୨୦ତମ ହୃଦାନନ୍ଦ ମଲ୍ଲିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ, ପ୍ରଥମ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ବିଜୟୀ
ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ନେହେରୁ ଷ୍ଟାଡିୟମରେ ଆଜିଠାରୁ ୨୦ତମ ସର୍ବ ଭାରତୀୟ ହୃଦାନନ୍ଦ ମଲ୍ଲିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି । ପ୍ରଥମ ୬ ଦିନ ଲୋକାଲ ଗ୍ରୁପ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୦ ତାରିଖରୁ ଜାତୀୟ ସ୍ତରର କ୍ରିକେଟ ଟିମ୍କୁ ନେଇ ଦିବାରାତ୍ର ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭଦ୍ରକର ବଛା ବଛା ଟିମ ଖେଳୁଥିବା ବେଳେ ୧୦ ତାରିଖରୁ ଭଦ୍ରକ ଏକାଦଶ, କଟକର ରାଇଜିଂ ଷ୍ଟୁଡେଣ୍ଟସ୍, ସେର୍ସା ଖଡଗପୁର, ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ, ସେର୍ସା ରାଞ୍ଚି, ଅଂଶୁମାନ ଏକାଡେମୀ ବନାରସ, ନଭଶିପ ଚାମ୍ପିୟନ ବିଶାଖାପାଟଣା, ୟୁନିୟନ ସ୍ପୋର୍ଟିଂ କଟକ ଦଳ ଭାଗ ନେବେ ।
ଏହି ମ୍ୟାଚ ଗୁଡିକ ଦିବାରାତ୍ର ଖେଳାଯିବାକୁ ଥିବା ବେଳେ ୧୩ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଆଜି ଟୁର୍ଣ୍ଣାମେଣ୍ଟକୁ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ତଥା ସ୍ୱର୍ଗତ ହୃଦାନନ୍ଦ ମଲ୍ଳିକଙ୍କ ସୁପୁତ୍ର ଯୁବନେତା ସଞ୍ଜିବ ମଲ୍ଲିକ ଯୋଗ ଦେଇଥିଲେ । ସୂର୍ଯ୍ୟଶିଖା କ୍ଳବ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଇଷ୍ଟକୋଷ୍ଟ ରେଲୱେ ଏବଂ ସାଳନ୍ଦୀ କ୍ରିକେଟ କ୍ଳବ ମଧ୍ୟରେ ଖେଳା ଯାଇଥିଲା । ରେଲୱେ ଦଳ ଏହି ମ୍ୟାଚକୁ ୨୨ ରନରେ ଜିତିଛି ।
ରେଲୱେ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୪ ଉଇକେଟ ହରାଇ ୧୫୨ ରନ କରିଥିଲା । ଦଳ ପକ୍ଷରୁ ସଞ୍ଜିିତ ଚୌଧୁରୀ ୩୧ ବଲରେ ୬୦ ରନ କରିଥିବା ବେଳେ ଜ୍ୟୋତି ରଞ୍ଜନ ମହାରଣା ୩୦ ରନ କରିଥିଲେ । ସାଳନ୍ଦୀ ଦଳ ୧୫୩ ରନ୍ର ପିଛା କରି ୧୫ ଓଭରରେ ୪ ଉଇକେଟ ହରାଇ ୧୩୦ ରନ କରିବାକୁ ସକ୍ଷମ ହୋଇଥିଲା । ଦଳର ଅମିର ଖାଁ ୫୪ ରନ ଓ ଅନିଲ ଶାହ ୩୧ ରନ କରିଥିଲେ । ସଞ୍ଜିତ ଚୌଧୁରୀ ଗୋଟିଏ ଉଇକେଟ ନେଇଥିଲେ । ସଞ୍ଜିତଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରଯାଇଥିଲା ।