ଆଇପିଏଲ ୨୦୧୯: ମୁମ୍ବାଇକୁ ୫ ଓ୍ବିକେଟରେ ପରାସ୍ତ କଲା ରାଜସ୍ଥାନ
ଜୟପୁର : ଚଳିତ ଆଇପିଏଲ୍ରେ ଶନିବାର ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରି ମୁମ୍ବଇ ଇଣ୍ଡିଆନ୍ସକୁ ୫ ୱିକେଟରେ ରାଜସ୍ଥାନ ପରାସ୍ତ କରିଛି । ଓପ୍ନର କ୍ବିଣ୍ଟନ ଡି କକ୍ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବଇ ଇଣ୍ଡିଆନ୍ସ ୫ ୱିକେଟରେ ୧୬୧ ରନ୍ କରିଥିଲା। ପରେ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କ ଅପରାଜିତ ଅର୍ଦ୍ଧଶତକ ଓ ରିୟାନ୍ ପରାଗଙ୍କ ଲଢ଼ୁଆ ଇନିଂସ ବଳରେ ୫ଟି ବଲ୍ ବାକିଥାଇ ୫ ୱିକେଟ ହରାଇ ରାଜସ୍ଥାନ ଜିତିଥିଲା। ୯ମ ମ୍ୟାଚ୍ରେ ରାଜସ୍ଥାନ ୩ୟ ବିଜୟ ହାସଲ କରିଛି । ମୁମ୍ବଇ ୧୦ମ ମ୍ୟାଚ୍ରେ ୪ର୍ଥ ପରାଜୟ ବରଣ କରିଛି। ରାଜସ୍ଥାନ ରୟାଲ୍ସ ଦୃଢ଼ତାର ସହ ୧୬୨ ରନ୍ ବିଜୟଲକ୍ଷ୍ୟର ପିଛା କରିଥିଲା। ଓପ୍ନିଂ ଯୋଡ଼ି ଦ୍ରୁତଗତିରେ ସ୍କୋର୍କରି ସାଢ଼େ ୩ ଓଭରରେ ୩୪ ରନ୍ର ଭାଗିଦାରୀ କରିବା ପରେ ବିଦାୟୀ ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୨ ବଲ୍ରୁ ୨ଟି ଚୌକା ସହ ୧୨ ରନ୍କରି ବିଦାୟ ନେଇଥିଲେ। ବିଶ୍ରାମ ନେଇଥିବା ଜୋସ୍ ବଟ୍ଲରଙ୍କ ସ୍ଥାନରେ ଓପନ୍ କରିଥିବା ସଞ୍ଜୁ ସାମ୍ସନ୍ ଓ ନୂଆ ଅଧିନାୟକ ୨ୟ ୱିକେଟ ପାଇଁ ଚମତ୍କାର ଭାଗିଦାରୀ କରିଥିଲେ। ଦୁହେଁ ସ୍କୋର୍କୁ ୭୬ ରନ୍ରେ ପହଞ୍ଚାଇବା ପରେ ସାମ୍ସନ ଆଉଟ ହୋଇ ଯାଇଥିଲେ। କେରଳର ଏହି ବ୍ୟାଟ୍ସମ୍ୟାନ ବିସ୍ଫୋରକ ବ୍ୟାଟିଂକରି ୧୯ ବଲ୍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୩୫ ରନ୍କରି ବିଦାୟ ନେଇଥିଲେ। ସେହି ଓଭରରେ ମୁମ୍ବଇକୁ ଆଉ ଏକ ୱିକେଟ ମିଳିଥିଲା। ବେନ୍ ଷ୍ଟୋକ୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ତେବେ ୧୭ ବର୍ଷ ବୟସ୍କ ରିୟାନ୍ ପରାଗ ଚମତ୍କାର ବ୍ୟାଟିଂ କରିଥିଲେ ଓ ଅଧିନାୟକ ସ୍ମିଥ୍ଙ୍କ ସହ ସ୍କୋର୍କୁ ଆଗେଇ ନେଇଥିଲେ। ଆସାମର ପରାଗ ରନ୍ଆଉଟ ହେବା ସହ ଏହି ଯୋଡ଼ି ଭାଙ୍ଗି ଯାଇଥିଲା। ୪ର୍ଥ ୱିକେଟ ପାଇଁ ସ୍ମିଥ୍ଙ୍କ ସହ ୭୦ ରନ୍ ଯୋଗକରିବା ପରେ ପରାଗ ୨୯ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୩ ରନ୍କରି ଆଉଟ ହୋଇଥିଲେ। ପରେ ସ୍ମିଥ୍ ଓ ଷ୍ଟୁଆର୍ଟ ବିନ୍ନି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ବିନ୍ନି ୭ ରନ୍ରେ ଅପରାଜିତ ଥିଲେ। ଅଧିନାୟକ ଦାୟିତ୍ବ ନେବାର ପ୍ରଥମ ମ୍ୟାଚ୍ରେ ଦଳକୁ ଜିତାଇଥିବା ସ୍ମିଥ୍ ୪୮ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୯ ରନ୍କରି ଅପରାଜିତ ଥିଲେ। ଲେଗ୍ସ୍ପିନର ରାହୁଲ ଚହର ୩ଟି ୱିକେଟ ପାଇଥିଲେ। ଷ୍ଟିଭେନ୍ ସ୍ମିଥ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ ନେବା ପରେ ମୁମ୍ବଇ ଇଣ୍ଡିଆନ୍ସର ଓପ୍ନର ଧିରେସୁସ୍ଥେ ଇନିଂସ ଆରମ୍ଭ କରିଥିଲେ। ୩ ଓଭର ଶେଷରେ ମୁମ୍ବଇ ୧୩ ରନ୍ କରିଥିଲା। ସେହି ଓଭରରେ ରୋହିତ ଶର୍ମା ୫ ରନ୍କରି ବିଦାୟ ନେଇଥିଲେ। ୨ଟି ବଲ୍ ପରେ ରାଜସ୍ଥାନ ରୟାଲ୍ସ ଏକ ସୁଯୋଗ ଛାଡ଼ିଥିଲା। ୩ୟ ଓଭର ଶେଷ ବଲ୍ରେ କ୍ବିଣ୍ଟନ ଡି କକ୍ଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ ରାଜସ୍ଥାନର ଜୋଫ୍ରା ଆର୍ଚର। ସେତେବେଳେ ୬ ରନ୍ କରିଥିବା ଡି କକ୍ ତାଙ୍କ ସ୍କୋର୍ରେ ଆଉ ୫୯ ରନ୍ ଯୋଗ କରିଥିଲେ। ୩ୟ ଓଭର ଶେଷ ବଲ୍ରେ ଜୀବନଦାନ ପାଇବା ପରେ ୪ର୍ଥ ଓଭରର ପ୍ରଥମ ୪ଟି ବଲ୍ରେ ଧବଳ କୁଲକର୍ଣ୍ଣୀଙ୍କୁ ୧୮ ରନ୍ ମାରିଥିଲେ ଡି କକ୍। ୬ ଓଭର ପାୱରପ୍ଲେ ଶେଷରେ ମୁମ୍ବଇ ୪୬ ରନ୍ କରିଥିଲା। ବାମହାତି କ୍ବିଣ୍ଟନ ଡି କକ୍ ଓ ସୂର୍ଯ୍ୟକୁମାର ଯାଦବ ୨ୟ ୱିକେଟ ପାଇଁ ୯୭ ରନ୍ ଯୋଗକରି ସ୍ଥିତି ସୁଧାରିଥିଲେ। ସୂର୍ଯ୍ୟକୁମାର ୩୩ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୪ ରନ୍ କରିଥିଲେ। ପରବର୍ତ୍ତୀ ବଲ୍ରେ ଡି କକ୍ ଆଉଟ ହୋଇ ଯାଇଥିଲେ। ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ ଦର୍ଶନୀୟ ବ୍ୟାଟିଂକରି ୪୭ ବଲ୍ରୁ ୨ଟି ଛକା ଓ ୬ଟି ଚୌକା ସହ ୬୫ ରନ୍ କରିଥିଲେ। ହାର୍ଦିକ ପାଣ୍ଡ୍ୟା ପୁଣି ତାଙ୍କ ପାରିଲାପଣିଆ ପ୍ରମାଣିତ କରି ୧୫ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୩ ରନ୍ର ଏକ ଉପଯୋଗୀ ଇନିଂସ ଖେଳିଥିଲେ। କୈରନ୍ ପୋଲାର୍ଡ ୧୦ ରନ୍ କରିଥିବା ବେଳେ ବେନ୍ କଟିଙ୍ଗ୍ ୯ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୩ ରନ୍କରି ଅପରାଜିତ ଥିଲେ। ଶ୍ରେୟାସ ଗୋପାଳ ୨ଟି ୱିକେଟ ନେଇଥିଲେ।