ଭଦ୍ରକ ଇଣ୍ଟ୍ରା ଡ଼ିଷ୍ଟ୍ରିକ୍ଟ କ୍ରିକେଟ ଲିଗ୍ : ପୂର୍ବତଟ ରେଳପଥ ଚମ୍ପିୟାନ୍‌ ଉଦ୍‌ଯାପନ ଉତ୍ସବରେ ଜିଲ୍ଲାର ତିନି କ୍ରୀଡ଼ା ମହାରଥୀ ସମ୍ବର୍ଦ୍ଧିତ

An Independent Media

ଭଦ୍ରକ :  ‘ଓସିଏ ଭିଜନ୍ ୨୦୨୪’ ଅନୁସୃତ ଓ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆୟୋଜିତ ‘ଇଣ୍ଟ୍ରା ଡ଼ିଷ୍ଟ୍ରିକ୍ଟ ଇଣ୍ଟର୍ କ୍ଲବ୍ ସିନିୟର୍ କ୍ରିକେଟ୍ ଲିଗ୍‌’ ଗୁରୁବାର ଦିନ ଉଦ୍‌ଯାପିତ ହୋଇଛି । ରେଳବାଇ କ୍ରିଡ଼ାଙ୍ଗନରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍‌ରେ ପୂର୍ବତଟ ରେଳପଥ ୨୧୧ ରନ୍ ବ୍ୟବଧାନରେ ବାସୁଦେବପୁରର ଉତ୍କଳିକା ସ୍ପୋଟିଂକୁ ପରାସ୍ତ କରି ବିପୁଳ ବିଜୟ ସହ ଚମ୍ପିୟନ୍ ମର୍ଯ୍ୟାଦା ହାସଲ କରିଛି । ପୂର୍ବତଟ ରେଳପଥ ପ୍ରଥମେ ବ୍ୟାଟିଂ ନେଇ ନିର୍ଦ୍ଧାରିତ ୪୦ ଓଭର୍ ଖେଳି ୮ ୱିକେଟ୍ ବିନିମୟରେ ୩୫୮ ରନ୍ ସଂଗ୍ରହ କରିଥିଲା । ସାହିଲ୍ ଖାନ୍ ୯୧, ସଞ୍ଜିତ୍ ଚୌଧୁରୀ ୮୫, ଜ୍ୟୋତିରଂଜନ ମହାରଣା ୪୨, ସୁରେନ୍ଦ୍ର ପଣ୍ଡା ୩୫ ଓ ମାନସ ସାହୁ ୨୫ ରନ୍ ସଂଗ୍ରହ କରିଥିଲେ । ଉତ୍କଳିକାର ଜ୍ୟୋତି ରଂଜନ ଦାସ, ଅକ୍ଷୟ ମହାକୁଡ଼ ଓ ମନୋଜ ବାରିକ ୨ଟି ଲେଖାଏଁ ୱିକେଟ୍ ପାଇଥିବା ବେଳେ ସନ୍ତୋଷ ବଳ ଓ ବାଦଲ ବାରିକ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଜିଣିବା ପାଇଁ ୩୫୯ ରନ୍ ଆବଶ୍ୟକ ବେଳେ ଉତ୍କଳିକା ମାତ୍ର ୧୪୭ ରନ୍ ସଂଗ୍ରହ କରିପାରିଥିଲା । ଦିବ୍ୟଜ୍ୟୋତି ପଣ୍ଡା ୩୯, ଜ୍ୟୋତି ରଂଜନ ଦାସ ୨୨ ଓ ସନ୍ତୋଷ ବଳ ୨୦ ରନ୍ ସଂଗ୍ରହ କରିଥିଲେ । ପୂର୍ବତଟ ବୋଲର୍ ମୃଣ୍ମୟ ତ୍ରିପାଠୀ ଓ ହରେକୃଷ୍ଣ ବାରିକ ୩ଟି ଲେଖାଏଁ, ସଞ୍ଜିତ୍ ଚୌଧୁରୀ ୨ଟି ଓ ହର୍ଷିତ୍ ରାଠୋର୍ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ଖେଳ ଶେଷରେ ଅନୁଷ୍ଠିତ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ପୂର୍ବ ଅଧ୍ୟକ୍ଷ ଧୀରେନ୍ ପଲାଇ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୂର୍ବତଟ ରେଳପଥକୁ ଚମ୍ପିୟନ୍ ଟ୍ରଫି ଓ ଉତ୍କଳିକାକୁ ରନ୍‌ର୍ସ ଅପ୍ ଟ୍ରଫି ପ୍ରଦାନ କରିବା ସହ ଚରମ୍ପା କ୍ରିକେଟ୍ ଏକାଡ଼େମୀର ଆକାଶ ପୋଦ୍ଦାରଙ୍କୁ ଶ୍ରେଷ୍ଠ ବ୍ୟାଟ୍ସ୍‌ମ୍ୟାନ୍‌, ପୂର୍ବତଟ ରେଳପଥର ମୃଣ୍ମୟ ତ୍ରିପାଠୀଙ୍କୁ ଶ୍ରେଷ୍ଠ ବୋଲର୍ ଓ ବିଜୟଭାନୁ ଏକାଡ଼େମୀର ଆକାଶ ମହାପାତ୍ରଙ୍କୁ ଶ୍ରେଷ୍ଠ ପ୍ରାନ୍ତରକ୍ଷକ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲାର ତିନି ଜଣ ପ୍ରତିଭାବାନ୍ ପୂର୍ବତନ କ୍ରୀଡ଼ାବିତ୍ ଓ ଏ ସମୟର ବିଶିଷ୍ଠ କ୍ରୀଡ଼ା ସଂଗଠକମାନଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବତ୍ସ ଓ ସମ୍ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀର୍ଘଦିନ ଧରି ଅସୁସ୍ଥ ସୁରେନ୍ଦ୍ର ମହାନ୍ତିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ନିମନ୍ତେ ସମ୍ମାନୀତ କରାଯାଇଥିଲାବେଳେ ଚରଂପା ନିବାସୀ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ ଓ ବଙ୍କସାହି ନିବାସୀ ବ୍ରଜନାରାୟଣ ଜେନାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉତ୍ସବରେ କ୍ରିକେଟ୍ ଆସୋସିଏସନ୍‌ର ଉପସଭାପତି ପ୍ରଧ୍ୟାପକ ବିଜୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଉପେନ୍ଦ୍ର କୁମାର ବାରିକ ‘ଭିଜନ୍ ୨୦୨୪’ର ଉଦ୍ଦେଶ୍ୟ ଉଲ୍ଲେଖ କରିବା ସହ ଲିଗ ବିବରଣୀ ଉପସ୍ଥାପନ କରିଥିଲେ । ରୋଟାରିଆନ୍ ଅତିଶ୍ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆସୋସିଏସନ୍‌ର କୋଷାଧକ୍ଷ ବ୍ୟୋମକେଶ ସେନାପତି, ସଦସ୍ୟ ପାର୍ଥସାରଥୀ ରାୟ, ଲକ୍ଷ୍ମୀଧର ଜେନା, ଭବତୋଷ ଦାସ, ବିଜୟ ଲଖାନୀ, ନୀଳମାଧବ ଦାସ, ସୁଶୀଲ ପଟ୍ଟନାୟକ, ଦିଲ୍ଲୀପ୍ ନାୟକ, କେ.ଭି.ପ୍ରସାଦ, ନୁର୍ ମହମ୍ମଦ ଖାନ୍ ଓ ତାଓ ସାଧାରଣ ସଂପାଦକ ରବିନାରାୟଣ ପାଣିଗ୍ରାହୀ ସହଯୋଗ କରିଥିଲେ । ଲିଗ୍ ପରିଚାଳନାର ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିଥିବାରୁ ଓଡ଼ିଶା ଜୁନିୟର୍ କୋଚ୍ କେ.ଭି.ପ୍ରସାଦ, ଜିଲ୍ଲା ଟିମ୍‌ର ସିଲେକ୍ଟର୍ ଚନ୍ଦନ ନାୟକ ଓ ଶିଶିର ରଂଜନ ଦାସ, କ୍ରୀଡ଼ା ପ୍ରଶିକ୍ଷକ ରବିନାରାୟଣ ଓଝା, ମନୋଜ ସାହୁ, ଦେବବ୍ରତ ଜେନା, ରାଜେଶ ନାୟକ, ଓସିଏ ପ୍ରତିନିଧି ସମ୍ବିତ୍ ମହାରଣା ଓ ଯଯାତି ସାମଲ୍‌ଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

error: Thank You Keep Visiting