ଚାନ୍ଦବାଲି: ବୈତରଣୀ ସେତୁ ବିପଦପୂର୍ଣ୍ଣ!

An Independent Media
ଭାରିଯାନ ଚଳାଚଳ ବନ୍ଦ ଲାଗି ଜିଲାପାଳଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଚିଠି

ଭଦ୍ରକ: ଚାନ୍ଦବାଲିରୁ କେନ୍ଦ୍ରାପଡା ଜିଲାକୁ ସିଧା ସଂଯୋଗ କରୁଥିବା ବୈତରଣୀ ସେତୁ ଆଉ ଭାରିଯାନ ଚଳାଚଳ ପାଇଁ ନିରାପଦ ନୁହେଁ । ଏକଥା ପୂର୍ତ୍ତ ବିଭାଗ ଜିଲା ପ୍ରଶାସନକୁ ଲେଖିକରି ଜଣାଇଛି । ବିଭାଗର ନିର୍ବାହୀ ଯନ୍ତ୍ରୀ ଗତ୨୪ ତାରିଖରେ ଚିଠି ନଂ୨୬୮୧ ମୂଳେ ଜିଲାପାଳଙ୍କୁ ଏଭଳି ଚିଠି ଲେଖି ଉକ୍ତ ସେତୁ ଉପରେ ଭାରିଯାନ ଚଳାଚଳକୁ ବନ୍ଦ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦର୍ଶାଇଛନ୍ତି । ଏଥିସହିତ ସେତୁର ଆବଶ୍ୟକ ମରାମତି ବାବଦରେ ପୂର୍ତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ବି ଚିଠିରେ ଉଲ୍ଲେଖ ରହିଛି । ସୂଚନାଥାଉକି; ଉକ୍ତ ସେତୁ ଭଦ୍ରକ ଜିଲା ସହିତ କେନ୍ଦ୍ରାପଡା ଜିଲାକୁ ସିଧା ସଂଯୋଗ କରୁଛି । ପୁଣି ଜଗତପୁରରୁ ଆନନ୍ଦପୁର ଯାଏ ନବନିର୍ମିତ ରାଜ୍ୟ ରାଜପଥର ଚାନ୍ଦବାଲି ନିକଟରେ ଏହି ସେତୁ ରହିଛି ।

ନିକଟରେ ରାଜ୍ୟ ରାଜପଥ ନିର୍ମାଣ ଶେଷ ହେବା ପରେ ଭାରିଯାନ ବିଶେଷତଃ ୧୦ ଚକିଆରୁ ୧୬ ଚକିଆ ଯାଏ ମାଲବାହୀ ଟ୍ରକ ଚଳାଚଳ ବୃଦ୍ଧି ପାଇଛି । ସେତୁର ଦୁଇପାଶ୍ୱର୍ର କିଛି ଅଂଶ ଦବି ଯିବାରୁ ସେତୁଟି ଗତ ଦୁଇବର୍ଷରୁ ଅଧିକ କାଳ ହେବ ବିପଦଗ୍ରସ୍ତ ରହିଛି । ଏହାର ମରାମତି ପାଇଁ ବିଭାଗ ପକ୍ଷରୁ ଇତିମଧ୍ୟରେ ଟେଣ୍ଡର ସରିଛି । ପାଖାପାଖି ୫କୋଟି ଟଙ୍କା ନିର୍ମାଣ ବାବଦକୁ ଖର୍ଚ୍ଚ ହେବ । ଇତିମଧ୍ୟରେ ପ୍ଲାନ ଏଷ୍ଟିମେଟ ସରି ଟେଣ୍ଡର ବି ସରିଛି । ‘ପ୍ରେସିନେଟ’ ନାମକ ଏକ ରାଜ୍ୟ ବାହାରର ଠିକାଦାର ସଂସ୍ଥା ସହିତ ଚୁକ୍ତିନାମା ହେବ ବୋଲି ଜଣାପଡିଛି । ଗତ ୨୭ ଜୁନରେ ନିର୍ମାଣ ସୋ÷ଧର ବ୍ରିଜ୍ ଏକ୍ସପର୍ଟ ଡ.ଏନ.ସି.ପାଲ ସେତୁକୁ ଅନୁଧ୍ୟାନ କରି ଫେରିଛନ୍ତି ।

ଆଉ କିଛି ଆନୁଷଙ୍ଗିକ କାଗଜ ପତ୍ର ପ୍ରସ୍ତୁତି ବାକି ଅଛି । ଯାହା ଶେଷ ହେବା ପରେ ସମ୍ପୃକ୍ତ ଠିକା ସଂସ୍ଥା କାର୍ଯ୍ୟ ଆରମ୍ଭ କରିବ ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି । ତେବେ ସେତୁକୁ ନେଇ ଆତଙ୍କର କାରଣ ନଥିଲେ ହେଁ ଭାରିଯାନ ଚଳାଚଳ ବିପଦପୂର୍ଣ୍ଣ ବୋଲି ବିଭାଗ ଦର୍ଶାଯାଇଛି । କାର୍ଯ୍ୟ ଶେଷ ଲାଗି ଅବଧି ୧୨ମାସ ରଖାଯାଇଥିବା ଜଣାଯାଇଛି । ଏହି ସମୟକାଳରେ ସେତୁଟି ସାଧାରଣ ଲୋକ ତଥା ସାଧାରଣ ଗାଡି ମଟର ଚଳାଚଳ ଲାଗି ଉନ୍ମୁକ୍ତ ରହିବ ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି ।

ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ନିର୍ଦ୍ଦର୍ଷ୍ଟ କେତେକ ସମୟରେ ସାମୟିକ ଭାବେ ଗାଡି ଚଳାଚଳ ବନ୍ଦ ରହିବ । ଏବେ ନିର୍ମାଣ ପୂର୍ବରୁ କିନ୍ତୁ ଭାରିଯାନ ଚଳାଚଳ ବିଶେଷତଃ ବଡବଡ ଟ୍ରକ ଚଳାଚଳ ବିପଦ ବୋଲି କୁହାଯାଉଛି । ଏହି କାରଣରୁ ଭାରିଯାନ ଚଳାଚଳ ଉପରେ ଅଙ୍କୁଶ ଲଗାଇବାକୁ ପୂର୍ତ ବିଭାଗ ଜିଲା ପ୍ରଶାସନକୁ ଚିଠି ଲେଖିଛି ।

error: Thank You Keep Visiting