ତିହିଡି ମଦମୃତ୍ୟୁ ମାମଲାରେ ଖୁଲାସା,ମିଥାଇଲ୍ ଆଲକୋହଲ ମୃତ୍ୟୁର କାରଣ

An Independent Media

ଭଦ୍ରକ: ଭଦ୍ରକ ଜିଲା ତିହିଡି ମଦମୃତ୍ୟୁ ମାମଲାରେ ରାଜ୍ୟ ଫରେନସିକ୍ ଲାବ୍ରୋଟାରୀ ବଡ ଖୁଲାସା କରିଛନ୍ତି । ମୃତ୍ୟୁବରଣ କରିଥିବା ୭ ଜଣ ଲୋକଙ୍କ ମଧ୍ୟରୁ ୫ ଜଣଙ୍କ ଠାରେ ସେମାନେ ପିଇଥିବା ମଦରେ ବିଷାକ୍ତ ମିଥାଇଲ୍ ଆଲକହଲ ରହିଥିବା ଜଣାପଡିଛି । ସାଧାରଣତ ମଦରେ ଇଥାଇଲ୍ ଆଲକହଲ ରହୁଥିବାବେଳେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୫ ଜଣଙ୍କ ଠାରେ ମାରାତ୍ମକ ମିଥାଇଲ୍ ଆଲକହଲ ରହିଥିଲା । ଏହି ଘଟଣାର ଖୁଲାସା ହେବା ପରେ ମାମଲାର ଆରଡିସି ତଦନ୍ତ ଆରମ୍ଭ ହୋଇଛି ।

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଭଦ୍ରକ ସିଡିଏମ୍ଓ ଡା. ପ୍ରଦୀପ ଖୁଣ୍ଟିଆଙ୍କ ସମେତ ଏକ ଦୁଇଜଣିଆ ଟିମ୍ଙ୍କୁ କଟକ ଡକାଇ ସେଠାରେ ଏହି ମାମଲାର ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିଛନ୍ତି । ଡା. ଖୁଣ୍ଟିଆଙ୍କ କହିବା ଅନୁଯାୟୀ ତିହିଡି ମଦମୃତ୍ୟୁ ଘଟଣାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥରେ ଜଣେ ଏବଂ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ଅନ୍ୟ ୬ ଜଣଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ଆରଡିସିଙ୍କୁ ଦିଆଯାଇଛି । ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ତିହିଡି ମଦମୃତ୍ୟୁ ମାମଲରେ ତିହିଡି ଅଂଚଳର ୫ ଜଣ ଏବଂ ବାଁଶଡା ଏବଂ ଚାନ୍ଦବାଲି ଅଂଚଳର ୨ ଜଣ ଏହିପରି ମୋଟ ୭ ଜଣଙ୍କ ପିଏମ୍ କରାଯିବା ସହ ସେମାନଙ୍କ ଭିସେରା ପରୀକ୍ଷଣ ପାଇଁ ରାଜ୍ୟ ଫରେନସିକ ଲାବ୍ରୋଟାରୀକୁ ପଠାଯାଇଥିଲା ।

ଗତ ମାସରେ ଲାବ୍ରୋଟାରୀରୁ ୫ ଜଣଙ୍କର କେମିକାଲ ରିପୋର୍ଟ ସହିତ ପିଏମ୍ ରିପୋର୍ଟ ଏବଂ ଅନ୍ୟ ଦୁଇଜତଣଙ୍କର କେବଳ ପିଏମ୍ ରିପୋର୍ଟ ଆସିଥିଲା । ଯେଉଁଥିରେ ୫ ଜଣଙ୍କ ଭିସେରାରେ ମାରାତ୍ମକ ମିଥାଇଲ ଆଲକହଲ ଉପସ୍ଥିତି ଜଣାପଡିଛି । ଏହି ରିପୋର୍ଟରେ ତିହିଡି ଅଂଚଳର ସାଧୁଚରଣ ନାୟକ, ବୁଦ୍ଧିରାମ ଜେନା, ରାମଚନ୍ଦ୍ର ପଢିଆରୀ, ଶଙ୍କର୍ଷଣ ପରିଡା, ଶଙ୍କର୍ଷଣ ଦାସଙ୍କର ପିଏମ୍ ରିପୋର୍ଟ ସହିତ ଫରେନସିକ୍ କେମିକାଲ ରିପୋର୍ଟ ଆସିଥିବାବେଳେ ଅନ୍ୟ ଦୁଇଜଣ ଯଥାକ୍ରମେ ହରିହର ଜେନା ଏବଂ ଦେବେନ୍ଦ୍ରଙ୍କର କେବଳ ପିଏମ୍ ରିପୋର୍ଟ ମିଳିଥିଲା ।

ନିର୍ବାଚନ ପରଦିନ ଅର୍ଥାତ୍ ଗତ ଅପ୍ରେଲ ମାସ ୩୦ ତାରିଖରେ ଭଦ୍ରକ ଜିଲା ତିହିଡି ଅଂଚଳର ଦୌଲତପୁର, ନିମେଇଁସାହି, ଅର୍ଜୁନବିନ୍ଧା, ପୀରହାଟ ଏବଂ ବାଂଶଡା ଅଂଚଳରେ ବିଷାକ୍ତ ମଦ ଖାଇ ୭ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୧୮ ଜଣ ଚିକିତ୍ସିତ ହୋଇଥିଲେ । ତେବେ ପ୍ରାଥମିକ ତଦନ୍ତରେ ଜିଲା ପ୍ରଶାସନ ଏହାକୁ ଫୁଡ ପଏଜନିଂ କହି ପ୍ରସଙ୍ଗ ଏହେଇ ଯାଇଥିବା ବେଳେ ତିହିଡି ପୁଲିସ୍ ପକ୍ଷରୁ ମାମଲାର ଛାନଭିନ୍ କରାଯାଇ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

error: Thank You Keep Visiting