ହଦଗଡ ଜଳଭଣ୍ଡାରରେ କମୁଛି ଜଳସ୍ତର, ଜଳ ଯୋଗାଣକୁ ନେଇ ଅନିଶ୍ଚିତତା

An Independent Media

ଭଦ୍ରକ: ବର୍ଷାଭାବ ଜନିତ ପରିସ୍ଥିତିର ମୁକାବିଲା କରିବାକୁ ଗତ ୧୦ ଦିନ ଧରି ହଦଗଡ ଜଳ ଭଣ୍ଡାରରୁ କ୍ରମାଗତ ଜଳ ଯୋଗାଣ ଯୋଗୁଁ ଏବେ ହଦଗଡ ଜଳ ଭଣ୍ଡାରରେ ଜଳସ୍ତର ଉଦ୍ବେଗ ଜନକ ଭାବେ ହ୍ରାସ ପାଇବାରେ ଲାଗିଛି । ଫଳରେ ଆଗକୁ ଆଉ ଅଧିକ ଦିନ ଧରି ଏହି ଜଳ ଭଣ୍ଡାରରୁ ଜଳ ଯୋଗାଣ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଯଦିବା ଅଦ୍ୟାବଧି ଡ୍ୟାମ୍ କର୍ତ୍ତୃପକ୍ଷ ଏଥିନେଇ କୌଣସି ସୂଚନା ଜାରି କରି ନାହାଁନ୍ତି, ତଥାପି ଡ୍ୟାମ୍ ଜଳଭଣ୍ଡାରରେ ମହଜୁଦ ଜଳର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଶଙ୍କା ସୃଷ୍ଟି ହୋଇଛି ।

ବର୍ଷାଭାବ ସ୍ଥିତିକୁ ଦୃଷ୍ଟିରେ ରଖି ଗତ ୧୫ ତାରିଖ ଠାରୁ ଡ୍ୟାମ୍ରୁ ପ୍ରଥମ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ଜଳ ଯୋଗାଣ ଆରମ୍ଭ ହେବା ବେଳକୁ ଡ୍ୟାମ୍ ଜଳ ଭଣ୍ଡାରରେ ୭୩.୭୭ ମିଟର ଉଚ୍ଚତାରେ ୩୦ ହଜାର ୩୯୧ ହେକ୍ଟର ମିଟର ଉଚ୍ଚତାରେ ୩୦ ହଜାର ୩୯୧ ହେକ୍ଟର ମିଟର ଜଳ ମହଜୁଦ ରହିଥିଲା । ତେବେ ଜଳ ଯୋଗାଣର ୧୦ ଦିନ ପରେ ଅର୍ଥାତ୍ ଚଳିତ ମାସ ୨୪ ତାରିଖ ବେଳକୁ ଏହି ଜଳ ଭଣ୍ଡାରରେ ଏବେ ୭୨ ମିଟର ଉଚ୍ଚତାରେ ପ୍ରାୟ ୨୬ ହଜାର ହେକ୍ଟର ମିଟରରୁ କମ୍ ଜଳ ମହଜୁଦ ରହିଥିବା ଜଣାପଡିଛି । ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ଡ୍ୟାମ୍ରୁ ଦୈନିକ ସେକେଣ୍ଡ ପ୍ରତି ୧୨ ଶହ ଘନଫୁଟ ଜଳ ଛିଡା ହେଉଛି ।

ଏହି ହାରରେ ଆଉ ଅଧିକ ଦିନ ଜଳ ଯୋଗାଣ ଅବ୍ୟାହତ ରହିଲେ ଡ୍ୟାମ୍ ଜଳ ଭଣ୍ଡାରରେ ଜଳ ସଂକଟ ଦେଖାଦେବା ନିଶ୍ଚିତ ମନେ କରାଯାଉଛି । କାରଣ ଖରିଫ ଧାନ ଚାଷ ସକାଶେ ଏହି ଡ୍ୟାମ୍ରୁ ବର୍ଷରେ ଅତିକ୍ରମେ ଦୁଇଥର ଜଳ ଯୋଗାଣ ହୋଇଥାଏ । ପ୍ରଥମ ଜଳ ଯୋଗାଣ ଜୁଲାଇ ମାସ ୧୫ ତାରିଖ ଠାରୁ ଖରିଫ ଧାନଚାଷର ପ୍ରାରମ୍ଭିକ ବେଉଷଣ ସକାଶେ କରାଯାଉଥିବା ବେଳେ ଶେଷ ଜଳ ଯୋଗାଣ ଖରିଫ ଧାନ ଅମଳ ହେବାର ଅନ୍ୟୁନ ଦୁଇମାସ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ମାସରେ କରାଯାଇଥାଏ । ହେଲେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଡ୍ୟାମ୍ ଉପରମୁଣ୍ଡରେ ଅନୁରୂପ ବୃଷ୍ଟିପାତ ଅନୁଭୂତ ହୋଇନଥିବା ଯୋଗୁ ହଦଗଡ ଜଳଭଣ୍ଡାରରେ ଜଳ ସଂକଟ ଅନୁଭୂତ ହୋଇଛି ।

ଗୋଟିଏ ପଟରେ ଡ୍ୟାମ୍ ଜଳଭଣ୍ଡାରରେ ଜଳ ସଂକଟ ଅନ୍ୟ ପଟରେ ଡ୍ୟାମ ଉପର ଏବଂ ତଳ ମୁଣ୍ଡରେ ବର୍ଷାଭାବ ଜନିତ ପରିସ୍ଥିତି ଖରିଫ ଧାନଚାଷକୁ ସଂକଟରେ ପକାଇ ଦେଇଛି । ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଡ୍ୟାମ୍ର ପୂର୍ଣ୍ଣଜଳ ଧାରଣା କ୍ଷମତା ୫୬ ହଜାର ୫ ଶହ ହେକ୍ଟର ମିଟର ହୋଇଥିବା ସ୍ଥଳେ ବର୍ଷାଦିନରେ ଡ୍ୟାମ୍ରେ ଏତେ କମ୍ ପରିମାଣରେ ଜଳ ମହଜୁଦ ରହିବ । ଜଳଭଣ୍ଡାର ଲାଗି ସନ୍ତୋଷ ଜନକ ବୋଲି କୁହାଯାଇପାରିବ ନାହିଁ ।

ଏହାଫଳରେ କେବଳ ଖରିଫ ଚାଷର ବର୍ତ୍ତମାନ ଜଳ ଯୋଗାଣ ନୁହେଁ ପରନ୍ତୁ ଦ୍ୱିତୀୟ ପାଳି ଏବଂ ଆଗାମୀ ରବି ଜଳଯୋଗାଣ ଭୀଷଣ ଭାବେ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ସୂଚନାଯୋଗ୍ୟ ଯେ ହଦଗଡ ଜଳ ଭଣ୍ଡାର ଜରିଆରେ ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାର ପ୍ରାୟ ୯୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥାଏ ।

error: Thank You Keep Visiting