ସୁନ୍ଦର ସ୍କିନ୍ ପାଇଁ ଲିଚୁ
ସୌନ୍ଦର୍ଯ୍ୟ ବୃଦ୍ଧିରେ ଫଳର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଫଳ କେବଳ ଯେ ଖାଇବା ପାଇଁ ତାହା ନୁହେଁ ଏହାର ବ୍ୟବହାରରେ ସ୍କିନ୍ର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇପାରେ । ବିଭିନ୍ନ ପ୍ରକାର ଫଳକୁ ମାସ୍କ ଓ ଫେସିଆଲ ପାଇଁ ମଧ୍ୟ ବ୍ୟବହାର କରାଯାଉଛି । ଯେପରିକି କଦଳୀ, ପିଜୁଳି, ସେଓ, କମଳା ଚୋପା ଆଦିକୁ ସ୍କିନ୍ ଟୋନ୍ ଏବଂ ଫେସିଆଲରେ ବ୍ୟବହାର କରାଯାଇପାରେ । ସେହିପରି ଏକ ଫଳ ହେଉଛି ଲିଚୁ । ଲିଚୁ କୋଳିର ଜୁସ୍ ସ୍କିନ୍କୁ ଉଜ୍ଜଳ କରିଥାଏ ଏବଂ ସ୍କିନ୍ରୁ ବ୍ରଣ ଓ କଳାଚିହ୍ନ ଲିଭାଇ ଦେଇଥାଏ । ତିନିରୁ ଚାରିଟି ଲିଚୁକୁ ନେଇ ଭଲ ଭାବେ ରସ ବାହାର କରି ଏହାକୁ ଛାଣି ଦିଅନ୍ତୁ । ଏବଂ ଏକ ସଫା କପଡ଼ା ମୁହଁରେ ପକାଇ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ରଖି ଛଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ । ଏମିତି ସପ୍ତାହରେ ତିନିଥର କରନ୍ତୁ ଯାହାଦ୍ୱାରା ସୂର୍ଯ୍ୟଙ୍କର ଅତିବାଇଗଣି ରଶ୍ମି ତ୍ୱଚାରେ କିଛି କ୍ଷତି କରିପାରିବ ନାହିଁ ।
ଅଧା କପ୍ ଲିଚୁ ଜୁସ୍ରେ ଗୋଟେ ଚାମଚ ସୋର୍ କ୍ରିମ୍ ଭଲଭାବେ ମିଶାଇ ଦିଅନ୍ତୁ । ଏହାକୁ ମାସ୍କ ଭାବେ ତ୍ୱଚାରେ ଆପ୍ଲାଏ କରି ୧୦ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ରଖି ଧୋଇ ଦିଅନ୍ତୁ । ଏହା ତ୍ୱଚାରୁ ମୃତ କୋଷଗୁଡ଼ିକୁ କାଢ଼ି ଦେଇଥାଏ । ସେଥିପାଇଁ ଲିଚୁ କୋଳିକୁ ଅନେକ ଫେସ୍ୱାସ୍ରେ ଆକ୍ଟିଭ୍ ଇନଗ୍ରେଡ଼ିଏଣ୍ଟ ଭାବେ ବ୍ୟବହାର କରାଯାଉଛି ।
ଆଞ୍ଜୁଳାଏ ଲିଚୁ କୋଳି ଭଲ ଭାବେ ଗ୍ରାଇଣ୍ଡ କରିଦିଅନ୍ତୁ ଏବଂ ଏଥିରୁ ଦୁଇ ଚାମଚ ଜୁସ୍ କାଢ଼ି ୧୦୦ ମିଲି ଥଣ୍ଡା ରୋଜ୍ ୱାଟରରେ ମିଶାଇ ତୁଳା ସାହାଯ୍ୟରେ ତ୍ୱଚାରେ ଲଗାନ୍ତୁ । ଯେକୌଣସି ତ୍ୱଚା ପାଇଁ ଏହା ହେଉଛି ସବୁଠାରୁ ଭଲ ଟୋନର । ପ୍ରତିଦିନ ଏପରି କଲେ ତ୍ୱଚାରେ ଉଜ୍ଜଳତା ଆସିଥାଏ । ଘରୋଇ ତିଆରି କରାଯାଇଥିବା ଲିଚୁକୋଳିର ପେଷ୍ଟ ୧୫ ଦିନ ପର୍ଯ୍ୟନ୍ତ ରେଫ୍ରିଜେରେଟରରେ ରଖା ଯାଇପାରିବ । ୫-୬ଟି ଲିଚୁକୋଳିରେ ଦୁଇଚାମଚ ମହୁ ମିଶାଇ ଭଲଭାବେ ମିକ୍ସର କରିଦିଅନ୍ତୁ । ଏହି ମିକ୍ସଚରରେ ତିନି ଡ୍ରପ୍ ଉଷୁମପାଣି ମିଶାଇ ତ୍ୱଚାରେ ୧୦ ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରିବେ । ତା’ପରେ କିଛି ସମୟ ରଖି ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ । ସପ୍ତାହରେ ଏହିପରି ତିନିଥର କଲେ ଅତି ସୁନ୍ଦର ଏବଂ ସ୍ୱାସ୍ଥ୍ୟପ୍ରଦ ତ୍ୱଚା ପାଇପାରିବେ । ସେହିପରି ଲିଚୁ କୋଳି ସହିତ ଦୁଗ୍ଧର ମିଶ୍ରଣ ଅତି ଭଲ ଫଳ ଦେଇଥାଏ । ତିନି ଚାମଚ ଲିଚୁକୋଳିରେ ୭ ଚାମଚ କ୍ଷୀର ମିଶାଇ ପ୍ରତିଦିନ ସକାଳେ ଭଲଭାବେ ମୁହଁରେ ମସାଜ୍ କରିଦିଅନ୍ତୁ । ଦେଖିବେ ମୁହଁ ଚକ୍ଚକ୍ କରିବ । ଯେଉଁମାନଙ୍କର ତେଲିଆ ସ୍କିନ୍ ସେମାନେ ଲିଚୁ ସହିତ ଗାଜର ମିଶାଇ ଏକ ଜୁସ୍ ପ୍ରସ୍ତୁତ କରି ମୁହଁରେ ଭଲଭାବେ ମସାଜ୍ କରିଦିଅନ୍ତୁ ଏହା ତ୍ୱଚା ଉପରେ ଅତି ସୁନ୍ଦର ପ୍ରଭାବ ପକାଇଥାଏ । ସୌନ୍ଦର୍ଯ୍ୟ ଚିକିତ୍ସା ପାଇଁ ଲିଚୁକୋଳିର ବ୍ୟବହାର କଲେ କୌଣସି କ୍ରିମ୍ର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ ।