ଭାରତ-ଆୟରଲାଣ୍ଡ ; ଆଜି ସିରିଜର ଅନ୍ତିମ ମ୍ୟାଚ୍

An Independent Media

ଡବ୍‍ଲିନ :  ଆୟରଲାଣ୍ଡ ଓ ଭାରତ ମଧ୍ୟରେ ଶୁକ୍ରବାର  ଟ୍ୱେଣ୍ଟି-୨୦ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ । ଭାରତ ବୁଧବାର ଖେଳାଯାଇଥିବା ପ୍ରଥମ ଟ୍ୱେଣ୍ଟି-୨୦ରେ ଆୟରଲାଣ୍ଡକୁ ୭୬ ରନରେ ପରାସ୍ତ କରି ୧-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚରେ ଭାରତ ସମ୍ପୂର୍ଣ୍ଣଭାବେ ପ୍ରଧାନ୍ୟ ବିସ୍ତାର କରିଥିବାବେଳେ ଆୟରଲାଣ୍ଡର କୌଣସି ବ୍ୟାଟସମ୍ୟାନ କିମ୍ବା ବୋଲର ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ଫଳରେ ଘରୋଇ ଦଳକୁ ଦୟନୀୟ ଭାବେ ପରାଜୟ ବରଣ କରିବାକୁ ପଡିଥିଲା। ବୁଧବାର ମ୍ୟାଚରେ ଭାରତର ଦୁଇ ଓପନର ରୋହିତ ଶର୍ମା (୯୭) ଓ ଶିଖର ଧାୱନ (୭୪) ପ୍ରଥମ ୱିକେଟ ପାଇଁ ୧୬ ଓଭରରେ ୧୬୦୦ ରନ ସଂଗ୍ରହ କରି ଦଳକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଥିଲେ। ଫଳରେ ଦଳ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୫ ରନ କରି ପ୍ରତିପକ୍ଷ ଆୟରଲାଣ୍ଡ ପାଇଁ କଷ୍ଟସାଧ୍ୟ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାକୁ ପିଛା କରିବାକୁ ଯାଇ ଆୟରଲାଣ୍ଡ ୨୦ ଓଭରରେ ୯ ୱିକେଟ ବିନିମୟରେ କେବଳ ୧୩୨ ରନ କରିଥିଲା। ଜେମ୍‍ସ ସାନନ୍‍ଙ୍କୁ (୬୦) ବାଦଦେଲେ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ ଆଶାନୁରୂପ ବ୍ୟାଟିଂ କରିପାରିନଥିଲେ। ଅପରପକ୍ଷରେ ଭାରତର କୁଳଦୀପ ଯାଦବ (୪) ଓ ୟୁଜ୍‍ବେନ୍ଦ୍ର ଚହଲ (୩)ଙ୍କ ମାରାତ୍ମକ ସ୍ପିନ ବୋଲିଂରେ ଆୟରଲାଣ୍ଡ ବ୍ୟାଟିଂ ଲାଇନଅପ୍‍ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଥିଲା। ଏଥିରୁ ଦୁଇ ଦଳ ମଧ୍ୟରେ ଥିବା ପାର୍ଥକ୍ୟ ସ୍ପଷ୍ଟ ବାରି ହୋଇପଡୁଛି। ଶୁକ୍ରବାର ମ୍ୟାଚରେ ଅଧିନାୟକ ବିରାଟ କୋହଲି ଦଳରେ କେତେକ ପରିବର୍ତ୍ତନ କରିପାରନ୍ତି। ଅଗ୍ରଭାଗ ବ୍ୟାଟିଂରେ ସୁରେଶ ରୈନାଙ୍କ ସ୍ଥାନରେ ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ଏବଂ ଜଣେ ସ୍ପିନରଙ୍କ ସ୍ଥାନରେ ଉମେଶ ଯାଦବ ଚୂଡାନ୍ତ ଦଳରେ ସାମିଲ ହେବାର ଆଶା ରହିଛି। ଆବଶ୍ୟକ ମନେ କଲେ କୋହଲି ଦୁଇ ଓପନର ରୋହିତ ଓ ଧାୱନଙ୍କୁ ବିଶ୍ରାମ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଆଗକୁ ଇଂଲଣ୍ଡ ବିପକ୍ଷରେ ଲମ୍ବା ସିରିଜ ଖେଳାଯିବାକୁ ଥିବାବେଳେ ଖେଳାଳିଙ୍କୁ ଅଦଳବଦଳ କରି ସ୍ଥାନୀୟ ବାତାବରଣ ସହ ଖାପ୍‍ ଖୁଆଇବା ଲକ୍ଷ୍ୟରେ ଭାରତୀୟ ଦଳ ରଣନୀତି ପ୍ରସ୍ତୁତ କରୁଛି।

error: Thank You Keep Visiting