ରୋନାଲ୍‍ଡୋଙ୍କ ଗୋଲ୍‍ରେ ଜିତିଲା ପର୍ତ୍ତୁଗାଲ

Straight to the Point

ମସ୍କୋ: ଚଳିତ ଫିଫା ବିଶ୍ୱକପ୍‍ରେ କ୍ରମାଗତ ୨ୟ ମ୍ୟାଚ୍‍ରେ କ୍ରିଷ୍ଟିଆନୋ ରୋନାଲ୍‍ଡୋଙ୍କ ମ୍ୟାଜିକ୍‍ ଦେଖିବାକୁ ମିଳିଛି। ହେଡର ଦ୍ୱାରା ରୋନାଲ୍‍ଡୋଙ୍କ ଏକମାତ୍ର ଗୋଲ୍‍ ବଳରେ ବୁଧବାର ସନ୍ଧ୍ୟାରେ ଗ୍ରୁପ୍‍ ‘ବି’ର ଏକ ମ୍ୟାଚ୍‍ରେ ମରକ୍କୋକୁ ପରାସ୍ତ କରିଛି ପର୍ତ୍ତୁଗାଲ୍‍। ସ୍ପେନ୍‍ ସହ ପ୍ରଥମ ମ୍ୟାଚ୍‍ ଅମୀମାଂସିତ ରଖିଥିବା ପର୍ତ୍ତୁଗାଲ୍‍ ଏହି ବିଜୟରୁ ୩ ପଏଣ୍ଟ ପାଇଛି। ଫଳରେ ୨ଟି ମ୍ୟାଚ୍‍ରୁ ମୋଟ ୪ ପଏଣ୍ଟ ପାଇ ପର୍ତ୍ତୁଗାଲ ନକ୍‍ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବାର ନିକଟବର୍ତ୍ତୀ ହୋଇପାରିଛି। ଅନ୍ୟପକ୍ଷରେ କ୍ରମାଗତ ୨ୟ ପରାଜୟ ପରେ ମରକ୍କୋ ପ୍ରଥମ ରାଉଣ୍ଡରୁ ବିଦାୟ ନେବାର ନିକଟବର୍ତ୍ତୀ ହୋଇଛି।
ଆରମ୍ଭରୁ ପର୍ତ୍ତୁଗାଲ୍‍ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା। ମ୍ୟାଚ୍‍ର ୪ର୍ଥ ମିନିଟରେ ପର୍ତ୍ତୁଗାଲ ଆଗୁଆ ହୋଇ ଯାଇଥିଲା। ପୁଣିଥରେ ବିଶ୍ୱର ସର୍ବଶ୍ରେଷ୍ଠ ଫୁଟ୍‍ବଲର ଭାବେ ପରିଗଣିତ କ୍ରିଷ୍ଟିଆନୋ ରୋନାଲ୍‍ଡୋ ପର୍ତ୍ତୁଗାଲ୍‍ ପାଇଁ ଏହି ଗୋଲ୍‍ ଦେଇଥିଲେ। ୪ର୍ଥ ମିନିଟରେ ପର୍ତ୍ତୁଗାଲ୍‍କୁ ଲାଗଲାଗ ୨ଟି କର୍ଣ୍ଣର ମିଳିଥିଲା। ପ୍ରଥମ କର୍ଣ୍ଣର ବେକାର ହୋଇଥିବା ବେଳେ ବର୍ଣ୍ଣାର୍ଡୋ ସିଲ୍‍ଭା ମାରିଥିବା ୨ୟ କର୍ଣ୍ଣରକୁ ହେଡ୍‍କରି ରୋନାଲ୍‍ଡୋ ଏହି ଗୋଲ୍‍ଟି ଦେଇଥିଲେ। ରୋନାଲ୍‍ଡୋଙ୍କ ପରି ଷ୍ଟ୍ରାଇକରଙ୍କୁ ଗୋଲ୍‍ପୋଷ୍ଟ ସମ୍ମୁଖରେ ଫାଙ୍କା ଛାଡ଼ିବାର ବହୁମୂଲ୍ୟ ମରକ୍କୋକୁ ଦେବାକୁ ପଡ଼ିଥିଲା। ଚଳିତ ବିଶ୍ୱକପ୍‍ରେ ଏହା ପର୍ତ୍ତୁଗାଲ୍‍ର ୪ର୍ଥ ଗୋଲ୍‍ ଥିବା ବେଳେ ୪ଟିଯାକ ଗୋଲ୍‍ ରୋନାଲ୍‍ଡୋ ହିଁ ସ୍କୋର କରିଥିଲେ। ଏହି ଗୋଲ୍‍ ସହ ପର୍ତ୍ତୁଗାଲ୍‍ର ୨ୟ ଖେଳାଳି ଭାବେ ଏକ ବିଶ୍ୱକପ୍‍ରେ ରୋନାଲ୍‍ଡୋ ୪ କିମ୍ବା ଅଧିକ ଗୋଲ୍‍ ଦେଇଛନ୍ତି। ୧୯୬୬ ବିଶ୍ୱକପ୍‍ରେ ପର୍ତ୍ତୁଗିଜ୍‍ କିମ୍ବଦନ୍ତୀ ୟୁସୋବିଓ ୯ଟି ଗୋଲ୍‍ ଦେଇଥିଲେ। ୯ମ ମିନିଟରେ ରୋନାଲ୍‍ଡୋ ଗୋଲ୍‍କୁ କିକ୍‍ ମାରିଥିଲେ ହେଁ ଏହା ଦିଶାହୀନ ଥିଲା। ୧୧ ମିନିଟରେ କର୍ଣ୍ଣର କିକ୍‍ରୁ ମରକ୍କୋ ଅଧିନାୟକ ମେହ୍‍ଦି ବେନାତିଆ ହେଡ୍‍ କରିଥିଲେ ହେଁ ପର୍ତ୍ତୁଗାଲ ଗୋଲ୍‍ରକ୍ଷକ ରୁଇ ପାଟ୍ରିସିଓ ଏହାକୁ ରୋକି ଦେଇଥିଲେ। ୩୨ ମିନିଟରେ ରୋନାଲ୍‍ଡୋଙ୍କ କିକ୍‍କୁ ମରକ୍କୋ ଡିଫେଣ୍ଡର ରୋକି ଦେଇଥିଲେ। ୪୮ ମିନିଟରେ ମରକ୍କୋର କର୍ଣ୍ଣର ବେକାର ହେବା ପରେ ୫୧ ମିନିଟରେ ୨ୟ ଗୋଲ୍‍ଦେବାର ସୁଯୋଗ ପାଇଥିଲେ ରୋନାଲ୍‍ଡୋ। ଗୋଲ୍‍ପୋଷ୍ଟ ସମ୍ମୁଖରୁ ରୋନାଲ୍‍ଡୋଙ୍କ କିକ୍‍ ଗୋଲ୍‍ପୋଷ୍ଟର ସାମାନ୍ୟ ଉପରେ ଚାଲି ଯାଇଥିଲା। ୫୭ ମିନିଟରେ ଗୋଲ୍‍ ସୁଝାଇବାର ସୁବର୍ଣ୍ଣ ସୁଯୋଗ ଛାଡ଼ିଥିଲା ମରକ୍କୋ। ୟୁନିସ ବେଲ୍‍ହାଣ୍ଡାଙ୍କ ଚମତ୍କାର ହେଡରକୁ ପର୍ତ୍ତୁଗାଲ୍‍ ଗୋଲ୍‍ରକ୍ଷକ ଡାହାଣକୁ ଡାଇଭ୍‍ମାରି ବାହାର କରି ଦେଇଥିଲେ। ୬୦ ମିନିଟରେ ମରକ୍କୋ ଅଧିନାୟକ ମେହ୍‍ଦି ବେନାତିଆ ପୁଣିଥରେ ବଲ୍‍କୁ ଗୋଲ୍‍ପୋଷ୍ଟ ଉପରକୁ ମାରି ଦେଇଥିଲେ। ୬୭ ମିନିଟରେ ମରକ୍କୋ ଆଉ ଏକ ସୁଯୋଗ ହାତଛଡ଼ା କରିଥିଲା। ଦୁର୍ଭାଗ୍ୟ ମରକ୍କୋର ପିଛା ଛାଡ଼ିନଥିଲା। ୭୮ ମିନିଟରେ ଅଧିନାୟକ ମେହ୍‍ଦି ବେନାତିଆଙ୍କ ଫ୍ରିକିକ୍‍ ପୁଣିଥରେ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ଏହିପରି ଦ୍ୱିତୀୟାର୍ଦ୍ଧରେ ମରକ୍କୋ ଅଧିକ ସୁଯୋଗ ପାଇଥିଲା ଏବଂ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ୮୧ ମିନିଟରେ ପର୍ତ୍ତୁଗାଲ୍‍ର ଫର୍ଣ୍ଣାଣ୍ଡେଜ୍‍ ପାଇଥିବା ସୁଯୋଗ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୮୩ ମିନିଟରେ ପର୍ତ୍ତୁଗାଲକୁ ଏକ ଫ୍ରିକିକ୍‍ ମିଳିଥିବା ବେଳେ ରୋନାଲ୍‍ଡୋଙ୍କ ସଟ୍‍ ଡିଫେଣ୍ଡରଙ୍କ ଶରୀରରେ ବାଜି ଫେରି ଆସିଥିଲା।

error: Thank You Keep Visiting