ବରାଳପୋଖରୀର ୪ଟି ୱାର୍ଡର ୩୦ ଭୂମିହୀନଙ୍କ ଦୁଃଖ ବୁଝିବ କିଏ?

An Independent Media
ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ

ଭଦ୍ରକ : ‘ବାବୁ, ମୋ ହେତୁ ହେଲା ଦିନରୁ ମୁଁ ମୋ ଜନ୍ମମାଟି କେଉଁଠି ଜାଣିନାହିଁ । କେବଳ ଏତିକି ଜାଣିଛି ୧୦ ବର୍ଷ ତଳୁ ମରିଥିବା ମୋ ବାପା ଭଦ୍ରକର ଏହି ସହରକୁ ଯୁବକ ଅବସ୍ଥାରେ କାମ କରିବା ପାଇଁ ଆସି ରହିଯାଇଥିଲେ । ଆଉ ଏଇଠି ହିଁ ଘରସଂସାର କରିବା ଭିତରେ ମୁଁ ଜନ୍ମ ହୋଇଥିଲି । ଏବେ ମୁଁ ମୋ ସ୍ତ୍ରୀ ସହ ତିନୋଟି ପିଲାଙ୍କୁ ନେଇ ବାରଓଳି ତେର ଶୁଣ୍ଢିପିଣ୍ଡା ହୋଇ ଜୀବନ ବିତାଉଛି । ଆମ୍ଭେ ଦୁଇପ୍ରାଣୀ ଭୋଟ୍ ଦେଉଛୁ ସତ, ହେଲେ ରହିବା ପାଇଁ ବାସଟିକେ ନାହିଁ । ସରକାର କାଳେ ଭୂମିହୀନଙ୍କୁ ଜମିପଟା ଦେଉଛନ୍ତି, ହେଲେ ଆମ ପାଇଁ ତାହା ସାତ ସପନ । ଆମର କିଏ ଅଛି ଯେ ହାତଗୁଂଜା ଦେଇ ସରକାରୀ କାଗଜ ହାତେଇବ ଯେ ।’

ଏହିଭଳି କଥା ଏ ପ୍ରତିନିଧିକୁ କେବଳ ଗୁନ ମୁଣ୍ଡା ନୁହେଁ, ଭଦ୍ରକ ସହରକୁ ଆସି ଏହାର ପାଣିପବନ ସହ ସନ୍ଧି କରିନେଇଥିବା ବହୁ ନିରାଶ୍ରୟ ଦରିଦ୍ର ପରିବାର ଭୋଟ୍ ଦେବାର ଅଧିକାର ପାଇଥିଲେ ବି ବାସହରା ହୋଇ ଖରା, ବର୍ଷା, ଶୀତ କାକରରେ ଦିନ ବିତାଉଛନ୍ତି । ବିଶେଷକରି ଏହି ସହରର ଚରମ୍ପା ବରାଳପୋଖରୀର ୧, ୨, ୩ ଓ ୪ ନମ୍ବର ୱାର୍ଡରେ ପ୍ରାୟ ୩୦ ରୁ ଅଧିକ ଭୂମିହୀନ ଲୋକ ରହିଛନ୍ତି, ଯେଉଁମାନଙ୍କର ନା ଘର ଅଛି, ନା ବାଡି ଅଛି । ପରଘରେ ସେମାନେ ଭଡାନେଇ ରହୁଛନ୍ତି, ଆଉ କିଛି ଲୋକ ରେଳବାଇ ଜମିରେ ପଲ୍ଲା ମାରି ରହିଆସୁଛନ୍ତି । ଅନେକଙ୍କର ଘର ବୋଲି ହିଁ କିଛି ନାହିଁ । ଆଜି ଯଦି ଘରର ମାଲିକ ଘରୁ ବାହାର କରିଦିଏ, ସେମାନଙ୍କର ମୁଣ୍ଡ ଗୁଂଜିବାକୁ ଜାଗାଟିଏ ବି ନାହିଁ ।

ଯେଉଁମାନେ ଏହିଭଳି ପଲ୍ଲାମାରି ରହୁଛନ୍ତି, ସେମାନଙ୍କର ନା ବିଦ୍ୟୁତ୍ ଲାଇନ୍ ଅଛି, ନା ପାଣିର ସୁବିଧା ଅଛି । ବହୁ ଅସୁବିଧାର ସମ୍ମୁଖୀନ ହୋଇ ସେମାନେ ଗଣ୍ଡେ ଖାଇ ଢୋକେ ପିଇ ଜୀବନ ବଂଚାଇ ଆସୁଛନ୍ତି । ଏମାନଙ୍କ ଭିତରେ ଅନେକ ପରଘରେ ବାସନ ମାଜି ଚଳିଆସୁଥିବାବେଳେ କେତେକ ଶ୍ରମିକ ଓ କୁଲି ଭାବେ ଷ୍ଟେସନରେ ଜୀବିକା ନିର୍ବାହ କରୁଛନ୍ତି । ଏଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନରେ ଏମାନଙ୍କ ପାଇଁ ଖଣ୍ଡିଏ ଲେଖାଏଁ ଜମିପଟା ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ ନବ ନିର୍ବାଚିତ ବିଧାୟକ ସଂଜୀବ ମଲ୍ଲିକ ଓ ଜିଲାପାଳ ଜ୍ଞାନ ଦାସଙ୍କ ନିକଟରେ ନିବେଦନ କରିଛନ୍ତି ।

error: Thank You Keep Visiting