୧ କୋଟି ୪୫ ଲକ୍ଷ ଏବଂ ଜିଲା ଭେକସିନ୍ ଷ୍ଟୋର ସକାଶେ ୮୦ ଲକ୍ଷ ଟଙ୍କା ଆଥିକ ମଂଜୁରୀ ଦେଇଥିଲେ ମଧ୍ୟ ଡିଏଚ୍ଏ ନିର୍ମାଣ ପ୍ରସଙ୍ଗରୁ ଓହରି ଯାଇଥିଲେ ।

ଇତିମଧ୍ୟରେ ଏନ୍ଏଚ୍ଏମ୍ ଫଣ୍ଡିରେ ୨୨ କୋଟି ଟଙ୍କା ବ୍ୟୟରେ ଜିଲା ଏମ୍ସିଏଚ୍ ନିର୍ମାଣ ଆରମ୍ଭ ହୋଇଥିବାବେଳେ ଯୋଜନାରେ ଅଟକି ରହିଛି ଜିଲା ହସ୍ପିଟାଲ । ପ୍ରଥମ ଦଫାରେ ଭଦ୍ରକ ପୂର୍ତ୍ତ ବିଭାଗ ପକ୍ଷରୁ ଭଦ୍ରକ ତହସିଲ ଅନ୍ତର୍ଗତ ସାମରାଇପୁର ମୌଜାରେ ଥିବା ୧୦ ଏକର ପରିମିତ ଜମି ଉପରେ ଛଅତଳ ବିଶିଷ୍ଟ ଡିଏଚ୍ଏଚର ଡିପିଆର ଦାଖଲ କରିଥିବାବେଳେ ରାଜ୍ୟ ସରକାର ଏହାର ଉଚ୍ଚତାକୁ ହ୍ରାସ କରି ପଞ୍ଚତାରକା ବିଶିଷ୍ଟ କୋଠାରେ ଡିଏଚ୍ଏଚ୍ ପାଇଁ ସାନି ଡିପିଆର ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ପୂର୍ବ ନକ୍ସାକୁ ପୁଣି ବଦଳ କରାଯାଇ ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପୁଣି ସାନି ଡିପିଆର ପଠାଯାଇଥିବା ବେଳେ ଗତ ପ୍ରାୟ ୬ ମାସ ଧରି ରାଜ୍ୟ ସରକାରଙ୍କ ଅନୁମୋଦନରେ ପଡିରହିଛି ଏହି ପ୍ରସ୍ତାବ । ତେଣେ ଜିଲାବାସୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ହସ୍ପିଟାଲକୁ ୫ ଶହ ବେଡେଡ୍ ହସ୍ପିଟାଲ କରିବାକୁ ଦାବି କରୁଥିବାବେଳେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା କୁହାଯାଉଛି ।

କାରଣ ଜିଲାରେ ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ସକାଶେ ନିହାତି ଭାବେ ଜିଲା ହସ୍ପିଟାଲ ୫ ଶହ ବେଡେଡ୍, ହସ୍ପିଟାଲ ହେବାର ଆବଶ୍ୟକତା ରହିଥିବା ଯୋଗୁଁ ରାଜ୍ୟ ସରକାର ଜାଣିଶୁଣି ଏହାକୁ ୩ ଶହ ବେଡେଡ୍ ହସ୍ପିଟାଲରେ ସମିତି ରଖିବାକୁ ଉଦ୍ୟମ କରୁଛନ୍ତି ବୋଲି ଭଦ୍ରକ ଆଇଏମ୍ଏର ଜିଲା ସଭାପତି ଡା. ହରିହର ନାୟକ ଅଭିଯୋଗ କରିଛନ୍ତି । ତେବେ ଜିଲାରେ ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ହେଉକି ନହେଉ ଜିଲା ହସ୍ପିଟାଲ ନିର୍ମାଣ କ୍ଷେତ୍ରରେ ସରକାରୀ ଉଦାସୀନତା ଜିଲାବାସୀଙ୍କୁ ମର୍ମାହତ କରିଛି ।

error: Thank You Keep Visiting