ଆସନ୍ତାକାଲି ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚ
ନୂଆଦିଲ୍ଲୀ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆଡିଲେଡରେ ଆରମ୍ଭ ହେବାକୁ ଯାଉଛି । ୪ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ବିଜୟର ସ୍ୱପ୍ନକୁ ସଫଳ କରିବା ପାଇଁ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଡିଲେଡରେ ପାଦ ଦେଇଛି । ଅଭ୍ୟାସ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଖୁବ୍ ଭଲ ରନ୍ କରି ମନୋବଳ ବୃଦ୍ଧି କରିଛନ୍ତି । ଯାହାକି ଟେଷ୍ଟ୍ ଶୃଙ୍ଖଳାରେ ଅଷ୍ଟ୍ରେଲୀୟ ବୋଲରଙ୍କୁ ସାମ୍ନା କରିବା ପାଇଁ ଯଥେଷ୍ଟ ସହାୟ ହେବ ବୋଲି କୁହାଯାଉଛି ।
ସେହିପରି ଯଶପ୍ରତ୍ ବୁମରା, ଭୁବନେଶ୍ୱର କୁମାର, ଈଶାନ୍ତ ଶର୍ମା, ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ଦ୍ରୁତ ବୋଲିଂ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଚମକାଇ ଦେଇପାରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଭୁବନେଶ୍ୱର କୁମାରଙ୍କ ସୁଇଂ, ଉମେଶ ଯାଦବଙ୍କ ସ୍ଲୋ ପେସ୍, ଈଶାନ୍ତ ଶର୍ମାଙ୍କ ଅତିରିକ୍ତ ବାଉନ୍ସ, ଯଶପ୍ରତ୍ ବୁମରାଙ୍କ ୟର୍କର ଏବଂ ମହମ୍ମଦ ସାମିଙ୍କ ଗତି ଅଷ୍ଟ୍ରେଲିଆରେ ଏଥର ଶୃଙ୍ଖଳା ଜିତିବାରେ ଫରକ୍ ଆଣିବ ବୋଲି କୋହଲି କହିଛନ୍ତି । ଅନ୍ୟପକ୍ଷରେ କୋହଲିଙ୍କ ବ୍ୟକ୍ତିଗତ ଫର୍ମ, ଚେତେଶ୍ୱର ପୂଜାରାଙ୍କ ଲମ୍ବା ପାଳି ଖେଳିବାର ସାମର୍ଥ୍ୟ, ମୁରଲୀ ବିଜୟଙ୍କ ଧୈର୍ଯ୍ୟ, ପାର୍ଥିବ ପଟେଲଙ୍କ ଭରସାଯୋଗ୍ୟ ଅବଦାନ, ଆଜିଙ୍କ୍ୟ ରହାଣେଙ୍କ ସାମର୍ଥ୍ୟ ସାଙ୍ଗକୁ ଯୁବ ଖେଳାଳିଙ୍କ ଉତ୍ସାହ ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କୁ ଉଚିତ ଜବାବ ଦେଇପାରିବ ବୋଲି ଆଶା କରାଯାଉଛି ।