ମାଟ୍ରିକ ପରୀକ୍ଷା ଫି ଛାଡକଲେ ରାଜ୍ୟ ସରକାର
ଭୁବନେଶ୍ୱର;ମାଟ୍ରିକ ପରୀକ୍ଷା ଫି ଛାଡ଼ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରୀକ୍ଷା ଫି ଛାଡ଼ କରିବା ଦ୍ୱାରା ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ। ପରୀକ୍ଷା ଫି ଛାଡ଼ ପାଇଁ ୨୭ କୋଟି ବ୍ୟୟଭାର ବହନ କରିବେ ରାଜ୍ୟ ସରକାର। ମାଟ୍ରିକ ପରୀକ୍ଷା ପାଇଁ ପ୍ରତି ପିଲାଙ୍କୁ ୪୨୦ ଟଙ୍କା ଫି ପଡ଼ିଥାଏ।
କରୋନା ମହାମାରୀ ପାଇଁ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି।ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି
ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଏବଂ ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି। କରୋନା ମହାମାରୀ ଯୋଗୁ ବହୁ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ।