ଦିଲ୍ଲୀ ପୁଲିସ୍କୁ ଚାଷୀନେତା ଧୋକା ଦେଇଥିବା କହିଲେ କମିଶନର ଏସ,ଏନ୍ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଆଜି ଦିଲ୍ଲୀ ପୁଲିସ୍ କମିଶନର ଏସଏନ୍ ଶ୍ରୀବାସ୍ତବ ବଡ଼ ମୁହଁ ଖୋଲିଛନ୍ତି।ସେ କହିଛନ୍ତି ଚାଷୀ ସଂଗଠନର ନେତାମାନେ ଦିଲ୍ଲୀ ପୁଲିସକୁ ଧୋକା ଦେଇ ଅସାମାଜିକ ଲୋକ ମାନଙ୍କୁ ଟ୍ରାକ୍ଟର ରାଲିର ଆଗକୁ ଛାଡ଼ିଥିଲେ। ସେମାନେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇ ଆଇନ ଭାଙ୍ଗିଲେ। ଏହି ହିଂସାରେ ଚାଷୀ ନେତା ବି ସାମିଲ ଥିଲେ। ହିଂସାକାଣ୍ଡରେ ୩୯୪ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ବେଳେ ୧୯ ଜଣ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି। ସେହିପରି ଆଉ ୫୦ ଜଣଙ୍କୁ ଅଟକ ରଖାଯାଇଛି ବୋଲି କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜାନୁଆରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲି ସମ୍ପର୍କରେ ଦିଲ୍ଲୀ ପୁଲିସ୍ ଜାନୁଆରୀ ୨ରେ ସୂଚନା ପାଇଥିଲା। ଖବର ମିଳିବା ପରେ ଆମେ ଚାଷୀ ସଂଗଠନ ସହ ଆଲୋଚନା ଆରମ୍ଭ କରିଥିଲୁ। ୫ଥର ପୁଲିସ ଓ ଚାଷୀ ସଂଗଠନର ନେତାମାନଙ୍କ ସହ ଆଲୋଚନା ହୋଇଥିଲା।
ଗଣତନ୍ତ୍ର ଦିବସ ପାଳନ ଯୋଗୁ ଆମେ ପ୍ରଥମେ ସେମାନଙ୍କୁ ଜାନୁଆରୀ ୨୬ରେ ରାଲି ନ କରିବାକୁ କହିଥିଲୁ। କିନ୍ତୁ ସେମାନେ ଆମ କଥାରେ ରାଜି ହୋଇ ନଥିଲେ। ଏହାପରେ ଆମେ ତାଙ୍କୁ କୁଣ୍ଡଲି-ମାନେସର-ପାଲୱାଲ ଏକ୍ସପ୍ରେସ ୱେରେ ରାଲି କରିବାକୁ ପରାମର୍ଶ ଦେଇଥିଲୁ। ଏଠାରେ ଦିଲ୍ଲୀ ପୁଲିସ୍ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବ ବୋଲି ମଧ୍ୟ ଜଣାଇଥିଲୁ। ତଥାପି ସେମାନେ ଦିଲ୍ଲୀରେ ରାଲି କରିବାକୁ ଜିଦ୍ ଧରି ବସିଥିଲେ।
