ବଳିଷ୍ଠ ଧର୍ଯ୍ୟର ଅଧିନାୟକ ଜନ୍‍ ଓବି ମିକେଲ୍‍

Straight to the Point

ମସ୍କୋ : ବିଶ୍ୱକପ୍‍ ଫୁଟବଲ୍‍ର ଗ୍ରୁପ୍‍ ପର୍ଯ୍ୟାୟରେ ନାଇଜେରିଆ ଓ ଆର୍ଜେଣ୍ଟିନା ମଧ୍ୟରେ ଏକ ମ୍ୟାଚ୍‍ ଖେଳାଯାଇଥିଲା। ଏହି ମ୍ୟାଚ୍‍ ପୂର୍ବରୁ ନାଇଜେରିଆ ଦଳର ଅଧିନାୟକ ଜନ୍‍ ଓବି ମିକେଲ୍‍ଙ୍କ ବାପାଙ୍କୁ କେତେକ ଦୁବୃର୍ତ୍ତ ଅପହରଣ କରି ନେଇଥିଲେ। ଏହି ଖବର ଶୁଣିବା ସତ୍ତ୍ବେ ମିକେଲ୍‍ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‍ ଖେଳିଥିଲେ।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମିକେଲ୍‍ କହିଥିଲେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‍ ପୂର୍ବରୁ ବାପା ଅପହୃତ ହୋଇଥିବା ଖବର ସେ ଜାଣିବାକୁ ପାଇଥିଲେ। ତେବେ ଧୈର୍ଯ୍ୟହରା ନ ହୋଇ ସେ ଏହି ମ୍ୟାଚ୍‍ରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟାଡ଼ିୟମକୁ ଦଳୀୟ ବସ୍‍ରେ ଯିବା ବାଟରେ ବାପା ଅପହୃତ ହୋଇଥିବା ଖବର ଶୁଣିବାକୁ ପାଇଥିଲେ। ଏହି ଖବର ଶୁଣିବା ପରେ ସେ କ’ଣ କରିବେ କିଛି ଚିନ୍ତା କରି ପାରିନଥିଲେ। ତେବେ ନାଇଜେରିଆ ଦଳ ତରଫରୁ ଖେଳିବା ତାଙ୍କ ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରି ମ୍ୟାଚ୍‍ରେ ଖେଳିବାକୁ ନିଷ୍ପତ୍ତି ନେଇଥିଲେ।
ବାପା ଅପହୃତ ହୋଇଥିବା ଖବର କେତେଜଣ ବନ୍ଧୁଙ୍କୁ ଛାଡ଼ିଦେଲେ କାହାରିକୁ କହିନଥିବା ମିକେଲ୍‍ ସୂଚନା ଦେଇଛନ୍ତି। ଯଦି କୌଣସି ଅଧିକାରୀଙ୍କୁ ଏହି ଖବର ଦେଇଥାନ୍ତେ ତେବେ ତାଙ୍କ ବାପାଙ୍କୁ ହତ୍ୟା କରାଯିବ ବୋଲି ଅପହରଣକାରୀମାନେ ଧମକ ଦେଇଥିଲେ। ଏ ସଂପର୍କରେ ଦଳର ପ୍ରଶିକ୍ଷକଙ୍କୁ ମଧ୍ୟ ସେ କୌଣସି ପ୍ରକାର ସୂଚନା ଦେଇନଥିଲେ। ତେବେ ପରଦିନ ତାଙ୍କ ବାପାଙ୍କୁ ଅପହରଣକାରୀଙ୍କ କବଳରୁ ପୁଲିସ ମୁକୁଳାଇ ଥିଲା। ବର୍ତ୍ତମାନ ତାଙ୍କ ବାପା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମିକେଲ୍‍ କହିଛନ୍ତି। ସୂଚନାଥାଉକି ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‍ରେ ମିକେଲ୍‍ ପୂରା ସମୟ ଖେଳିଥିଲେ। ଏହି ମ୍ୟାଚ୍‍ରେ ଆର୍ଜେଣ୍ଟିନା ୨-୧ ଗୋଲ୍‍ରେ ବିଜୟୀ ହୋଇଥିଲା।

error: Thank You Keep Visiting