ବୃକ୍ଷ ମନୁଷ୍ୟକୁ ସବୁ ଦିଏ, କିଛି ନିଏ ନାହିଁ:ଜ୍ୟୋତି ମହାସଂଘ ପକ୍ଷରୁ ବୃକ୍ଷରୋପଣ
ଜଗତସିଂହପୁର: ବୃକ୍ଷ ମନୁଷ୍ୟକୁ ସବୁ ଦିଏ କିଛି ନିଏ ନାହିଁ ବୋଲି ରଘୁନାଥପୁର ଜ୍ୟୋତି ମହାସଂଘ ପକ୍ଷରୁ ସାଦେଇପୁର ପଂଚାୟତର ରାଉତ ନୂଆଗାଁ ଗ୍ରାମରେ ଥିବା ପ୍ରସିଦ୍ଧ ଅଗସ୍ତି ମୁନୀ ଆଶ୍ରମରେ ଅନୁଷ୍ଠିତ ବୃକ୍ଷରୋପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରା ଯୋଗଦେଇ ଏହା କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଭିକ ନାରାୟଣ ଯୋଗଦେଇ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିବା ସହିତ ପ୍ରତ୍ୟେକ ମାମାନେ ନିଜର ବାଡି ବଗିଚାରେ ବର୍ଷକୁ ସର୍ବନିମ୍ନ ୫୦ଟି ଗଛ ଲଗାଇ ତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ ।
ଏଥିରେ ରଘୁନାଥପୁର ବ୍ଲକ ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଜ୍ୟୋସ୍ନାରାଣୀ ମଲ୍ଲିକ ପୌରହିତ୍ୟ କରି ବୃକ୍ଷ ମନୁଷ୍ୟ ଠାରୁ ବିଷ ଗ୍ରହଣ କରି ଅମୃତ ପ୍ରଦାନ କରିଥାଏ, ବୃକ୍ଷ ବିନା ମାନବ ଜାତି ଜୀବଜଗତ ବଂଚିପାରିବେ ନାହିଁ ।ଏଣୁ ପ୍ରତ୍ୟେକ ମହିଳା ସ୍ୱଂୟ ସହାୟକ ଦଳର ମାମାନେ ନିଜର ପିଲାଙ୍କୁ ଯେଭଳି ଯତ୍ନ ନେଇ ବଡ କରୁଛନ୍ତି ସେହିଭଳି ବୃକ୍ଷ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମିଶନଶକ୍ତି ସଂଯୋଜିକା କିଷ୍ଣ୍ରା ରାଉତ ଯୋଗଦେଇ ସରକାରଙ୍କର ନୂଆ ନୂଆ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।
ଏଥିରେ ମିଶନଶକ୍ତିର ବ୍ଲକ ସଂଯୋଜିକା ପ୍ରମୋଦିନୀ ଦାସ, ବ୍ଲକ ପ୍ରକଳ୍ପ ସଂଯୋଜିକା ସ୍ନେହପ୍ରିୟା ସ୍ୱାଇଁ ଯୋଗଦେଇ ବୃକ୍ଷର ଉପକାରିତା ଉପରେ କହିଥିଲେ । ଏଥିରେ ଜ୍ୟୋତି ମହାସଂଘର ସଭାପତି ବିଷ୍ଣୁପ୍ରିୟା ଆଚାର୍ଯ୍ୟ, ସମ୍ପାଦିକା ମୃଣମୟୀ ପଣ୍ଡା, କୋଷାଧ୍ୟକ୍ଷ ପ୍ରମୋଦିନୀ ସ୍ୱାଇଁ ଯୋଗଦେଇ ବୃକ୍ଷ ମାନବ ଜାତିର ପରମମିତ୍ର ବୋଲି କହିଥିଲେ । ଏଥିରେ ରଘୁନାଥପୁର ସିଡିପିଓ କାର୍ଯ୍ୟାଳୟର ସମସ୍ତ ସୁପର ଭାଇଜର, ଜ୍ୟୋତିମହାସଂଘର ସମସ୍ତ ସଭ୍ୟା ଓ ସ୍ୱଂୟ ସହାୟକ ଦଳର କର୍ମକର୍ତା ଓ ସଭ୍ୟାମାନେ ଯୋଗଦେଇଥିଲେ । ଆରମ୍ଭରେ ଅଗସ୍ତି ମୁନୀ ଆଶ୍ରମ ପରିସରରେ ସମସ୍ତ ଅତିଥି ଓ ମହିଳାମାନେ ବୃକ୍ଷରୋପଣ କରିଥିଲେ ।