‘ସୌଭାଗ୍ୟ’ ଯୋଜନା ଦୁର୍ଭାଗ୍ୟରେ ପରିଣତ, ହାତଗୁଞ୍ଜା ନପାଇଲେ ବିଦ୍ୟୁତ୍ ସଂଯୋଗ ମିଳୁନାହିଁ

An Independent Media

ଭଦ୍ରକ: ଭଦ୍ରକ ଜିଲାରେ ସରକାରଙ୍କ ‘ସୌଭାଗ୍ୟ’ ଯୋଜନା ଏବେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଜନସାଧାରଣଙ୍କ ପାଇଁ ଦୁର୍ଭାଗ୍ୟରେ ପରିଣତ ହୋଇଛି । କାହିଁକି ନା ସରକାର ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ନିଃଶୁଳ୍କ ବିଦ୍ୟୁତ୍ ଯୋଗାଣର ବ୍ୟବସ୍ଥା କରିଥିବାବେଳେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଖୁଲମ ଖୋଲା ହାତଗୁଂଜା ମାଗୁଛନ୍ତି । ଫଳରେ ଏହି ଯୋଜନାର ସଫଳତା ଜିଲାରେ ଆକାଶ କଇଁଆଁ ଚିଲିକା ମାଛ ହୋଇଛି । ‘ଭାତ ହାଣ୍ଡିରୁ ଗୋଟାଏ ଚିପିବା’ ସଦୃଶ ଏହି ଜିଲାର ତିହିଡି ବ୍ଲକ୍ ଅଧୀନସ୍ଥ ତଳଦୁମୁକା ଗ୍ରାମବାସୀଙ୍କ ଅବସ୍ଥାରୁ ଏହି ଯୋଜନା କେତେଦୂର ଫଳପ୍ରଦ ହୋଇଛି, ତାହାର ଚାକ୍ଷୁସ ପ୍ରମାଣ ମିଳେ ।

ଏହି ଗ୍ରାମବାସୀଙ୍କ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ପାଖରେ କୌଣସି ଖବର ନଥିବାବେଳେ ଗଣମାଧ୍ୟମ ନିକଟରୁ ତାହା ଜାଣିବା ପରେ ଅଭିଯୋଗ ଆସିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚିରାଚରିତ ଉତ୍ତର ଦେଇଛନ୍ତି ବିଭାଗୀୟ ଅଧିକାରୀ । କେନ୍ଦ୍ର ସରକାରଙ୍କ ‘ସୌଭାଗ୍ୟ’ ନାମକ ଏହି ଯୋଜନା ସଂପର୍କରେ ଯେଉଁ ତଥ୍ୟ ମିଳେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଏପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣରୁ ବଂଚିତ ଥିବେ ସେମାନଙ୍କୁ ବିନା ମୂଲ୍ୟରେ ଏହି ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯିବ ।

ଏପରିକି ସମସ୍ତ ସର୍ବନିମ୍ନ ବିଦ୍ୟୁତ୍ ଉପକରଣ ମଧ୍ୟ ବିନା ମୂଲ୍ୟରେ ମିଳିବ । ମାତ୍ର ତଳଦୁମୁକା ଗ୍ରାମବାସୀମାନେ ଗଣମାଧ୍ୟମକୁ କହିଥିବା ତଥ୍ୟ ଅନୁସାରେ ଏଥିପାଇଁ ସେମାନଙ୍କୁ ସଂପୃକ୍ତ ବିଭାଗୀୟ କର୍ମଚାରୀମାନେ ମାଗୁଛନ୍ତି ହାତଗୁଂଜା । ପ୍ରାପ୍ତ ଖବର ମୂଳେ ଦୁଇ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ୧୦୪ ଜଣଙ୍କୁ ଏପର୍ଯ୍ୟନ୍ତ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ମାତ୍ର ସେମାନଙ୍କୁ ଉକ୍ତ ସେବା କାର୍ଯ୍ୟକ୍ଷମ କରିବା ପାଇଁ ମଗାଯାଉଛି ଲାଞ୍ଚ । ଫଳରେ ବିଜୁଳି ନଥିବାରୁ ଏହି ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢା ଦିଗରେ ବହୁ ସମସ୍ୟା ଦେଖାଯାଉଥିବାବେଳେ ପଂଜିକୃତ ହୋଇଥିବା ଉପଭୋକ୍ତାଙ୍କ ନିକଟରୁ ହାତଗୁଂଜା ନେଇ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ସେବା ମିଳିନାହିଁ ।

କେବଳ ପ୍ରାରମ୍ଭିକ କାର୍ଯ୍ୟ ସାରି ବିଭାଗୀୟ କର୍ମଚାରୀମାନେ ଦେହଛପା ଦେଉଛନ୍ତି । ଅନ୍ୟପଟେ ବିନା ପଂଜିକୃତ ଉପଭୋକ୍ତାଙ୍କ ନିକଟରୁ ମୋଟା ଅଙ୍କର ହାତଗୁଂଜା ନେଇ ସଂପୃକ୍ତ କର୍ମଚାରୀମାନେ ସେମାନଙ୍କୁ ସଂଗେ ସଂଗେ ଉକ୍ତ ସେବା ଯୋଗାଇ ଦେଉଛନ୍ତି । ତେବେ ଏ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କିରବାରୁ ଅର୍ଥ ଦାବି କରିବା ଘଟଣା ଉଚିତ୍ ନୁହେଁ ବୋଲି ସେ ସ୍ୱୀକାର କରିବା ସହ ଏ ଦିଗରେ କୌଣସି ଅଭିଯୋଗ ପାଇନଥିବାର ସଫେଇ ଦେଇଛନ୍ତି । ଏବଂ ଅଭିଯୋଗ ଆସିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ।

error: Thank You Keep Visiting