ଆର୍ଜେଣ୍ଟିନା ପରାସ୍ତ,କ୍ରୋଏସିଆ ପ୍ରିକ୍ୱାର୍ଟରରେ

Straight to the Point

ନିଝ୍‍ନି ନୋବଗୋରୋଡ୍‍ :  ଫିଫା ବିଶ୍ୱକପ୍‍ର ପ୍ରିକ୍ୱାର୍ଟଫାଇନାଲରେ ପ୍ରବେଶ କରିଛି କ୍ରୋଏସିଆ। ଗୁରୁବାର ଗ୍ରୁପ୍‍ ‘ଡି’ର ମ୍ୟାଚ୍‍ରେ ଆର୍ଜେଣ୍ଟିନାକୁ ୩-୦ ଗୋଲ୍‍ରେ ପରାସ୍ତକରି କ୍ରୋଏସିଆ ଏହି କୃତିତ୍ୱ ହାସଲ କରିଛି। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଆଣ୍ଟେ ରେବିଚ୍‍, ଲ୍ୟୁକା ମୋଡ୍ରିଚ୍‍ ଓ ଇଭାନ୍‍ ରାକିଟିଚ୍‍ ଏହି ୩ଟି ଗୋଲ୍‍ଦେଇ କ୍ରୋଏସିଆକୁ ବିଜୟୀ କରିଥିଲେ। ନାଇଜେରିଆକୁ ପ୍ରଥମ ମ୍ୟାଚ୍‍ରେ ହରାଇଥିବା କ୍ରୋଏସିଆ ୨ୟ ବିଜୟ ସହ ଶେଷ ୧୬ଟି ଦଳ ମଧ୍ୟରେ ସ୍ଥାନପାଇଛି। ଆଇସ୍‍ଲାଣ୍ଡ ସହ ପ୍ରଥମ ମ୍ୟାଚ୍‍ ଡ୍ର ରଖିଥିବା ଆର୍ଜେଣ୍ଟିନା ଏହି ପରାଜୟ ସହ ଚିନ୍ତାରେ ପଡ଼ିଯାଇଛି। ଏହାକୁ ଶେଷ ମ୍ୟାଚ୍‍ରେ ନିଶ୍ଚିତ ଭାବେ ନାଇଜେରିଆକୁ ହରାଇବାକୁ ପଡ଼ିବ।
ମ୍ୟାଚ୍‍ର ୫ମ ମିନିଟ୍‍ରେ ଆର୍ଜେଣ୍ଟିନା ଗୋଲ୍‍ରକ୍ଷକ ୱିଲ୍‍ଫ୍ରେଡୋ କାବାଲେରୋ ଡାଇଭ୍‍ମାରି ଗୋଲ୍‍ ରୋକି ଦେଇଥିଲେ। ୧୨ ମିନିଟରେ ଲିଓନେଲ ମେସି ପ୍ରଥମ ସୁଯୋଗ ପାଇଥିଲେ। ଏକ କ୍ରସ୍‍କୁ ଅଳ୍ପକେ ସ୍ପର୍ଶ କରି ପାରିନଥିଲେ ଏହି ସୁପରଷ୍ଟାର। ୧୫ ମିନିଟରେ କ୍ରୋଏସିଆକୁ ଏକ ଫ୍ରିକିକ୍‍ ମିଳିଥିଲେ ହେଁ ଏହା ବେକାର ଯାଇଥିଲା। ମ୍ୟାଚ୍‍ର ପ୍ରଥମ ୧୫ ମିନିଟରେ ଆର୍ଜେଣ୍ଟିନାଠାରୁ ଉନ୍ନତ ପ୍ରଦର୍ଶନ କରିଥିଲା କ୍ରୋଏସିଆ। ୨୯ ମିନିଟରେ ଅତି ସହଜ ସୁଯୋଗ ହାତଛଡ଼ା କରିଥିଲେ ଆର୍ଜେଣ୍ଟିନାର ଏଞ୍ଜୋ ପିରିଜ୍‍। ତାଙ୍କୁ କେବଳ କ୍ରୋଏସିଆ ଗୋଲ୍‍ରକ୍ଷକଙ୍କ ପରାସ୍ତ କରିବାକୁ ଥିଲେ ହେଁ ସେ ବଲ୍‍ ବହାରକୁ ମାରିଥିଲେ। ୩୩ ମିନିଟରେ ଅନୁରୂପ ସହଜ ସୁଯୋଗ ଛାଡ଼ିଥିଲେ କ୍ରୋଏସିଆର ମାରିଓ ମାଣ୍ଡ୍‍ଜୁକିଚ୍‍। ଏକ ଲମ୍ବା କ୍ରସ୍‍ରୁ ଗୋଲ୍‍ ସମ୍ମୁଖରେ ମାଣ୍ଡ୍‍ଜୁକିଚ୍‍ ହେଡ୍‍ କରିଥିଲେ ବଲ୍‍ ବାହାରେ ଚାଲି ଯାଇଥିଲା। ୪୫ ମିନିଟରେ କ୍ରୋଏସିଆ ଆହୁରି ଏକ ସୁଯୋଗ ଛାଡ଼ିଥିଲା। ଲ୍ୟୁକା ମୋଡ୍ରିଚ୍‍ଙ୍କର ଏକ ଚମତ୍କାର ପାସ୍‍ରୁ ଆଣ୍ଟେ ରେବିଚ୍‍ ବଲ୍‍ଲୁ ଗୋଲ୍‍ପୋଷ୍ଟ ଉପରେ ମାରି ଦେଇଥିଲେ। ଏହିପରି ଉଭୟ ଦଳ ଗୋଲ୍‍ଦେବାର ଏକାଧିକ ସୁଯୋଗ ପାଇଥିଲେ ହେଁ ପ୍ରଥାମାର୍ଦ୍ଧ ଗୋଲ୍‍ଶୂନ୍ୟ ଭାବେ ଶେଷ ହୋଇଥିଲା। ୫୩ ମିନିଟରେ କ୍ରୋଏସିଆ ଗୋଲ୍‍ ସ୍କୋର୍‍ କରିଥିଲା। ଏହା ହୋଇଥିଲା ଆର୍ଜେଣ୍ଟିନା ଗୋଲ୍‍ରକ୍ଷକ ୱିଲ୍‍ଫ୍ରେଡୋ କାବାଲେରୋ ସାଥୀ ଖେଳାଳି ଗାବ୍ରିଏଳ୍‍ ମାର୍କାଡୋଙ୍କୁ ପାସ୍‍ ଦେବା ପ୍ରୟାସରେ ବଲ୍‍କୁ ଚିପ୍‍ କରିଥିଲେ; ଯାହା ପହଞ୍ଚିଥିଲା ରେବିଚ୍‍ଙ୍କ ପାଖରେ। ଏକ ସୁନ୍ଦର ଭଲିମାରି ରେବିଚ୍‍ କାବାଲେରୋଙ୍କୁ ପରାସ୍ତ କରିଥିଲେ। ୬୩ ମିନିଟରେ ଆର୍ଜେଣ୍ଟିନା ଗୋଲ୍‍ ସୁଝାଇବାର ସୁଯୋଗ ହାତଛଡ଼ା କରିଥିଲା। ଗୋଞ୍ଜାଲୋ ହିଗ୍ୱେନ୍‍ଙ୍କ ପାସ୍‍ରୁ ମ୍ୟାକ୍ସିମିଲିଆନୋ ମେଜାଙ୍କ ସଟ୍‍କୁ କ୍ରୋଏସିଆ ଗୋଲ୍‍ରକ୍ଷକ ସୁବାସିଚ୍‍ ଠେଲି ଦେଇଥିଲେ। ମେସିଙ୍କୁ ବଲ୍‍ ମିଳିଥିଲେ ହେଁ ରାକିଟିଚ୍‍ ବଲ୍‍କୁ ବାହାର କରି ଦେଇଥିଲେ। ୬୬ ମିନିଟ୍‍ରେ ମାଣ୍ଡ୍‍ଜୁକିଚ୍‍ ଗୋଲ୍‍ପୋଷ୍ଟ ବାହାରକୁ ମାରିଥିଲେ। ୮୦ ମିନିଟରେ କ୍ରୋଏସିଆ ୨ୟ ଗୋଲ୍‍ଦେଇ ବିଜୟ ନିଶ୍ଚିତ କରିଥିଲା। ଅଧିନାୟକ ଲ୍ୟୁକା ମୋଡ୍ରିଚ୍‍ ଏହି ଦର୍ଶନୀୟ ଗୋଲ୍‍ଟି ଦେଇଥିଲେ। ୨ ଜଣ ଡିଫେଣ୍ଡର ଥିଲେ ହେଁ ଦୂରକୁ ଏକ ରକେଟ୍‍ମାର୍କା ସଟ୍‍ମାରି ମୋଡ୍ରିଚ୍‍ ଏହି ଗୋଲ୍‍ଟି ଦେଇଥିଲେ। ଇଞ୍ଜ୍ୟୁରି ସମୟର ପ୍ରଥମ ମିନିଟ୍‍ରେ ଇଭାନ୍‍ ରାକିଟିଚ୍‍ କ୍ରୋଏସିଆ ପାଇଁ ୩ୟ ତଥା ଅନ୍ତିମ ଗୋଲ୍‍ ଦେଇଥିଲେ।

error: Thank You Keep Visiting