ପ୍ରାସଙ୍ଗିକତା ହରାଉଛି ଶ୍ରମ ଆଇନ୍, ବିପନ୍ନ ହେଉଛି ଶ୍ରମିକଙ୍କ ସାମାଜିକ ସୁରକ୍ଷା

Straight to the Point

ଭଦ୍ରକ: ପ୍ରଚଳିତ ଶ୍ରମ ଆଇନ ଏବେ ପ୍ରାସଙ୍ଗିକତା ହରାଇ ବସିଛି । ଫଳରେ ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ବିଭିନ୍ନ ଶ୍ରମ ସଂଗଠନର ପରିସଂଖ୍ୟାନ ଅନୁଯାୟୀ ଭଦ୍ରକ ଜିଲ୍ଲାରେ ଏହି ସଂଖ୍ୟା ଏବେ ୪ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ଜଣାପଡ଼ିଛି । ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୮୦ହଜାର ଟପିଥିବାବେଳେ, ସମ ପରିମାଣର ଶ୍ରମିକ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି । ଅନୁରୂପ ବିଭିନ୍ନ ଆଉଟ ସୋର୍ସିିଂ ସଂସ୍ଥା, କ୍ଷୁଦ୍ର, ଅଣୁ, ମଧ୍ୟମ ଓ ବୃହତ ଶିଳ୍ପ ସଂସ୍ଥାମାନଙ୍କରେ ମଧ୍ୟ ଲକ୍ଷାଧିକ ଶ୍ରମିକ କାର୍ଯ୍ୟରତ । ତେବେ ଶ୍ରମିକମାନଙ୍କ ପାଇଁ ସ୍ୱାର୍ଥରକ୍ଷା ଲାଗି ସରକାରଙ୍କ ଦ୍ୱାରା ପ୍ରଣୀତ ମୂଳ ଓ ପରବର୍ତ୍ତୀ ସମୟରେ ସଂଶୋଧିତ ଶ୍ରମ ଆଇନ ଏବେ ମୂଲ୍ୟହୀନ ସାବ୍ୟସ୍ତ ହେବାରେ ଲାଗିଛି ।

ଶ୍ରମ ଆଇନ ଅନୁଯାୟୀ ସେମାନଙ୍କ ଦୈନନ୍ଦିନ ସମସ୍ୟା ସହ ସାମାଜିକ ସୁରକ୍ଷା ଦିଗ ପ୍ରତି ଶ୍ରମିକମାନଙ୍କୁ ନିୟୋଜିତ କରୁଥିବା ସଂସ୍ଥାମାନଙ୍କର ମାଲିକ ଯତ୍ନବାନ ହେବା ପରିବର୍ତ୍ତେ ଆଖି ବୁଜି ଦେଉଛନ୍ତି । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମଜୁରୀ, ୮ଘଣ୍ଟାର କାମ, କାର୍ଯ୍ୟ ସମୟରେ ସୁରକ୍ଷା ଉପକରଣ ଯୋଗାଇବା, ଶ୍ରମ କ୍ଷେତ୍ରରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ସେମାନଙ୍କ ଚାକିରୀର ସୁରକ୍ଷା, ସାମାଜିକ ସୁରକ୍ଷା, ଇପିଏଫ, ଇଏସଆଇ ଭଳି ବିଭିନ୍ନ ଦିଗଗୁଡ଼ିକ ପ୍ରତି ସଂପୃକ୍ତ ସଂସ୍ଥାର ମାଲିକମାନେ ସମ୍ପୂର୍ଣ୍ଣ ଉଦାସୀନ ରହୁଛନ୍ତି । ଫଳରେ ଶ୍ରମିକମାନଙ୍କର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ବିଶେଷକରି ବିଭିନ୍ନ ଶ୍ରେଣୀର ଶିଳ୍ପ ସଂସ୍ଥାମାନଙ୍କରେ କାର୍ଯ୍ୟରତ ଶ୍ରମିକମାନଙ୍କର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଏସମସ୍ତ ସଂସ୍ଥାର ମାଲିକମାନେ ନିଜ ମର୍ଜି ମୁତାବକ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇ ଚାଲିବା ସହ ସେମାନଙ୍କୁ ଶୋଷଣ କରିଚାଲିଛନ୍ତି । କର୍ମ ସଂସ୍ଥାନ ହରାଇବା ଭୟରେ ସେମାନେ ମାଲିକଙ୍କ କଥାରେ ହଁ ମାରି ଚାଲିବାକୁ ବାଧ୍ୟ ହେଉଛନ୍ତି । ଏହି ଶିଳ୍ପସଂସ୍ଥାର ମାଲିକମାନେ ସରକାରଙ୍କ ପ୍ରଚଳିତ ଶ୍ରମ ଆଇନକୁ ସେମାନେ ବେଖାତିର କରି ଚାଲିଛନ୍ତି । ଆଉ କେତେକ ମାଲିକ ଶ୍ରମ ଆଇନକୁ ଏଡ଼ାଇ ଯିବା ପାଇଁ ନିୟୋଜିତ ଶ୍ରମିକଙ୍କ ସଂଖ୍ୟା ୨୦ରୁ କମ କରି ଦେଖାଉଛନ୍ତି । ଫଳରେ ଶ୍ରମଜୀବୀମାନଙ୍କର ସାମଜିକ ସୁରକ୍ଷା ବିପନ୍ନ ହେବାରେ ଲାଗିଛି । ତେବେ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଯେଉଁ ଭୂମିକା ରହିବା କଥା ସେତିକି ଦେଖିବାକୁ ମିଳୁନାହିଁ ।

ଅପରପକ୍ଷରେ କେତେକ ଶ୍ରମ ସଂଗଠନ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରୁଥିଲେ ମଧ୍ୟ ଏହା ଶିଳ୍ପ ସଂସ୍ଥାର ମାଲିକଙ୍କ ଉଦାସୀନତାରୁ ସେତେ ପ୍ରଭାବଶାଳୀ ହୋଇ ପାରୁନି । ଇତିମଧ୍ୟରେ ଭଦ୍ରକ ଠାରେ ଦୁଇଟି ଘଟଣାରେ କିପରି ଶ୍ରମିକମାନଙ୍କୁ ନିର୍ଯ୍ୟାତିତ କରାଯାଉଛି ତାହାର ଉଦାହରଣ ଦେଖିବାକୁ ମିଳିଛି । ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ଠିକା ସଂସ୍ଥା କୌଣସି କାରଣ ନ ଦର୍ଶାଇ ୩୦ରୁ ଉଦ୍ଧ୍ୱର୍ ଶ୍ରମିକଙ୍କୁ ଛଟେଇ କରିଥିଲେ । ଏକ ଶ୍ରମ ସଂଗଠନ, ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ତ୍ରିପାକ୍ଷେିକ ବୈଠକ ପରେ ଏହି ସମସ୍ୟାର ଅନ୍ତ ଘଟିବା ସହ ସଂପୃକ୍ତ କମ୍ପାନୀ ଛଟେଇ ଶ୍ରମିକଙ୍କୁ ପୁଣି କାର୍ଯ୍ୟରେ ନିୟୋଜିତ କରିବାକୁ ସମ୍ମତି ପ୍ରକାରଶ କରିଥିଲା ।

ସେହିପରି ଚରମ୍ପା ଠାରେ ଥିବା ଉକ୍ରଳ ଫ୍ଲୋରମିଲରେ କାର୍ଯ୍ୟରତ ୫୦ରୁ ଉଦ୍ଧ୍ୱର୍ ଶ୍ରମିକଙ୍କୁ ବିନା କାରଣରେ ଛଟେଇ କରାଯିବା ଘଟଣାକୁ ନେଇ ମଧ୍ୟ ଏହି ସଂସ୍ଥାରେ ଶ୍ରମିକ ଅସନ୍ତୋଷ ଦେଖା ଦେଇଛି । ଛଟେଇର ଶିକାର ହେଉଥିବା ଶ୍ରମିକ ପ୍ରତିନିଧି, ଭାରତୀୟ ମଜଦୁର ସଂଘ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନେଇ ମିଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲେ ମଧ୍ୟ ଏହି ବୈଠକକୁ ମିଲର ମାଲିକ ନ ଆସିବାରୁ କୌଣସି ସମାଧାନର ସୂତ୍ର ବାହାରି ପାରି ନାହିଁ ।

ତେଣୁ ଆସନ୍ତା ୨ତାରିଖରୁ ଶ୍ରମିକମାନେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନୁରୂପ ବିଭିନ୍ନ ଆଉଟସୋର୍ସିିଂ ସଂସ୍ଥାର ମାଲିକମାନେ ନିୟୋଜିତ କର୍ମଚାରୀଙ୍କ ମନଇଛା ଶୋଷଣ କରିଚାଲିଥିଲେ ମଧ୍ୟ ସେମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଅପରପକ୍ଷରେ ବିଭିନ୍ନ ସଂସ୍ଥାର ମାଲିକମାନେ ଅର୍ଥ ବଳ ପ୍ରଭାବରେ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି ।

error: Thank You Keep Visiting