ମ୍ୟାଚ୍ ଫିକ୍ସିଂ ପାଇଁ ୫ ଅଧିନାୟକଙ୍କୁ ଯୋଗାଯୋଗ କରାଯାଇଥିଲା: ଆଇସିସି

An Independent Media

ଦୁବାଇ: କ୍ରିକେଟ୍ରେ ମ୍ୟାଚ୍ ଫିକ୍ସିଂ ବିବାଦ ପୁଣି ଉଠିଛି । ଅଭିଯୋଗ ଆଣିଛି କ୍ରିକେଟ୍ର ସର୍ବୋଚ୍ଚ ଅନୁଷ୍ଠାନ ଆନ୍ତର୍ଜାତିକ କ୍ରିକେଟ୍ କାଉନ୍ସିଲ୍(ଆଇସିସି) । ଗତ ୧୨ ମାସ ଭିତରେ ୫ ଜଣ ଅଧିନାୟକଙ୍କୁ ଫିକ୍ସିଂ ପାଇଁ ବୁକିମାନେ ବିଭିନ୍ନ ସମୟରେ ଯୋଗାଯୋଗ କରିଛନ୍ତି ବୋଲି ଆଇସିସି ସୂଚନା ଦେଇଛି । ଆଇସିସିର ଦୁର୍ନୀତି ନିରୋଧ ବିଭାଗର ମୁଖ୍ୟ ଆଲେକ୍ସ ମାର୍ଶାଲଙ୍କ ସୂଚନାନୁଯାୟୀ ଆସନ୍ତା ଅକ୍ଟୋବର ମାସରେ ସାର୍ଜାହାରେ ଅନୁଷ୍ଠିତ ହେବାକୁ ଥିବା ଆଫଗାନିସ୍ତାନ ପ୍ର୍ରିମିୟର ଲିଗ୍ ଟି୨୦ ମ୍ୟାଚରେ ଖରାପ୍ ପ୍ରଦର୍ଶନ ପାଇଁ ଆଫଗାନିସ୍ତାନର ୱିକେଟ ରକ୍ଷକ ମହମ୍ମଦ ସାହାଜାଦଙ୍କୁ ବୁକିମାନେ ଚଳିତ ଏସିଆ କପ୍ ଅବସରରେ ଯୋଗାଯୋଗ କରିଛନ୍ତି । ଏହାଛଡ଼ା ଆହୁରି ଅନେକ ଲୋକପ୍ରିୟ କ୍ରିକେଟରଙ୍କୁ ସେମାନେ ଯୋଗଯୋଗ କରିଛନ୍ତି ।

ଯେଉଁ ୫ଟି ଦେଶର ଅଧିନାୟକଙ୍କୁ ବୁକିମାନେ ଯୋଗାଯୋଗ କରିଥିବା କୁହାଯାଉଛି ସେମାନଙ୍କ ନାମ ପ୍ରକାଶ କରିବାକୁ ଆଲେକ୍ସ ମନା କରିଦେଇଛନ୍ତି । ବୁକିମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ । ଭାରତ ଛଡ଼ା ସେମାନେ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରୁ ସେମାନଙ୍କର ନେଟ୍ୱର୍କ ଚଲାଉଥିବା ସେ ସୂଚନା ଦେଇଛନ୍ତି । ଆଇସିସିର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ବର୍ଷକ ମଧ୍ୟରେ ୩୨ଟି ଅନୁସନ୍ଧାନ କରାଯାଇଥିଲା । ସେଥିମଧ୍ୟରୁ ୨୩ଟି ଘଟଣାରେ ଉଭୟ କ୍ରିକେଟ କର୍ମକର୍ତ୍ତା ଓ ଖେଳାଳି ସାମିଲ ଥିବା ଏବଂ ୮ଟିରେ ଖେଳାଳିମାନେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଟି୨୦ର ଲୋକପ୍ରିୟତା କାରଣରୁ ମ୍ୟାଚ୍ ଫିକ୍ସିଂ ବଢ଼ୁଥିବା ଆଲେକ୍ସ କହିଛନ୍ତି ।

error: Thank You Keep Visiting