ବିଶ୍ୱରେ ‘ସାତକୋଶିଆ’ ଅର୍ଜିବ ନାଁ

Straight to the Point

ଅନୁଗୋଳ : ମଧ୍ୟପ୍ରଦେଶରୁ ମହାବଳ ବାଘ ଯୋଡା ଆଣି ଦେଶରେ ଇତିହାସ ରଚିଥିବା ସାତକୋଶିଆ ଅଭୟାରଣ୍ୟ ଏବେ ବିଶ୍ୱ ମାନଚିତ୍ରରେ ନୂଆ ନାଁ ଅର୍ଜିବାକୁ କସରତ ଆରମ୍ଭ କରିଛି । ପୃଥିବୀର ଯେଉଁ ହାତଗଣତି କେତୋଟି ମୂଲ୍ୟବାନ ଅଭୟାରଣ୍ୟକୁ “ସଂରକ୍ଷିତ ଜୈବ ମଣ୍ଡଳ” (ବାୟୋସ୍ପିୟର ରିଜର୍ଭ) ର ମାନ୍ୟତା ମିଳିଛି, ସେଥିରେ ସାତକୋଶିଆର ନାଁ ଯୋଡିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ପ୍ରସ୍ତାବ ମାଗିଛନ୍ତି । ପ୍ରସ୍ତାବ କ୍ରମେ ସାତକୋଶିଆ ଅଭୟାରଣ୍ୟ କର୍ତ୍ତୁପକ୍ଷ ପ୍ରସ୍ତୁତି କାମ ଆରମ୍ଭ କରିଛନ୍ତି । ଉଲ୍ଲେଖଯୋଗ୍ୟ ବାୟୋସ୍ପିୟର ରିଜର୍ଭ ୟୁନେସ୍କୋ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମୂଲ୍ୟବାନ ଜଙ୍ଗଲ । ଯାହାର ମାନଦଣ୍ଡ ସ୍ୱତନ୍ତ୍ର । ଯେଉଁ ଜଙ୍ଗଲରେ ସ୍ୱତନ୍ତ୍ର ପ୍ରକାର ଉଦ୍ଭିଦ, ପ୍ରାଣୀଙ୍କ ଆବାସ ଥାଏ, ପରିବେଶ ପାଇଁ ଜଙ୍ଗଲ ଗୁରୁତ୍ୱ ବେଶ୍ ଅଧିକ ଥାଏ ସେଭଳି ଜଙ୍ଗଲକୁ ୟୁନିସ୍କୋ ୱାର୍ଲଡ ନେଟୱାର୍କ ଅଫ୍ ବୟୋସ୍ପିୟର ରିଜର୍ଭରେ ସାମିଲ କରେ । ବିଶ୍ୱର ଏହି ଯୋଜନାକୁ ଭାରତ ୧୯୮୬ ମସିହାରୁ କାର୍ଯ୍ୟକାରୀ କରି ଆସୁଛି । ଇତି ମଧ୍ୟରେ ଦେଶର ୧୮ ଟି ଜଙ୍ଗଲ ସରଂକ୍ଷିତ ଜୈବମଣ୍ଡଳ ମାନ୍ୟତା ହାସଲ କରି ସାରିଲାଣି । ଚଳିତବର୍ଷ ସିକିମ୍ର କାଞ୍ଚନଜଙ୍ଘା ରାଷ୍ଟ୍ରୀୟ ଉଦ୍ୟାନ ଏହି ସୂଚୀରେ ସାମିଲ ହୋଇଥିବା ବେଳେ ଏବେ ଓଡିଶାର ସାତକୋଶିଆ ଅଭୟାରଣ୍ୟକୁ ଏହି ଗୌରବ ଦେବା ପାଇଁ କେନ୍ଦ୍ର ସଚିବ ଗତ ଜୁଲାଇ ୨୮ ତାରିଖରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମାଗିଛନ୍ତି । ସାତକୋଶିଆ ଜଙ୍ଗଲର ଗୁଣ, ପରିମାପ, ଚାଷ ଜମି, ବନବାସୀଙ୍କ ସାମାଜିକ ଓ ଆର୍ଥିକ ସ୍ଥିତ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ରଖିବାକୁ କୁହାଯାଇଛି । ଏହି କ୍ରମରେ ତଥ୍ୟ ଯୋଗାଡରେ ସାତକୋଶିଆ କର୍ତୁପକ୍ଷ କାମ ଆରମ୍ଭ କରି ଦେଇଛନ୍ତି ।
ନିକଟରେ ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରବେଶ ମହାବଳ ବାଘ ଛଡାଯିବା ପରେ ସାତକୋଶିଆବାସୀଙ୍କ ମଧ୍ୟରେ ଜନ ଆକ୍ରୋଶ ତୀବ୍ର ହୋଇଛି । ବନ ବିଭାଗର କାର୍ଯ୍ୟକଳାପ ପରିସ୍ଥିତିକୁ ଏମିତି ମୋଡ ଦେଇଛି ଯେ, ପ୍ରକୃତି ଓ ମଣିଷ ଏବେ ପରସ୍ପର ପ୍ରତିକୂଳ ହୋଇ ପଡିଛନ୍ତି ।
କିନ୍ତୁ ସାତକୋଶିଆ ଯଦି ସଂରକ୍ଷିତ ଜୈବ ମଣ୍ଡଳ (ବାୟୋସ୍ପିୟର ରିଜର୍ଭ) ର ମାନ୍ୟତା ହାସଲ କରେ, ତେବେ ମଣିଷ ଏବଂ ପ୍ରକୃତି ପରସ୍ପର ବିପରୀତମୂଖୀ ନୁହେଁ, ବରଂ ଅନୁକୂଳ ହୋଇ କିପରି ଚାଲିବେ ସେଥିପାଇଁ ବିଭିନ୍ନ ଜଙ୍ଗଲ ଗବେଷଣା, ସଂରକ୍ଷଣ ଯୋଜନା ପ୍ରସ୍ତୁତ କରାଯିବ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି । ୨୦୦୦ ମସିହାରେ କର୍ଣ୍ଣାଟକର ନୀଳଗିରିକୁ ଦେଶର ପ୍ରଥମ ସଂରକ୍ଷିତ ଜୈବମଣ୍ଡଳ ମାନ୍ୟତା ମିଳିଥିବା ବେଳେ ୨୦୦୯ ରେ ଓଡିଶାର ଶିମିଳିପାଳ ଅଭୟାରଣ୍ୟ ତାଲିକାରେ ସାମିଲ ହୋଇଥିଲା । ସାତକୋଶିଆ ଏହି ତାଲିକାରେ ସାମିଲ ହେଲେ ଓଡିଶାର ଏହା ଦ୍ୱିତୀୟ ଗୌରବ ହେବ ବୋଲି ଜଣା ପଡିଛି ।

error: Thank You Keep Visiting