ଆଜି ଭାରତ-ଆୟରଲାଣ୍ଡ ଟ୍ୱେଣ୍ଟି୨୦ ସିରିଜର ପ୍ରଥମ ମ୍ୟାଚ

Straight to the Point

ଡବ୍‍ଲିନ : ବୁଧବାର ଏଠାରେ ଘରୋଇ ଆୟରଲାଣ୍ଡ ଓ ଭାରତ ମଧ୍ୟରେ ଦୁଇଟିକିଆ ଟ୍ୱେଣ୍ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ସିରିଜ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ୩ଟି ଟ୍ୱେଣ୍ଟି୨୦, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏଭଳି ଏକ ବ୍ୟସ୍ତବହୁଳ ସିରିଜ ପୂର୍ବରୁ ଆୟରଲାଣ୍ଡ ବିପକ୍ଷ ସିରିଜ ଜିତି ଇଂଲଣ୍ଡର ମୁକାବିଲା କରିବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି।
ଭାରତ ଓ ଆୟରଲାଣ୍ଡ ଦଳର ଶକ୍ତି ଓ ସାମର୍ଥ୍ୟକୁ ତୁଳନା କଲେ ଭାରତ ନିଶ୍ଚିତଭାବେ ଏହି ସିରିଜରେ ଫେଭରିଟ୍‍ ମାନ୍ୟତା ପାଇବ। ଅଧିନାୟକ ବିରାଟ କୋହଲିଙ୍କ ସମେତ ଶିଖର ଧାୱନ, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ସୁରେଶ ରୈନାଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନଅପ୍‍ ବେଶ ଶକ୍ତିଶାଳୀ। ଏହାବ୍ୟତୀତ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିବାରେ ସିଦ୍ଧହସ୍ତ। ଫାଷ୍ଟ ବୋଲିଂରେ ଉମେଶ ଯାଦବ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‍ରା ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ ଅସୁବିଧାରେ ପକାଇବାର ଦକ୍ଷତା ରଖିଥିବାବେଳେ ଦୁଇ ଯୁବ ସ୍ପିନର କୁଳଦୀପ ଯାଦବ ଓ ୟୁଜ୍‍ବେନ୍ଦ୍ର ଚହଲ ଚମତ୍କାର ଫର୍ମରେ ରହିଛନ୍ତି। ଅପରପକ୍ଷରେ ଆୟରଲାଣ୍ଡ ଦଳରେ ଅଧିନାୟକ ଗ୍ୟାରୀ ୱିଲସନ, ପୂର୍ବତନ ଅଧିନାୟକ ୱିଲିୟମ ପଟରଫିଲ୍ଡ ଓ ଅଲରାଉଣ୍ଡର କେଭିନ ଓ’ବ୍ରାଏନଙ୍କ ପ୍ରଦର୍ଶନ ଉପରେ ଦଳର ବିଜୟ ଅନେକାଂଶରେ ନିର୍ଭର କରୁଛି। ଏମାନଙ୍କ ବ୍ୟତୀତ ଜର୍ଜ ଡକ୍ରେଲ, ଆଣ୍ଡି ମ୍ୟାକ୍‍ବ୍ରାଇନ, ଷ୍ଟୁଆର୍ଟ ପଏଣ୍ଟରଙ୍କ ସମେତ ନବାଗତ ସ୍ପିନର ସିମି ସିଂହଙ୍କଠାରୁ ଦଳ ଉନ୍ନତ ପ୍ରଦର୍ଶନର ଆଶା ରଖୁଛି।

error: Thank You Keep Visiting