ସେସୁ ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣା : ୧୨ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସେସୁ ଷ୍ଟାଫଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

An Independent Media

କେନ୍ଦ୍ରାପଡା: ସେସୁ ନିର୍ବାହୀ ଯନ୍ତ୍ରୀ ଅମରଜୀତ ପଟ୍ଟନାୟକଙ୍କ ଉପରେ ଶନିବାରେ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ଘଟଣାର ୪୮ଘଂଟା ପରେବି ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିନଥିବାରୁ ତାହାର ପ୍ରତିବାଦରେ ସୋମବାର କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ କର୍ମଚାରୀମାନଙ୍କ ପକ୍ଷରୁ ଆସନ୍ତା ୧୨ ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନିମନ୍ତେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଘଟଣାରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ହଳଦିଡିହ ଗ୍ରାମର ସେକ ଅବଦୁଲ ଗୋଫ୍ରାନଙ୍କ ପୁଅ ସେକ ଅବଦୁଲ ରିହାନଙ୍କର ସେହି ଥାନା ଅନ୍ତର୍ଗତ ଆଳିଜଙ୍ଗା ଗ୍ରାମରେ ଥିବା ରିହାନ ଆଇସ ପ୍ଲାଂଟକୁ ଯୁଗ୍ମ ତଦନ୍ତ ନିମନ୍ତେ ଶନିବାର କେନ୍ଦ୍ରାପଡା ନଂ-୧ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଅମରଜୀତ ପଟ୍ଟନାୟକଙ୍କ ସହିତ ଏକ ଟିମ ଯାଇଥିଲେ ।

କିନ୍ତୁ ବିଦ୍ୟୁତ ବିଭାଗର ଅଧିକାରୀ ଓ ଷ୍ଟାଫମାନେ ବରଫକଳ ପରିସରରେ ପହଁଚିବା କ୍ଷଣି ମାଲିକ ସେକ ଅବଦୁଲ ରିହାନ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବାକୁ ଆରମ୍ଭ କରିବା ସହ ବରଫକଳ ମଧ୍ୟକୁ ଯିବାକୁ ଦେଇନଥିଲେ । ଏହି ସମୟରେ କେନ୍ଦ୍ରାପଡା ନଂ-୧ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପଟ୍ଟନାୟକ ଯୁଗ୍ମ ତଦନ୍ତ ସମ୍ପର୍କରେ ସେକ ଅବଦୁଲ ରିହାନଙ୍କୁ ବୁଝାଇବାକୁ ଚେଷ୍ଟା କରିବାରେ ରେହାନ ଇଂ ପଟ୍ଟନାୟକଙ୍କୁ ଶକ୍ତ ଚାପୁଡା ଓ ଧକ୍କା ମାରିବାରୁ ସେ ତଳେ ପଡିଯାଇଥିଲେ ।

ଏହାପରେ ସେହି ନିକଟରେ ପଡିଥିବା ଏକ ଲୁହା ରଡରେ ଇଂ ପଟ୍ଟନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ଉଦ୍ୟମ କରିବାରେ ସେଠାରେ ଉପସ୍ଥିତ ବିଦ୍ୟୁତ ବିଭାଗ ଷ୍ଟାଫଙ୍କ ଯୋଗୁ ଏକ ନିଶ୍ଚିତ ଗୁରୁତ୍ତର ମରଣାନ୍ତକ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଇଂ ପଟ୍ଟନାୟକ । ଯୁଗ୍ମ ତଦନ୍ତ ନକରି ସେଠାରୁ ବାଧ୍ୟ ହୋଇ ଫେରି ଆସିଥିଲେ ଇଂ ପଟ୍ଟନାୟକଙ୍କ ସମେତ ସମସ୍ତ ବିଦ୍ୟୁତ ବିଭାଗ ଅଧିକାରୀ ଓ ଷ୍ଟାଫ । ଏ ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ କେନ୍ଦ୍ରାପଡା ନଂ-୧ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପଟ୍ଟନାୟକଙ୍କ ଅଭିଯୋଗକ୍ରମେ ସଦର ଥାନା ପୋଲିସ ୨୦୯/୨୦୧୯ରେ ଆଇପିସିର ଧାରା ୩୪୧,୩୨୩,୨୯୪,୩୫୪,୫୦୬ ଦଫାରେ ସେହିଦିନ ଏକ ମାମଲା ରୁଜୁ କରିଥିଲା ।

କିନ୍ତୁ ସଂପୃକ୍ତ ଅଭିଯୁକ୍ତକୁ ଘଟଣାର ୪୮ଘଂଟା ପରେବି ପୋଲିସ ଗିରଫ ନକରିବାରୁ କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ କର୍ମଚାରୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆସନ୍ତା ୧୨ ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସମସ୍ତ ବିଦ୍ୟୁତ କର୍ମଚାରୀ ଯେକୈାଣସି ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳ ଏସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଏସପିଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

ସେସୁର ଆଳି ଏସଡିଓ ଗନେଶ ଚନ୍ଦ୍ର ହେମ୍ବ୍ରମ,ପଟ୍ଟାମୁଣ୍ଡାଇ ଏସଡିଓ ବିବେକାନନ୍ଦ ପଣ୍ଡା,କେନ୍ଦ୍ରାପଡା ଏସଡିଓ ଶୁଭେନ୍ଦୁ ପ୍ରଧାନ,ରାଜନଗର ଏସଡିଓ କୁଳମଣୀ ସେଠୀ,ଏନଜେନ ପରିଚାଳକ ଦୀପକ ମହାପାତ୍ର,ଆଳିର କନିଷ୍ଠ ଯନ୍ତ୍ରୀ ପ୍ରେମାନନ୍ଦ ବେହୁରା,ସହକାରୀ ପରିଚାଳକ ସୁଜ୍ଞାନ କୁମାର ମାଝି, ଦାନପୁର ସହକାରୀ ପରିଚାଳକ ବସନ୍ତ କୁମାର ପତି,କନିଷ୍ଠ ପରିଚାଳକ ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଶତାଧିକ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

error: Thank You Keep Visiting