ବଢୁଛି ‘ଆତ୍ମହତ୍ୟା’ ପ୍ରବଣତା

Straight to the Point

(ଓଡ଼ିଶା ଜର୍ଣ୍ଣାଲ): ସାମାଜିକ ଜୀବନର ସ୍ଖଳନ, ସଂସ୍କୃତି ଓ ପରମ୍ପରା ଅବକ୍ଷୟ ସହ ପାରିବାରିକ ସଂସ୍କାର ଅଭାବ ଯୋଗୁଁ ଆତ୍ମହତ୍ୟା ଭଳି ଏକ ରୁଗ୍ଣ ମାନସିକତା ସାମଜରେ ବୃଦ୍ଧି ପାଉଛି । ବିଶେଷକରି ଅତ୍ୟାଧୁନିକ ସମାଜର ପାରିବାରିକ ଚଳଣି, ବିବାହ ବନ୍ଧନ, ପାଠପଢା ଚାପ, କର୍ମ କ୍ଷେତ୍ରରେ ଅଧିକ କାର୍ଯ୍ୟ ବ୍ୟସ୍ତତା ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ଭଳି ଅନେକ ସାମାଜିକ ଅବ୍ୟବସ୍ଥା ଆତ୍ମହତ୍ୟା ପ୍ରବୃତ୍ତିକୁ ବଢାଇ ଦେଇଛି । ଏହାବ୍ୟତୀତ ସୋସିଆଲ ମିଡିଆର ଅପବ୍ୟବହାର ଏହାର ଅନ୍ୟ ଏକ କାରଣ । ବ୍ୟକ୍ତିଗତ ଚରିତ୍ରର ପଟ୍ଟ ପରିବର୍ତ୍ତନ ଓ ଆଧ୍ୟାତ୍ମିକ ଚେତନାର ଅଭାବ ଯୋଗୁଁ କୋମଳମତି କିଶୋର କିଶୋରୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଆତ୍ମହତ୍ୟାକୁ ଏକ ସମାଧାନର ବାଟ ବୋଲି ଆଦରି ନେଇଛନ୍ତି ।

କିଶୋର ବୟସରେ କୋମଳମତି ଛାତ୍ରମାନେ ଅତି ମାତ୍ରାରେ କ୍ୟାରିୟର ପ୍ରତି ସଚେତନ ହେବା, ପିତାମାତାଙ୍କ ସେଥିପ୍ରତି କଡା ତାଗିଦ ଥିବା ହେତୁ ପରୀକ୍ଷାରେ ଆଶାନୁରୂପକ ଫଳାଫଳ ନମିଳିଲେ ଆତ୍ମହତ୍ୟା କରୁଥିବାର ବହୁ ନଜିର ରହିଛି । ଚଳଚ୍ଚିତ୍ର, ଟିଭି ଓ ମୋବାଇଲ୍ର ମାୟାରେ କିଶୋର ଓ ଯୁବ ସମାଜ ଦିଗଭ୍ରଷ୍ଟ ହୋଇ ପ୍ରେମ ସଂପର୍କରେ ପଡି ଏଥିରେ ବିଫଳ ହେବା ପରେ ହତାଶ ହୋଇ ଆତ୍ମହତ୍ୟାକୁ ବାଛି ନେଉଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ବୈବାହିକ ଜୀବନରେ ଯୌତୁକ ଓ ଅନ୍ୟାନ୍ୟ କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଯୋଗୁଁ ଏଥିରେ ମୁକ୍ତି ପାଇଁ ଆତ୍ମହତ୍ୟାକୁ ଆପଣାଇ ନେଉଛନ୍ତି ।

ସେହିପରି ପ୍ରଭାବଶାଳୀ ପରିବାରରେ ସମାନ ଶିକ୍ଷା, ଯୋଗ୍ୟତା ଓ ଚାକିରୀ ଥିବା ଦମ୍ପତ୍ତିଙ୍କ ମଧ୍ୟରେ ଅହଂଭାବ ଉପୁଜି କେତେକ କ୍ଷେତ୍ରରେ ଏହି ଅପମୃତ୍ୟୁର ଖବର ଶୁଣିବାକୁ ମିଳୁଛି । ଅନେକ ସମୟରେ ଦୂରାରୋଗ୍ୟ ବ୍ୟାଧି ଆତ୍ମହତ୍ୟାର କାରଣ ମଧ୍ୟ ହେଉଛି । ପାରିବାରିକ ଜୀବନରେ ପୁଅ-ବୋହୂଙ୍କ ନିର୍ଯ୍ୟାତନା ସହିନପାରି ବୃଦ୍ଧାବସ୍ଥାରେ ବାପା, ମାଆ ଏଭଳି ପନ୍ଥା ଆପଣାଇ ନେଉଥିବା ଦେଖିବାକୁ ମିଳୁଛି । ସରକାରୀ ବ୍ୟବସ୍ଥାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ପ୍ରିୟାପ୍ରୀତି ତୋଷଣ ଆତ୍ମହତ୍ୟାର ଅନ୍ୟତମ କାରଣ ସାଜିଛି ।

ଏବେକାର ସାମାଜିକ ଜୀବନର ଅଧୋଗତି ଓ ବ୍ୟକ୍ତିଗତ ଚରିତ୍ରର ଦ୍ରୁତ ପରିବର୍ତ୍ତନ ଯୋଗୁଁ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି । ପୁଲିସ୍ ବିଭାଗର ସୂଚନା ଅନୁଯାୟୀ ୨୦୧୮ ରେ ଜିଲରେ ୫୩୦ ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ୨୦୧୭ ରେ ୪୮୭ ଟି ମାମଲା ରୁଜୁ ହୋଇଥିଲା । ୨୦୧୮ ରେ ଏହି ଅପମୃତ୍ୟୁ ମାମଲା ମଧ୍ୟରୁ ୧୭୧ ଟି ଆତ୍ମହତ୍ୟା ଜନିତ ହୋଇଥିବାବେଳେ ୨୦୧୭ ରେ ୧୯୪ ଟି ହୋଇଥିଲା । ଏହା ମଧ୍ୟରୁ ୨୦୧୮ ରେ ବିଷ ପିଇ ୪୪ ଜଣ, ନିଆଁରେ ପୋଡି ୪ ଜଣ, ଫାଶି ଲଗାଇ ୮୩ ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୧୭ ରେ ବିଷ ପିଇ ୮୪, ପାଣିରେ ବୁଡି ୭, ନିଆଁ ଲଗାଇ ୨ ଓ ଫାଶି ଲଗାଇ ୧୦୧ ଜଣ ମୃତ୍ୟୁ ଘଟିଥିଲା ।

error: Thank You Keep Visiting