୨୦ତମ ସର୍ବ ଭାରତୀୟ ହୃଦାନନ୍ଦ ସ୍ମାରକୀ କ୍ରିକେଟ ; ପୋଷ୍ଟାଲ ଏକାଦଶ ଓ ରାଇଜିଂ ଷ୍ଟୁଡେଣ୍ଟ୍ ବିଜୟୀ

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ନେହେରୁ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେଉଥିବା ୨୦ତମ ସର୍ବ ଭାରତୀୟ ହୃଦାନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲୋକାଲ ଗ୍ରୁପ୍ ମ୍ୟାଚ ପରେ ଗତକାଲି ଠାରୁ ଦିବାରାତ୍ର ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୨ଟି ମ୍ୟାଚ ଖେଳା ଯାଇଥିଲା । ପ୍ରଥମ ମ୍ୟାଚରେ ପୋଷ୍ଟାଲ ଏକାଦଶ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରାଇଜିଂ ଷ୍ଟୁଡେଣ୍ଟ୍ସ କଟକ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ ଭଦ୍ରକ ଏକାଦଶ ଓ ପୋଷ୍ଟାଲ ଏକାଦଶ ମଧ୍ୟରେ ଖେଳା ଯାଇଥିଲା । ଟସ୍ ଜିତି ଭଦ୍ରକ ଦଳ ପ୍ରଥମେ ବ୍ୟାଟିଂ କରିଥିଲା ।

ଦଳ ସତ୍ୟକାନ୍ତ ଭରଦ୍ୱାଜଙ୍କ ୨୯ରନ ଓ ହର୍ଷିତ ରାଠୋରଙ୍କ ୨୨ରନ ବଳରେ ୧୮ ଓଭରରେ ୮ଉଇକେଟ ହରାଇ ମାତ୍ର ୧୪୦ରନ କରି ପାରିଥିଲା । ଯାହାକୁ ପୋଷ୍ଟାଲ ଏକାଦଶ ଦଳ ୧୭.୪ ଓଭରରେ ହାସଲ କରି ବିଜୟୀ ହୋଇଥିଲେ । ପୋଷ୍ଟାଲ ପକ୍ଷରୁ ବି. ଶିବା ୩ଟି ଓ ଅନୁରାଗ ଷଡଙ୍ଗୀ ୨ଟି ଉଇକେଟ ନେଇଥିଲେ । ବ୍ୟାଟିଂ ପୋଷ୍ଟାଲ ପକ୍ଷରୁ ମୋସ୍କିର୍ ଅଲ୍ଲୀ ୬୧ ଓ ଅନୁରାଗ ଷଡଙ୍ଗୀ ୨୫ରନ କରି ଦଳକୁ ବିଜୟୀ କରାଇଥିଲେ । ଭଦ୍ରକ ପକ୍ଷରୁ ହର୍ଷିତ ରାଠୋର ଓ କ୍ଷମାସାଗର ବଳ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ପୋଷ୍ଟାଲ ଦଳ ୪ ଉଇକେଟ ହରାଇ ମ୍ୟାଚକୁ ୬ ଉଇକେଟରେ ଜିତିଥିଲା । ମୋସ୍କିର ଅଲ୍ଲୀଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । କାଳନ୍ଦୀ ପଣ୍ଡା ଓ ରଞ୍ଜନ ମହାନ୍ତି ଅମ୍ପାୟାର କାର୍ଯ୍ୟ ତୁଲାଇଥିଲେ ।

ଦ୍ୱିତୀୟ ମ୍ୟାଚଟି କଟକ ରାଇଜିଂ ଷ୍ଟୁଡେଣ୍ଟ୍ସ ଓ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ଖେଳା ଯାଇଥିଲା । ରାଇଜିଂ ଦଳ ଟସ୍ ଜିତି ବ୍ୟାଟିଂ କରିଥିଲା । ରୋଶନ ରାଓଙ୍କ ୩୦ ଓ ଅରବିନ୍ଦ ସିଂହଙ୍କ ୨୮ରନ ବଳରେ ଦଳ ୧୫ ଓଭରରେ ୮ ଉଇକେଟ ହରାଇ ୧୨୦ ରନ କରିଥିଲା । ପ୍ରଗତି ପକ୍ଷରୁ ମାନସ ମହାପାତ୍ର ଓ ସୁକାନ୍ତ ହାତୀ ୩ଟି ଲେଖାଏ ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରି ପ୍ରଗତି ଦଳ ୧୫ ଓଭରରେ ୯ ଉଇକେଟ ହରାଇ ମାତ୍ର ୯୭ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ରଘୁନାଥ ମଲ୍ଲ ୩୩ ଓ ପି. ଆର୍. ସିନ୍ହା ୧୯ ରନ କରିଥିଲେ ।

ରାଇଜିଂ ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ମାତ୍ର ୧୧ରନ ଦେଇ ୨ଟି ଓ ତାରାକାନ୍ତ ସାମଲ ୨ଟି ଉଇକେଟ ନେଇ ଦଳକୁ ୨୪ ରନର ବିଜୟ ଦେଇଥିଲେ । ସୂର୍ଯ୍ୟକାନ୍ତଙ୍କ କଞ୍ଜୁସି ବୋଲିଂ ନିମନ୍ତେ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ ଅମରଜିତ୍ ରାୟ ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।

error: Thank You Keep Visiting