ସମ୍ପର୍କ ଉପରେ ଡିଜିଟାଲ ଉପକରଣର ପ୍ରଭାବ

Straight to the Point

ଆଜିକାଲି ପ୍ରେମୀ ଯୁଗଳଙ୍କୁ ନିକଟତର କରାଇବାରେ ଡିଜିଟାଲ ଉପକରଣ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ହେଲେ ବହୁବାର ଏହି ଡିଜିଟାଲ ଉପକରଣ ଯୋଗୁଁ ସମ୍ପର୍କରେ ଭୁଲ ବୁଝାମଣା ଓ ତିକ୍ତତା ଦେଖାଯାଉଛି। କାସ୍ପରସ୍କାଏ ଲ୍ୟାବ୍‍ ଦ୍ୱାରା କରାଯାଇଥିବା ଏକ ଗବେଷଣାର ରିପୋର୍ଟ ଅନୁସାରେ, ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ଦମ୍ପତିଙ୍କ ମଧ୍ୟରେ କଳହ ସୃଷ୍ଟି ହେବାର ମୁଖ୍ୟ କାରଣ ମୋବାଇଲ ଫୋନ। ଉଭୟ ନିକଟରେ ଥାଇ ମଧ୍ୟ ଫୋନରେ ବ୍ୟସ୍ତ ରହୁଛନ୍ତି। କୌଣସି ପାଚେରି ନୁହେଁ ବରଂ ମୋବାଇଲ ଫୋନ ସେମାନଙ୍କ ମଧ୍ୟରେ ଏକ ଅଦେଖା ପ୍ରାଚୀର ସୃଷ୍ଟି କରିଛି। ଖାଇବା ଓ କଥାହେବା ବେଳେ ଫୋନର ବହୁଳ ବ୍ୟବହାର କରୁଥିବାରୁ ପରସ୍ପରକୁ ସମୟ ଦେଇପାରୁ ନାହାନ୍ତି। ଏହାଛଡ଼ା ୬୦ ପ୍ରତିଶତ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଫୋନର ବହୁଳ ବ୍ୟବହାର ଯୋଗୁଁ ପରସ୍ପର ମଧ୍ୟରେ କଳହ ସୃଷ୍ଟିହେବର ଦେଖାଯାଇଛି। ଅଲଗା ରହୁଥିବା ୪୯ ପ୍ରତିଶତ ଦମ୍ପତିଙ୍କ ମଧ୍ୟରେ ମୋବାଇଲ କାରଣରୁହିଁ ସମ୍ପର୍କରେ ତିକ୍ତତା ଆସିବା ଦେଖାଦେଇଛି।

ଏହି ଗବେଷଣାରେ ସମ୍ପୂର୍ଣ୍ଣ ବିଶ୍ୱରୁ ୧୮ଟି ଦେଶର ପ୍ରାୟ ୧୮୦୦ ଦମ୍ପତିଙ୍କୁ ସାମିଲ କରାଯାଇଥିଲା। ଯେଉଁମାନଙ୍କର ପରସ୍ପର ମଧ୍ୟରେ ସମ୍ପର୍କ ୬ ମାସରୁ ଊର୍ଦ୍ଧ୍ବ ଥିଲା। ଗବେଷଣାର ରିପୋର୍ଟ ମୁତାବକ, ଲୋକମାନଙ୍କ ସାଥୀ ତାଙ୍କୁ ଅଣଦେଖା କଲେ ସେ ଆଦୌ ସହ୍ୟ କରିପାରି ନଥା’ନ୍ତି। ଯେତେବେଳେ ଉଭୟ ନିକଟରେ ରୁହନ୍ତି, ଆଶା କରିଥା’ନ୍ତି ଯେ ସାଥୀର ସମ୍ପୂର୍ଣ୍ଣ ଧ୍ୟାନ କେବଳ ତାଙ୍କ ଉପରେ ହିଁ ରହୁ। କାସ୍ପରସ୍କାଏ ଲ୍ୟାବ୍‍ର ଉପସଭାପତି ଦ୍ମିତ୍ରୀ ଅଲେଶିନ କହନ୍ତି, ଯେତେବେଳେ ଦୁଇଜଣ ପରସ୍ପରଠୁ ଅଲଗା ଥା’ନ୍ତି ସେତେବେଳେ ଡିଜିଟାଲ ଉପକରଣ ସେମାନଙ୍କୁ ନିକଟତର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ହେଲେ, ଏହାର ଆବଶ୍ୟକତାଠାରୁ ଅଧିକ ବ୍ୟବହାର ଦ୍ୱାରା ସମ୍ପର୍କରେ ବହୁ ସମସ୍ୟାମାନ ଉପୁଜିଥାଏ, ଯଦ୍ୱାରା ପରସ୍ପର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥାଏ। ଅପରପକ୍ଷରେ ପ୍ରାୟ ୧୦ ଜଣରୁ ୮ ଜଣ ଲୋକ ଇଣ୍ଟର୍ନେଟ ଦ୍ୱାରା ହିଁ ତାଙ୍କ ସାଥୀ ସହ ଯୋଡ଼ିହୋଇ ରହିପାରିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି। ୫୩ ପ୍ରତିଶତ ଲୋକଙ୍କ କହିବା ଅନୁସାରେ ଇଣ୍ଟର୍‍ନେଟ୍‍ ଓ ଅନ୍‍ଲାଇନ୍‍ ମାଧ୍ୟମ ଦ୍ୱାରା ସେମାନଙ୍କ ସମ୍ପର୍କରେ ବହୁତ ପରିବର୍ତ୍ତନ ହୋଇଛି ଓ ସମ୍ପର୍କରେ ମଧୁରତା ଆସିପାରିଛି।

error: Thank You Keep Visiting