ଶାଶୁ ବି ତ ଦିନେ ବୋହୁ ଥିଲେ…!

Straight to the Point

“ବୋହୁର ଭାବନାକୁ ମୁଁ ଯେତିକି ବୁଝିପାରେ ସେତିକି ଆଉ କେହି ବୁଝି ପାରିବେନି । ମୁଁ ବୁଝିବିନି ବା କେମିତି! କାରଣ ଶାଶୁବିତ ଦିନେ ବୋହୁ ଥିଲେ..!’
ଆଜ୍ଞା ହଁ! ଗତ ବିବାହ ଋତୁରେ ମୁଁ ବି ଶାଶୁ ହେଇଛି । ହେଲେ ଦେଖିବାକୁ ଗଲେ ମୁଁ ନିଜର ଚବିଶ ବର୍ଷୀୟ ପୁଅର ବଡ଼ ଭଉଣୀ ପରି ଦେଖାଯାଏ । ଛାଡନ୍ତୁ, ଏବେ ତ ମୋର ପଦୋନ୍ନତି ହେଇଛି ଶାଶୁ ରୂପରେ । ବୋହୁ ହୋଇ ଆସିବା ପରଠାରୁ ମୋ ମୁଣ୍ଡ ଉପରେ ଯେଉଁ ସବୁ କରଜ ଥିଲା ସେସବୁ ପରିଶୋଧ କରିବାର ସମୟ ଏବେ ଆସି ଯାଇଛି । ବନ୍ଧୁ ବାନ୍ଧବ ତଥା ସାଙ୍ଗସାଥୀଙ୍କ ଦୃଷ୍ଟିରେ ମୁଁ ଜଣେ ଶାନ୍ତ ସ୍ୱଭାବର ମହିଳା ଭାବରେ ପରିଚିତ । ଲୋକମାନେ କହୁଛନ୍ତି ଯେ ମୋ ବୋହୁ ନିଶ୍ଚୟ କିଛି ଭଲ କର୍ମ କରିଥିବ ଯେଉଁଥିପାଇଁ ତାକୁ ମୋ ଭଳିଆ ଶାଶୁ ମିଳିପାରିଛି ବୋଲି । କାହିଁକି ବା ନ କହିବେ? ଆଜି ପର୍ଯ୍ୟନ୍ତ ବୋହୁକୁ ମୁଁ ଉଚ୍ଚ ସ୍ୱରରେ ଗାଳି ଦେଇନି! ଇଏ ଅବଶ୍ୟ ଅଲଗା କଥା ଯେ ପୁଅ ଘରକୁ ଆସିବା ମାତ୍ରେ ମୁଁ ଦିନଯାକର ଘଟଣା ବିଷୟରେ ତାକୁ ଅବଗତ କରେଇ ଦିଏ ।
ବୋହୁକୁ ଉପହାରରେ ମିଳିଥିବା ସବୁ ଭଲ ଶାଢ଼ୀକୁ ମୋ ନିଜ ପାଖରେ ରଖି ନେଇଛି । ଆରେ ଭାଇ ଫେଶନ୍ କୁ ତ ବଦଳିବାରେ ସମୟ କେତେ ବା ଲାଗେ! ଏକା ପ୍ରକାର ଫେଶନ୍ର ଏତେ ସବୁ ଶାଢ଼ୀକୁ ନେଇ ସେ କ’ଣ ବା କରିବ? ଏହି ସବୁ ଶାଢ଼ୀ ସବୁ କାଲିକୁ ଦେବା ନେବାରେ ତା’ର ହିଁ କାମରେ ଆସିବ । ସେଥିରେ ପୁଣି ତା’ର ଗହଣାଗାଣ୍ଠି ତଥା ଆମ ତରଫରୁ ତାକୁ ଦିଆ ହୋଇଥିବା ହୀରାର ହାର ସେଟ୍୍, ସେସବୁ ମୋ ପାଖରେ ହିଁ ଅଛି । ଆଜିକାଲି ଚୋର ଖଣ୍ଟଙ୍କର କ’ଣ କିଛି ଠିକଣା ଅଛି? ସେଥିପାଇଁ ତ ତାର ସବୁ ଭାରୀ ଗହଣା ସବୁ ମୁଁ ମୋ ଲକର୍ରେ ରଖି ଦେଇଛି । ହଁ, କେବେ କେବେ ସେ ଗହଣା ଗୁଡ଼ିକୁ ମୁଁ ପିନ୍ଧି ନିଏ । ଆରେ ଭାଇ ସବୁବେଳେ ଚେକ୍ କରିବାକୁ ପଡ଼ିବନା..! କୌଣସି ଗହଣା ଚୋରିତ ହେଇଯାଇନି! ଘରକୁ ବନ୍ଧୁ ବାନ୍ଧବ ଆସିଲେ ବୋହୁ ନିତି ଦିନ ଘରର ସବୁ କାମ କରେ, ସେସବୁ ମୁଁ ତାକୁ କରିବାକୁ ଦିଏନି । ଆପଣମାନେ ଦେଖନ୍ତୁ,ମୋ ପାଇଁ ଝିଅ ଆଉ ବୋହୁ ଦୁହେଁ ସମାନ । ହଁ,ଏଇଟା ଅଲଗା କଥା ଯେ ବୋହୁକୁ କିଛି ରୋଷେଇ କରି ଆସିନି । ଆଉ ଯଦିବା ସେ କିଛି ଖରାପ ରାନ୍ଧିଥାଏ, ତା’ହେଲେ ସେହି ଖାଦ୍ୟକୁ ମୁଁ ଚୁପ୍ଚାପ୍ ମୋ ସମ୍ପର୍କୀୟମାନଙ୍କୁ ଚଖେଇ ଦିଏ । ତୁଛାଟାରେ ବୋହୁ ପ୍ରତି ସେମାନଙ୍କର ଏକ୍ସପେକ୍ଟେସନ୍କୁ ବଢ଼େଇ କି ଲାଭ ମିଳିବ ?
ଏମିତିରେ ଦେଖିବାକୁ ଗଲେ ବୋହୁ ତା ବାପଘରକୁ ବହୁତ କମ ଯାଏ । ହେଲେ ସେ ଯେତେବେଳେ ଯାଏ ତା’ ରୁମ, ତା’ ଆଲମାରୀ, ଲୁଗାପଟା.. ସବୁକିଛି ମୁଁ ନିଜେ ସଫା କରିବା ସହ ସଜାଡିକରି ମଧ୍ୟ ରଖେ । କାରଣ ଶାଶୁ ହିସାବରେ ମୋର ତ ପୁଣି କିଛି ଦାୟିତ୍ୱ ଅଛି କି ନାହିଁ ବୋହୁ ପ୍ରତି । ହେଲେ ଏଇଟା ଅଲଗା କଥା ଯେ ଏସବୁ କଲାବେଳେ ବୋହୁ ପାଖରେ ଆଉ କ’ଣ କ’ଣ ଅଛି ସେ ବିଷୟରେ ଜଣା ପଡ଼ିଯାଏ । ଦେଖିବାକୁ ଗଲେ ଏହା ହିଁ ଠିକ୍ । ଅଚାନକ ପଡୁଥିବା ବିଭିନ୍ନ ପାର୍ଟିଗୁଡ଼ିକରେ ଉପହାର ଦେବା ପାଇଁ ଏହି ଗିଫ୍ଟ ସବୁତ କାମରେ ଆସିବ ନା! ସଞ୍ଜ ସକାଳେ ସତ୍ସଙ୍ଗକୁ ନଗଲେ ମୋତେ ଜମାରୁ ଶାନ୍ତି ମିଳେନି । ଆରେ! ଦେଖିବାକୁ ଗଲେ ସତ୍ସଙ୍ଗର ବହୁତ ଫାଇଦା ଅଛି । ପ୍ରଥମେ ତ ଘଣ୍ଟେ ଦି’ ଘଣ୍ଟା ବିତିଯାଏ ଭଗବାନଙ୍କୁ ଡାକିବାରେ । ଦ୍ୱିତୀୟରେ ସବୁ ସଖୀ ସହେଲୀଙ୍କଠୁ ସେମାନଙ୍କ ବୋହୁମାନଙ୍କ ବିଷୟରେ ତାଜା ଖବର ମିଳିବା ସହ ନୂଆ ନୂଆ ଉପାୟମାନ ମଧ୍ୟ ମିଳିଥାଏ ନିଜ ବୋହୁ ଉପରେ ପ୍ରୟୋଗ କରିବା ପାଇଁ । ଶେଷରେ ତୃତୀୟରେ ଘରେ ପହଞ୍ôଚବା ମାତ୍ରେ ଗରମା ଗରମ ଖାଇବା ଟେବୁଲ ଉପରେ ଥୁଆ ହୋଇଥାଏ ।
ବୋହୁକୁ ମୁଁ କେବେ ଫେଶନେବଲ୍ ଡ୍ରେସ୍ ପିନ୍ଧିବାକୁ ଦେଇନି । ଆରେ! ଆମର ତ ପୁଣି ଗୋଟେ ସଂସ୍କୃତି ଅଛି ନା ନାହିଁ! ଶାଢ଼ୀତ ହେଉଛି ଆମ ଭାରତୀୟ ପରିଧାନ । ତେଣିକି ତାକୁ ପିନ୍ଧି ଦୌଡା ଦୌଡି କରିବା ସମୟରେ ପାଦ ଛନ୍ଦି ହୋଇ ପଡ଼ି ଯାଅ କିଛି ପରବାୟ ନାହିଁ! ମୁଣ୍ଡରେ ଓଢ଼ଣା ଦେବାତ ଆମ ସଭ୍ୟତାର ପରିଚୟ ଦିଏ ।
ବୋହୁ ପଛକେ ଅନ୍ୟ ଜାତିର ହେଇଥାଉ, ପୁଅର ପସନ୍ଦ ତଥା ଲଭ୍ ମ୍ୟାରେଜ୍ ଯୋଗୁଁ ଆସିଥାଉ, କିନ୍ତୁ ରହୁଛିତ ଆମରି ଘରେ ନା! ଶାଶୁ ହୋଇ ମୁଁ ସତରେ ବହୁତ ଖୁସିରେ ଅଛି । ସବୁ ପଡୋଶୀମାନେ ମୋତେ ବହୁତ ମାନନ୍ତି । ବୋହୁ ମଧ୍ୟ ମୋର ସବୁକଥା ମାନେ । ଆଉ କେବେ ମୋ କଥା ନମାନେ, ସେତେବେଳେ ମୋ ଦେହ ଖରାପ ହୋଇଯାଏ । ତା’ପରେ ଇସିଜିର ବିଲ୍, ଡାକ୍ତରଙ୍କ ଔଷଧର ବିଲ୍ ଦେଖି ସେ ମନକୁ ମନ ସବୁ ମାନିଯାଏ ।
ଯୌତୁକ!! ମୁଁ କେବେ ମାଗି ହିଁ ନାହିଁ । ଏ ବୟସରେ ଧନରୂପୀ ମାୟାକୁ ନେଇ ମୁଁ କଣ କରିବି ? ହଁ, ପାଖ ପଡ଼ିଶାରେ ବୋହୁମାନେ ପୂଜା ପର୍ବାଣୀରେ ଶଶୁରଘର ଲେକଙ୍କ ପାଇଁ ଯେଉଁ ସବୁ ଉପହାରମାନ ଆଣନ୍ତି, ସେ କଥା ବୋହୁ କାନରେ ପକେଇ ଦିଏ । ବେଳେ ବେଳେ ନିଜ ପାଖ ପଡ଼ୋଶୀମାନଙ୍କ ବିଷୟରେତ ଖବର ନିହାତି ରଖିବା ଉଚିତ୍ ।
ନିଜ ବୋହୁକୁ କେମିତି ସମ୍ମାନ ଦେବାକୁ ହୁଏ ତାହା କିଏ ମୋଠୁଁ ଶିଖୁ । ତା’ର ପିଏଚଡିର ପାଠପଢ଼ାକୁ ମୁଁ ବନ୍ଦ ହେବାକୁ ଦେଇନି । ତା’ ଛଡା ତାକୁ ଚାକିରି ପାଇଁ ସୁଯୋଗ ମଧ୍ୟ ଦେଇଛି । ବୋହୁ ଚାକିରିଆ ହେବା ସତ୍ତେ୍ୱ ତା’ ପ୍ରତି ମୋ ସ୍ନେହ ମମତାରେ କେବେ ହେଲେ ଉଣା କରିନି । ସନ୍ଧ୍ୟାବେଳେ ବୋହୁ ଆସି ନିଜେ ଅଦାପକା ଚା ସହିତ ଖାଇବା ମଧ୍ୟ ବନାଏ । ଆରେ ଭାଇ, ତା’ ହାତର ଚା’ ବିନା ଖଟରୁ କୋଉ ଉଠି ହୁଏ ଯେ! ଏମିତିକି ବାହାଘର ଆଉ ଅନ୍ୟ ସମାରୋହରେ ବୋହୁ ଯାଇ ଗିଫ୍ଟ ଦେଇ ଆସେ । ହେଲେ ସେଠୁ ମିଳିଥିବା ଗିଫ୍ଟ ସବୁକୁତ ମୁଁ ନିଜ ପାଖରେ ହିଁ ରଖିଥାଏ । ଆରେ ଭାଇ,କାହାକୁ କ’ଣ ଦେବାକୁ ହେବ ସେସବୁ ମୋତେ ହିଁ ତ କରିବାକୁ ପଡ଼ିବ । କେଉଁଠି କ’ଣ ଦେବା ନେବା କରିବାକୁ ହୁଏ, ବିଚାରି ବୋହୁକୁ କ’ଣ ଜଣା ଅଛି ?
ନାରୀ ସଶକ୍ତୀକରଣର ଏ ଯୁଗ । ମୁଁ କିନ୍ତୁ ବୋହୁକୁ କେତେବେଳେ ଇମୋଶନାଲୀ ଦୁର୍ବଳ ହେବାକୁ ଦେଇନି । ସେ ଯେତେବେଳେ କାନ୍ଦେ ମୁଁ ତା’ କାନ୍ଦକୁ ‘କୁମ୍ଭୀର କାନ୍ଦଣା’ ବୋଲି ଭାବି ଧ୍ୟାନ ଦିଏନି । ବାସ୍! ବୋହୁର କାନ୍ଦ ଆପେ ଆପେ ବନ୍ଦ ହୋଇଯାଏ । କାରଣ ତାକୁ ଷ୍ଟ୍ରଙ୍ଗ୍ ବନେଇବାର ଦାୟିତ୍ୱ ମୋର । ଘର, ଅଫିସ୍ ତଥା ଛୁଆଙ୍କ କାମରୁ ବୋହୁୁ ଯେତେବେଳେ ଟିକେ ଫ୍ରି ହୁଏ, ତାକୁ ମୋ ବ୍ଲାଉଜ୍, ଶାଢ଼ୀଫଲ ଆଦି ଧରେଇ ଦିଏ । କାରଣ ‘ସିଲାଇ-କଢ଼ାଇ’ କଳାକୁ ଜୀବିତ ରଖିବା ମଧ୍ୟ ବହୁତ ଜରୁରୀ । ‘ସିଲାଇ-କଢ଼ାଇ’ କଲେ ସିନା କଳାରେ ଦକ୍ଷ ହେବ । ଏଥିରେ ତାକୁ ବ୍ୟସ୍ତ ରଖିବାର ଗୋଟେ ଫାଇଦା ମଧ୍ୟ ଅଛି । ସେ ଫାଇଦାଟା କଣ ଜାଣିଛନ୍ତି ? ଆରେ, ତାକୁ ମେକ୍ଅପ୍ କରିବାକୁ ଆଉ ସମୟ ମିଳିବନି । ସେଇଥି ପାଇଁ ସେ ସାଧାସିଧା ବେଶରେ ରହେ । କଥାରେ ପରା ଅଛି ‘ସରଳତା ହିଁ ସୁନ୍ଦରତାର ମାପକାଠି!’ ଘର ଖର୍ଚ୍ଚ ପାଇଁ ମୁଁ ପୁଅ-ବୋହୂଙ୍କଠୁ ସମାନ ଭାବରେ ଭାଗଟା ନିଏ । ସମାନତାର ଏ ଯୁଗ ଭାଇ! ବହୁତ କୁଶଳତାର ସହ ସେ ଟଙ୍କାକୁ ମୁଁ ଖର୍ଚ୍ଚ କରେ । ବିବାହିତ ତଥା ଅବିବାହିତ ପୁଅକୁ ସମାନ ସମାନ ହାତଖର୍ଚ୍ଚ ଦିଏ । ମୋର ଅନୁଶାସନ, ଦୂରଦୃଷ୍ଟି ଆଉ ସହଯୋଗପୂର୍ଣ୍ଣ ବ୍ୟବହାର ପାଇଁ ହିଁ ଏତେ ପ୍ରସିଦ୍ଧି । ବୋହୁର ଭାବନାକୁ ମୁଁ ଯେତିକି ବୁଝିପାରେ ସେତିକି ଆଉ କେହି ବୁଝି ପାରିବେନି! ମୁଁ ବୁଝିବିନିବା କେମିତି..? ‘କାରଣ ଶାଶୁବିତ ଦିନେ ବୋହୁଥିଲେ..!’

– ମଧୁସ୍ମିତା ପଟ୍ଟନାୟକ
୨୧୭, ୟୁନିଟ-୯(ଫ୍ଲାଟ) ବାୟାବାବା ମଠ ଲେନ, ଭୁବନେଶ୍ୱର-୨୨

error: Thank You Keep Visiting